ଭୁବନେଶ୍ୱର ୧୯।୦୪ : ଶନିବାର ୧୫ ସହରରେ ତାତି ୪୦ ଡିଗ୍ରୀ ଛୁଇଁଥିଲା । ଦିନ ୧୦ଟାରୁ ଦେହ ପୋଡ଼ି ପକାଉଥିଲା। ଶରୀରରୁ ଗମ୍ ଗମ ଝାଳ ବୋହୁଥିଲା। ଆଗକୁ ଏହି ସ୍ଥିତି ଆହୁରି ଅସମ୍ଭାଳ ହେବ। ସବୁଠୁ ଅଧିକ ସିଝିବ ପଶ୍ଚିମ ଓଡ଼ିଶା I ଏଠାରେ ତାପମାତ୍ରା ୪୫ ଡିଗ୍ରୀ ଛୁଇଁପାରେ। ପଶ୍ଚିମ ତୁଳନାରେ ଉପକୂଳ ଓଡ଼ିଶାରେ ତାତି କମିଲେ ୬ ଆର୍ଦ୍ରତା ଅଧିକ ରହିବ। ପ୍ରାୟ ୭୦% ଆର୍ଦ୍ରତା ରହିବା ଯୋଗୁ ୪୭ରୁ ୪୮ ଡିଗ୍ରୀ ଭଳି ତାତି (ବାସ୍ତବ ଅନୁଭବ) ଅନୁଭୂତ ହୋଇପାରେ ବୋଲି ବରିଷ୍ଠ କୃଷି ପାଣିପାଗବିତ୍ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ ପୂର୍ବାନୁମାନ କରିଛନ୍ତି।

ଭୀଷଣ ତାତି ଓ ଗ୍ରୀଷ୍ମପ୍ରବାହ ପାଇଁ ଆଉ ୬ଟି ଜିଲ୍ଲାରେ ସବୁ ଶିକ୍ଷାନୁଷ୍ଠାନକୁ ଛୁଟି ଘୋଷଣା କରାଯାଇଛି। ଶୁକ୍ରବାର ୩ଟି ଜିଲ୍ଲାରେ ସ୍କୁଲ, କଲେଜ ଛୁଟି ଘୋଷଣା ହୋଇଥିଲା। ଶନିବାର ଆଉ ୬ ଜିଲ୍ଲା ପାଇଁ ସ୍କୁଲ ଛୁଟି ଘୋଷଣା ହୋଇଛି। ନୂଆପଡ଼ାରେ ୨୧ ତାରିଖ ଯାଏ, ସମ୍ବଲପୁର, ଝାରସୁଗୁଡ଼ା, ବୌଦ୍ଧରେ ୨୨ ତାରିଖ, ମୟୂରଭଞ୍ଜ ଜିଲ୍ଲାରେ ୨୩ ତାରିଖ ଯାଏ ଶିକ୍ଷାନୁଷ୍ଠାନକୁ ଛୁଟି ଘୋଷଣା ହୋଇଛି। ନବରଙ୍ଗପୁର ଜିଲ୍ଲାରେ ୨୦ ତାରିଖରୁ ପରବର୍ତ୍ତୀ ଆଦେଶ ଯାଏ ଛୁଟି କରାଯାଇଛି। ଛୁଟି ସମୟରେ ଆଗରୁ ଧାର୍ଯ୍ୟ ପରୀକ୍ଷା ବାତିଲ ହେବନି। ସକାଳ ସମୟରେ ପରୀକ୍ଷା କରାଯିବ ବୋଲି ଜିଲ୍ଲାପାଳ ନିର୍ଦ୍ଦେଶ ଜାରି କରିଛନ୍ତି।

ପାଣିପାଗ ବିଭାଗର ଆକଳନ କହୁଛି, ରବିବାର ପଶ୍ଚିମ ଓଡ଼ିଶାରେ ଭୀଷଣ ତାତି ଅନୁଭୂତ ହେବ। ସୁନ୍ଦରଗଡ଼, ଝାରସୁଗୁଡ଼ା, ବଲାଙ୍ଗିର, ନୂଆପଡ଼ା ଓ ସମ୍ବଲପୁରରେ ଗ୍ରୀଷ୍ମ ପ୍ରବାହ ବହିପାରେ। ଉପକୂଳ ଓଡ଼ିଶାର ଅଧିକାଂଶ ସ୍ଥାନରେ ପ୍ରବଳ ଗରମ ଓ ଗୁଳୁଗୁଳି ଅନୁଭୂତ ହେବ। ୨୦ ତାରିଖ (ସୋମ‌ବାର‌) ସୁନ୍ଦରଗଡ଼, ନୂଆପଡ଼ା, ଝାରସୁଗୁଡ଼ା, ବଲାଙ୍ଗିର, କଳାହାଣ୍ଡି ଓ ସମ୍ବଲପୁରରେ ଗ୍ରୀଷ୍ମ ପ୍ରବାହ ସ୍ଥିତି ରହିବ। ସୁନ୍ଦରଗଡ଼, ବଲାଙ୍ଗିର ଓ ସମ୍ବଲପୁରରେ ରାତି ତାପମାତ୍ରା ବି ଅଧିକ ରହିବା ଯୋଗୁ ଭୀଷଣ ଗରମ ଅନୁଭୂତ ହେବ। ଉପକୂଳ ଓଡ଼ିଶା ସମେତ ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ଭୀଷଣ ଗୁଳୁଗୁଳି ରହିବ। ପଶ୍ଚିମ ଓଡ଼ିଶାରେ ୨୨ ତାରିଖ ଯାଏ ଗ୍ରୀଷ୍ମପ୍ରବାହରୁ ମୁକ୍ତି ମିଳିବନି।

Also Read:-Horoscope Today : ଏପ୍ରିଲ ୧୯ ତାରିଖ, ରବିବାର ; ଜାଣନ୍ତୁ କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନ

୧୯ ତାରିଖରୁ ୨୪ ତାରିଖ ଯାଏ ରାଜ୍ୟର ସ୍ଥାନେ ସ୍ଥାନେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ। କାଳବୈଶାଖୀ ପ୍ରଭାବରେ ଝଡ଼ ବର୍ଷା ଆଶଙ୍କା ଅଛି। ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ କୁଆପଥର ସହ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ଆକଳନ କରିଛି। ପ୍ରଫେସର ପଶୁପାଳକଙ୍କ ଆକଳନ କହୁଛି, ଶୁଷ୍କ ଉତ୍ତର-ପଶ୍ଚି ତ୍ତର-ପଶ୍ଚିମ ବାୟୁ ପ୍ରବାହିତ ହେଉଥିବାରୁ ରାଜ୍ୟରେ ର ତାପମାତ୍ରା କ୍ରମଶଃ ବଢୁଛି। ଆଭ୍ୟନ୍ତରୀଣ ଓଡ଼ିଶାରେ କେନ୍ଦ୍ରୀୟ ଭାରତର ସମତଳ ଅଞ୍ଚଳରୁ ଆସୁଥିବା ଗରମ ବାୟୁର ପ୍ରଭାବ ରହିଛି। ଉପକୂଳବର୍ତ୍ତୀ ଅଞ୍ଚଳରେ ଦକ୍ଷିଣ-ଦକ୍ଷିଣ ପଶ୍ଚିମ ବାୟୁ ପ୍ରଭାବରେ ଅଧୁକ ଜଳୀୟବାଷ୍ପ ଆସିବା ଯୋଗୁ ‘ହିଟ୍ ଇଣ୍ଡେକ୍ସ ବଢୁଛି। ଏହା ପ୍ରଭାବରେ ଅସହ୍ୟ ଗୁଳୁଗୁ ଳି ସୃଷ୍ଟି ହେବ।

ଆଭ୍ୟନ୍ତରୀଣ ଓଡ଼ିଶାରେ ତାତି ୪୨ଡିଗ୍ରୀରୁ ଅଧିକ ରହିବ। ଝାରସୁଗୁଡ଼ା ଓ ସମ୍ବଲପୁରରେ ୪୫ ଡିଗ୍ରୀ ଛୁଇଁପାରେ। ଉପକୂଳ ଓଡ଼ିଶାରେ ଅଧିକ ଆର୍ଦ୍ରତା ଯୋଗୁ ୪୮ ଡିଗ୍ରୀ ଭଳି ତାତି ରହିବ। ଏହା ଶରୀର ପାଇଁ ବିପଜ୍ଜନକ ବୋଲି ପ୍ରଫେସର ପଶୁ ପାଳକ କହିଛନ୍ତି। ଶନିବାର ଟିଟିଲାଗଡ଼ରେ ଦିନ ତାପମାତ୍ରା ସର୍ବାଧିକ ୪୨.୭ଡିଗ୍ରୀ ରହିଥିଲା। ଝାରସୁଗୁଡ଼ାରେ ୪୨.୬, ସମ୍ବଲପୁରରେ ୪୧.୬, ହୀରାକୁଦରେ ତାପମାତ୍ରା ୪୧.୭ ଓ ନୂଆପଡ଼ାରେ ୪୧.୬ ଡିଗ୍ରୀ ରହିଥିଲା I