ନୂଆଦିଲ୍ଲୀ, ୧୮।୧୦: ବଲିଉଡ୍ ଡ୍ରାମା କ୍ୱିନ୍ ରାକ୍ଷୀ ସାୱନ୍ତଙ୍କ ବଢ଼ିଲା ଅଡ଼ୁଆ । ୨୦୧୦ ମସିହାର ଏକ ଆତ୍ମହତ୍ୟା ଘଟଣା ସହ ଜଡ଼ିତ ମାମଲାରେ ଉତ୍ତରପ୍ରଦେଶର ଝାସ୍ଥିତ ଏକ ଅଦାଲତ ତାଙ୍କ ବିରୋଧରେ ଜାମିନବିହୀନ ୱାରେଣ୍ଟ ଜାରି କରିଛନ୍ତି। ବାରମ୍ବାର ସମନ ଜାରି ହେବା ସତ୍ତ୍ୱେ ସେ ଅଦାଲତରେ ହାଜର ହୋଇନଥିବାରୁ ଏହି ପଦକ୍ଷେପ ନିଆଯାଇଥିବା ଜଣେ ସରକାରୀ ଓକିଲ ସୂଚନା ଦେଇଛନ୍ତି। ଦୀର୍ଘ ୧୬ ବର୍ଷ ପରେ ଏହି ପୁରୁଣା ମାମଲା ପୁଣିଥରେ ଚର୍ଚ୍ଚାକୁ ଆସିଛି।

ଏହି ମାମଲା ଝାନ୍ସିର ହଂସାରୀସ୍ଥିତ ପ୍ରେମନଗର ଅଞ୍ଚଳର ବାସିନ୍ଦା ଲକ୍ଷ୍ମଣ ଅହିରୱାରଙ୍କ ମୃତ୍ୟୁ ସହ ଜଡ଼ିତ। ଅଭିଯୋଗ ଅନୁଯାୟୀ, ରାକ୍ଷୀ ସାୱନ୍ତଙ୍କ ଟେଲିଭିଜନ୍ କାର୍ଯ୍ୟକ୍ରମ ‘ରାକ୍ଷୀ କା ଇନ୍ସାଫ୍’ରେ ତାଙ୍କ ବିରୋଧରେ ଅପମାନଜନକ ମନ୍ତବ୍ୟ ଦିଆଯାଇଥିଲା। ଏହାଦ୍ୱାରା ମାନସିକ ଭାବେ ଆଘାତପ୍ରାପ୍ତ ହୋଇ ଲକ୍ଷ୍ମଣ ୨୦୧୦ ନଭେମ୍ବର ୧୦ ତାରିଖରେ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଥିଲା। ଲକ୍ଷ୍ମଣଙ୍କ ମାଆ ସାବିତ୍ରୀ ପ୍ରେମନଗର ଥାନାରେ ଏନେଇ ଅଭିଯୋଗ ଦାଖଲ କରିଥିଲେ। ତାଙ୍କ ଅଭିଯୋଗ ଅନୁସାରେ, ୨୦୧୦ ଅକ୍ଟୋବରରେ ପ୍ରସାରିତ କାର୍ଯ୍ୟକ୍ରମର ଏକ ଅଧ୍ୟାୟରେ ରାକ୍ଷୀ ତାଙ୍କ ପୁଅଙ୍କ ବିରୋଧରେ ଅପମାନଜନକ ଓ ଆପତ୍ତିଜନକ ଭାଷା ପ୍ରୟୋଗ କରିଥିଲେ।

ଓକିଲଙ୍କ କହିବା ଅନୁଯାୟୀ, ଲକ୍ଷ୍ମଣ ଏବଂ ତାଙ୍କ ପତ୍ନୀ ଅନିତାଙ୍କ ମଧ୍ୟରେ ଦାମ୍ପତ୍ୟ ବିବାଦ ଥିଲା। ଏହି ବିବାଦର ସମାଧାନ ପାଇଁ ଉଭୟଙ୍କୁ ଟେଲିଭିଜନ୍ କାର୍ଯ୍ୟକ୍ରମକୁ ଡକାଯାଇଥିଲା। ଅନିତା ରାଜଗଡ଼ର ବାସିନ୍ଦା ଥିଲେ ଏବଂ ବିବାଦ ପରେ ସେ ନିଜ ବାପଘରକୁ ଚାଲିଯାଇଥିଲେ। ତେବେ ମାମଲାର ଆଇନଗତ ପ୍ରକ୍ରିୟା ଜାରି ରହିଛି।

ଏନ୍ୟପଟେ, ଗାୟକ ମିକା ସିଂହଙ୍କୁ ନେଇ ଦେଇଥିବା ଏକ ପୁରୁଣା ମନ୍ତବ୍ୟ ପାଇଁ ମଧ୍ୟ ରାକ୍ଷୀ ନିକଟରେ ଚର୍ଚ୍ଚାରେ ରହିଥିଲେ। ଏକ ପଡ୍କାଷ୍ଟରେ ସେ କହିଥିଲେ ଯେ, ପୂର୍ବରୁ ମିକାଙ୍କ ସ୍ୱର ଏତେ ମଧୁର ନଥିଲା, କିନ୍ତୁ ସେ ତାଙ୍କୁ ଚୁମ୍ବନ ଦେବା ପରଠାରୁ ତାଙ୍କ ସ୍ୱର ମଧୁର ହୋଇଯାଇଥିଲା। ଏହା ସହ ମିକାଙ୍କୁ ଏହି କଥାକୁ ଖରାପ ଭାବେ ନନେବାକୁ ସେ କହିଥିଲେ। ଏହି ବିବାଦର ମୂଳ ୨୦୦୬ ମସିହାର ଏକ ଜନ୍ମଦିନ ପାର୍ଟି। ରାକ୍ଷୀଙ୍କ ଅଭିଯୋଗ ଅନୁଯାୟୀ, ସେହି ପାର୍ଟିରେ ମିକା ସିଂହ ତାଙ୍କୁ ଜବରଦସ୍ତି ଚୁମ୍ବନ ଦେଇଥିଲେ। ଏହି ଘଟଣାକୁ ନେଇ ୨୦୦୬ ଜୁନ୍ ୧୧ ତାରିଖରେ ସେ ମିକାଙ୍କ ବିରୋଧରେ ଏଫ୍ଆଇଆର୍ ଦାଖଲ କରିଥିଲେ। ପରେ ପ୍ରାୟ ୧୭ ବର୍ଷ ପରେ ଉଭୟ ପକ୍ଷଙ୍କ ସହମତିରେ ଏହି ବିବାଦର ସମାଧାନ ହୋଇଥିବା ଜଣାପଡ଼ିଥିଲା।