ବାଲେଶ୍ଵର: ଓଡ଼ିଶା ସାମ୍ବାଦିକ ୟୁନିଅନ ପକ୍ଷରୁ ବାଲେଶ୍ୱର ସ୍ଥିତ ପ୍ରସିଦ୍ଧ ଚାନ୍ଦିପୁର ଇଣ୍ଟରନ୍ୟାସନାଲ୍ ଟୁରିଜିମ୍ ରିସର୍ଟ ପରିସରରେ ଏକ ଗୁରୁତ୍ୱପୂର୍ଣ୍ଣ ରାଜ୍ୟସ୍ତରୀୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ପେନସନ ଯୋଜନା ଓ ସାମ୍ବାଦିକ ସୁରକ୍ଷା ଦାବିରେ ଆଗାମୀ ଦିନରେ ବଡ଼ ଧରଣର ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ପାଇଁ ସଂଘ ପକ୍ଷରୁ ରଣନୀତି ପ୍ରସ୍ତୁତ କରାଯାଇଛି।

ଚାନ୍ଦିପୁର ଇଣ୍ଟରନ୍ୟାସନାଲ୍ ଟୁରିଜିମ୍ ରିସର୍ଟରେ ଆୟୋଜିତ ଏହି ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ରାଜ୍ୟର କୋଣ ଅନୁକୋଣରୁ ସାମ୍ବାଦିକମାନେ ଏକାଠି ହୋଇଥିଲେ। ରାଜ୍ୟରେ ସାମ୍ବାଦିକମାନଙ୍କ ପାଇଁ ଏକ ମୁକ୍ତ ବାତାବରଣ ସୃଷ୍ଟି କରିବା ସହ ବରିଷ୍ଠ ସାମ୍ବାଦିକଙ୍କ ପାଇଁ ତୁରନ୍ତ ପେନସନ ଲାଗୁ କରିବାକୁ ସଂଘ ଦାବି କରିଛି। ଯଦି ସରକାର ଏହି ଦାବି ପ୍ରତି ଉଚିତ୍ ଧ୍ୟାନ ନଦିଅନ୍ତି, ତେବେ ଆଗାମୀ ଦିନରେ ଏକ ବ୍ୟାପକ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦିଆଯାଇଛି।

Also Read: ବିଶ୍ୱନାଥ ପଣ୍ଡିତ ପାଠାଗାର ଫି’ ବୃଦ୍ଧିକୁ ନେଇ ବିବାଦ, ମେୟରଙ୍କ ବଡ଼ ବୟାନ

ଏହି ବୈଠକରେ ରାଜ୍ୟ ସରକାରଙ୍କ ଉପମୁଖ୍ୟ ସଚେତକ ତଥା ରେମୁଣା ବିଧାୟକ ଗୋବିନ୍ଦ ଚନ୍ଦ୍ର ଦାସ ଏବଂ ସିମୁଳିଆ ବିଧାୟକ ପଦ୍ମଲୋଚନ ପଣ୍ଡା ପ୍ରମୁଖ ଉପସ୍ଥିତ ରହି ସାମ୍ବାଦିକମାନଙ୍କ ଦାବି ଉପରେ ସହମତି ପ୍ରକାଶ କରିବା ସହ ଏ ଦିଗରେ ଉଚିତ ପଦକ୍ଷେପ ନେବାକୁ ପ୍ରତିଶ୍ରୁତି ଦେଇଛନ୍ତି।