ସଙ୍ଗୀତ ଜଗତରୁ ଆସିଛି ଏକ ଦୁଃଖଦ ଖବର। ଲୋକପ୍ରିୟ କଣ୍ଠଶିଳ୍ପୀ ନୀତି ମୋହନଙ୍କ ପରିବାରରେ ଖେଳିଯାଇଛି ଶୋକର ଛାୟା। ନୀତି ମୋହନଙ୍କ ପିତା ବ୍ରଜ ମୋହନ ଶର୍ମାଙ୍କର ୭୨ ବର୍ଷ ବୟସରେ ପରଲୋକ ହୋଇଛି। ଅକ୍ଟୋବର ୧୫ ତାରିଖରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ସେ ଜଣେ ସରକାରୀ ଅଧିକାରୀ ତଥା ଲେଖକ ଥିଲେ। ସେ ମୁକ୍ତି ମୋହନ, ଶକ୍ତି ମୋହନ ଏବଂ କୃତି ମୋହନ ନାମ୍ନୀ ଅନ୍ୟ ତିନି ଝିଅଙ୍କ ପିତା ମଧ୍ୟ ଥିଲେ। ତାଙ୍କ ବିୟୋଗରେ ପରିବାର ଓ ଶୁଭେଚ୍ଛୁଙ୍କ ମଧ୍ୟରେ ଶୋକର ବାତାବରଣ ଖେଳିଯାଇଛି।

ରବିବାର, ଅକ୍ଟୋବର ୧୮ ତାରିଖରେ ନୀତି ସୋସିଆଲ ମିଡିଆରେ ଏକ ଭାବବିହ୍ୱଳ ପୋଷ୍ଟ ମାଧ୍ୟମରେ ଏହି ଖବର ଜଣାଇଥିଲେ। ସେ ନିଜ ପିତାଙ୍କୁ ପରିବାରର ମାର୍ଗଦର୍ଶକ ଏବଂ ଶକ୍ତିର ମୁଖ୍ୟ ଆଧାର ବୋଲି ବର୍ଣ୍ଣନା କରିଛନ୍ତି। ତାଙ୍କ ମୃତ୍ୟୁର କାରଣ ସମ୍ପର୍କରେ କୌଣସି ସୂଚନା ଦିଆଯାଇନାହିଁ।

ନୀତିଙ୍କ ଭାବବିହ୍ୱଳ ପୋଷ୍ଟ

ଏହି ଖବର ସେୟାର କରି ନୀତି ଲେଖିଛନ୍ତି, "ଜଣେ ସ୍ନେହୀ ସ୍ୱାମୀ ଓ ପିତା, ଆମ ପରିବାରର ମାର୍ଗଦର୍ଶକ ଏବଂ ଶକ୍ତିର ସ୍ତମ୍ଭ। ତାଙ୍କର ଜ୍ଞାନ, ଦୟାଭାବ, ନୈତିକ ମୂଲ୍ୟବୋଧ ଏବଂ ନିଃସ୍ୱାର୍ଥପର ଭଲପାଇବା ସର୍ବଦା ଆମ ହୃଦୟରେ ରହିବ। ହେଲେ ସେ ଆଜି ଆମ ଗହଣରେ ନାହାନ୍ତି, ତଥାପି ତାଙ୍କ ଆଶୀର୍ବାଦ, ତାଙ୍କ ଶିକ୍ଷା ଏବଂ ଆମେ ଏକାଠି ବିତାଇଥିବା ସୁନ୍ଦର ସ୍ମୃତିଗୁଡ଼ିକ ଜୀବନସାରା ଆମକୁ ପଥ ଦେଖାଇବ।"

ନୀତି ଆହୁରି ମଧ୍ୟ ଲେଖିଛନ୍ତି, "ତାଙ୍କ ଚାଲିଯିବା ଏପରି ଏକ ଶୂନ୍ୟସ୍ଥାନ ସୃଷ୍ଟି କରିଛି ଯାହା କେବେବି ପୂରଣ ହୋଇପାରିବ ନାହିଁ, କିନ୍ତୁ ତାଙ୍କର ଭଲପାଇବା ସର୍ବଦା ଆମ ହୃଦୟରେ ଜୀବିତ ରହିବ। ଈଶ୍ୱର ତାଙ୍କ ସୁନ୍ଦର ଆତ୍ମାକୁ ଚିରଶାନ୍ତି ପ୍ରଦାନ କରନ୍ତୁ। ପାପା, ଆମେ ଆପଣଙ୍କୁ ବହୁତ ମନେ ପକାଇବୁ।" ଏହା ଖବର ପରେ ଚଳଚ୍ଚିତ୍ର ଏବଂ ସଙ୍ଗୀତ ଜଗତର ଅନେକ ବିଶିଷ୍ଟ ବ୍ୟକ୍ତିତ୍ୱ ନୀତି ଓ ତାଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି।

ଅନେକ ତାରକା ଶୋକ ପ୍ରକାଶ କରିଛନ୍ତି

ଏମାନଙ୍କ ମଧ୍ୟରେ ନେହା ଧୂପିଆ, ଶ୍ରେୟସ ତଲପଡେ, ମନୀଷ ପଲ୍, ଶ୍ରେୟା ଘୋଷାଲ, ନିକିତା ଗାନ୍ଧୀ, ଗୌହର ଖାନ, ତାହିରା କଶ୍ୟପ, ଦିୟା ମିର୍ଜା, ଅପରଶକ୍ତି ଖୁରାନା, ହିମେଶ ରେଶମିୟା, ଶଙ୍କର ମହାଦେବନ ଏବଂ ରାହୁଲ ବୈଦ୍ୟ ପ୍ରମୁଖ ଅନ୍ତର୍ଭୁକ୍ତ। ଏହି କଠିନ ସମୟରେ ସେମାନେ ପରିବାରକୁ ସମର୍ଥନ ଜଣାଇଛନ୍ତି।

ବ୍ରଜ ମୋହନ ଶର୍ମା ତାଙ୍କର ଚାରି ଝିଅ—ନୀତି, ଶକ୍ତି, ମୁକ୍ତି ଏବଂ କୃତି ମୋହନଙ୍କ ଜୀବନ ଓ କ୍ୟାରିୟରରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ସେ ଝିଅମାନଙ୍କ ଲକ୍ଷ୍ୟକୁ ସମର୍ଥନ କରିଥିଲେ ଏବଂ ସେମାନଙ୍କ ସ୍ୱପ୍ନ ପୂରଣ କରିବା ପାଇଁ ଉତ୍ସାହିତ କରିଥିଲେ। ଯେତେବେଳେ ତାଙ୍କ ଝିଅମାନେ ମନୋରଞ୍ଜନ ଜଗତରେ ନିଜ ପାଇଁ ସ୍ୱତନ୍ତ୍ର ପଥ ତିଆରି କରୁଥିଲେ। ସେ ପ୍ରତ୍ୟେକ ପଦକ୍ଷେପରେ ସେମାନଙ୍କ ସାଥୀରେ ଛିଡ଼ା ହୋଇଥିଲେ। ଯେଉଁଠାରେ ନୀତି ଜଣେ ପ୍ଲେ-ବ୍ୟାକ୍ ଗାୟିକା ଭାବରେ ନିଜକୁ ପ୍ରତିଷ୍ଠିତ କରିଥିଲେ, ସେଠାରେ ତାଙ୍କର ଅନ୍ୟ ଭଉଣୀମାନେ ଡ୍ୟାନ୍ସ ଏବଂ ଅଭିନୟ କ୍ଷେତ୍ରରେ ନିଜର କ୍ୟାରିୟର ଗଢ଼ିଥିଲେ।