ନୂଆଦିଲ୍ଲୀ ୧୮।୧୦; ମୁମ୍ବାଇର ବିଦ୍ୟାବିହାର ଇଷ୍ଟ-ୱେଷ୍ଟ ପୋଲ୍କୁ ନେଇ ଏବେ ରାଜନୈତିକ ମାହୋଲ୍ ସରଗରମ। ପୋଲ୍ର ନାମକରଣକୁ ନେଇ ଦୁଇ ପକ୍ଷର ଦାବି ସାମ୍ନାକୁ ଆସିବା ପରେ ଆରମ୍ଭ ହୋଇଛି ରାଜନୈତିକ ବାକ୍ଯୁଦ୍ଧ। ଶିବସେନା (ୟୁବିଟି) ଏହି ପୋଲ୍ର ନାମ ପଦ୍ମଶ୍ରୀ ନାନା ପାଟେକରଙ୍କ ନାମରେ ରଖିବାକୁ ଦାବି କରିଛି। ଏପରିକି ପୋଲରେ ‘ପଦ୍ମଶ୍ରୀ ନାନା ପାଟେକର ସେତୁ’ ଲେଖାଥିବା ବ୍ୟାନର ମଧ୍ୟ ଲଗାଇଛି ଦଳ। 

ଅନ୍ୟପଟେ, ବିଜେପି ବିଧାୟକ ପରାଗ ଶାହା ପୋଲ୍ର ନାମ କ୍ୟାପଟେନ୍ ସ୍ମିତ୍ ମଚ୍ଛାରଙ୍କ ନାମରେ ରଖିବାକୁ ପ୍ରସ୍ତାବ ଦେଇଛନ୍ତି। ବିମାନରେ ଏକ ଆକ୍ରମଣ ଉଦ୍ୟମକୁ ପଣ୍ଡ କରିବାରେ ତାଙ୍କ ସାହସିକ ଭୂମିକାକୁ ସମ୍ମାନ ଜଣାଇବା ଏହି ପ୍ରସ୍ତାବର ଉଦ୍ଦେଶ୍ୟ। ସେପଟେ, ବିଏମସିରେ ସଦନର ନେତା ଗଣେଶ ଖନକର ଶିବସେନା (ୟୁବିଟି) ଉପରେ ରାଜନୈତିକ ଶ୍ରେୟ ନେବା ପାଇଁ ଏହି ପ୍ରସଙ୍ଗକୁ ବିବାଦୀୟ କରାଯାଉଥିବା ଅଭିଯୋଗ କରିଛନ୍ତି। ନାନା ପାଟେକରଙ୍କୁ ସମ୍ମାନ ଜଣାଇବା ପାଇଁ ପୋଲ୍ ବଦଳରେ କୌଣସି ଥିଏଟର୍ର ନାମ ତାଙ୍କ ନାମରେ ରଖିବା ଅଧିକ ଉପଯୁକ୍ତ ହେବ ବୋଲି ସେ ମତ ଦେଇଛନ୍ତି।

ନାନା ପାଟେକର: ଅଭିନୟରୁ ସମାଜସେବା ଯାଏଁ

ନାନା ପାଟେକର କେବଳ ଜଣେ ଲୋକପ୍ରିୟ ଅଭିନେତା ନୁହନ୍ତି, ସମାଜସେବା ପାଇଁ ମଧ୍ୟ ତାଙ୍କର ସ୍ୱତନ୍ତ୍ର ପରିଚୟ ରହିଛି। ତିନିଟି ଜାତୀୟ ଚଳଚ୍ଚିତ୍ର ପୁରସ୍କାର ସହ ୨୦୧୩ରେ ସେ ପଦ୍ମଶ୍ରୀ ସମ୍ମାନ ପାଇଥିଲେ। ମରୁଡ଼ି ପ୍ରଭାବିତ କୃଷକ ଓ ସେମାନଙ୍କ ପରିବାରକୁ ସହାୟତା କରିବା ପାଇଁ ୨୦୧୫ରେ ଅଭିନେତା ମକରନ୍ଦ ଅନାସପୁରେଙ୍କ ସହ ମିଶି ‘ନାମ ଫାଉଣ୍ଡେସନ୍’ ପ୍ରତିଷ୍ଠା କରିଥିଲେ। କୃଷକଙ୍କ ପ୍ରତି ତାଙ୍କର ଏହି ସହଯୋଗ ତାଙ୍କୁ ମହାରାଷ୍ଟ୍ରରେ ଏକ ସ୍ୱତନ୍ତ୍ର ପରିଚୟ ଦେଇଛି।

କ୍ୟାପଟେନ୍ ସ୍ମିତ୍ ମଚ୍ଛାର: ସାହସର ଅନ୍ୟ ନାମ

ଅନ୍ୟପଟେ, କ୍ୟାପଟେନ୍ ସ୍ମିତ୍ ମଚ୍ଛାରଙ୍କ ସାହସିକତାକୁ ନେଇ ମଧ୍ୟ ଚର୍ଚ୍ଚା ଜୋର୍ ଧରିଛି। ଫ୍ଲାଏଦୁବାଇର ଉଡ଼ାଣ FZ-1073ରେ କ୍ୟାପଟେନ୍ ଭାବେ ଦାୟିତ୍ୱ ତୁଲାଉଥିବା ସମୟରେ ତାଙ୍କ କୋ-ପାଇଲଟ୍ ତାଙ୍କ ଉପରେ କୁରାଢ଼ିରେ ଆକ୍ରମଣ କରିଥିବା ଖବର ଆସିଥିଲା। ଗୁରୁତର ଆହତ ହେବା ସତ୍ତ୍ୱେ ସେ କକ୍ପିଟ୍ର ଦ୍ୱାର ଖୋଲିଥିଲେ, ଯାହା ପରେ ଯାତ୍ରୀ ଓ କ୍ରୁ ସଦସ୍ୟମାନେ ଆକ୍ରମଣକାରୀଙ୍କୁ କାବୁ କରିପାରିଥିଲେ। ଏହି ଘଟଣାରେ ତାଙ୍କ ଭୂମିକାକୁ ଆଧାର କରି ତାଙ୍କ ନାମରେ ପୋଲ୍ର ନାମକରଣ କରିବାକୁ ଦାବି ହୋଇଛି।

ପୋଲର ଗୁରୁତ୍ୱ କ’ଣ?

ପ୍ରାୟ ୬୫୦ ମିଟର ଲମ୍ବା ଓ ଦୁଇ ଲେନ୍ ବିଶିଷ୍ଟ ଏହି ପୋଲ୍ ବିଦ୍ୟାବିହାର ଷ୍ଟେସନର ପୂର୍ବ ପଟର ରାମଚନ୍ଦ୍ର ଚେମ୍ବୁରକର ମାର୍ଗକୁ ଘାଟକୋପର ପଶ୍ଚିମ ପଟର ଲାଲ୍ ବାହାଦୁର ଶାସ୍ତ୍ରୀ ମାର୍ଗ ସହ ଯୋଡ଼ିଥାଏ। ଏହାର ପ୍ରାୟ ୧୦୦ ମିଟର ଅଂଶ ରେଳଧାରଣା ଉପରେ ନିର୍ମିତ ହୋଇଛି। ଏହି ପୋଲ୍ ସ୍ଥାନୀୟ ଯାତାୟାତ ପାଇଁ ଗୁରୁତ୍ୱପୂର୍ଣ୍ଣ ହୋଇଥିବାରୁ ଏହାର ନାମକରଣକୁ ନେଇ ରାଜନୈତିକ ଚର୍ଚ୍ଚା ଅଧିକ ତୀବ୍ର ହୋଇଛି। ତେବେ ଗୋଟିଏ ପଟେ ନାନା ପାଟେକରଙ୍କ ସମାଜସେବା ଓ କଳାକ୍ଷେତ୍ରର ଅବଦାନ, ଅନ୍ୟପଟେ କ୍ୟାପଟେନ୍ ସ୍ମିତ୍ ମଚ୍ଛାରଙ୍କ ସାହସିକତା। ଏହି ଦୁଇ ନାମକୁ ନେଇ ଦାବି ଜୋର୍ ଧରିଥିବା ବେଳେ, ଶେଷରେ ବିଦ୍ୟାବିହାର ପୋଲ୍ର ନାମ କାହା ନାମରେ ରଖାଯିବ, ତାହା ଉପରେ ଏବେ ସମସ୍ତଙ୍କ ନଜର।