ଭୁବନେଶ୍ବର ୧।୧୧: ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ମୁରାସୁ’ । ଦକ୍ଷିଣ ପଶ୍ଚିମ ଓ ପଶ୍ଚିମ କେନ୍ଦ୍ର ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ବାତ୍ୟା । ଏହା ସୋମବାର ସୁଦ୍ଧା ଭୀଷଣ ବାତ୍ୟାରେ ପରିଣତ ହେବ । ବାତ୍ୟାର ଦିଗ ପୁଣି ଆନ୍ଧ୍ର ଆଡ଼କୁ ରହିଛି । ହେଲେ ଓଡ଼ିଶାରେ ହେବ ବର୍ଷା । ଦକ୍ଷିଣ ଓଡ଼ିଶାକୁ ପୁଣି ପ୍ରବଳ ବର୍ଷାର ଭୟ । ଗଞ୍ଜାମ, ଗଜପତିରେ ୨ ତାରିଖ ଦିନ ପ୍ରବଳ ବର୍ଷା ସମ୍ଭାବନା ରହିଛି । ୪ ତାରିଖ ପର୍ଯ୍ୟନ୍ତ ଦକ୍ଷିଣ ଓଡ଼ିଶାରେ ବର୍ଷା ସମ୍ଭାବନା ।

ବାତ୍ୟାକୁ ନେଇ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି, ନିଖୋଜ ଲୋକଙ୍କ ଉଦ୍ଧାର କାମ ଚାଲିଛି । ମନ୍ତ୍ରୀ ବିଭୂତି ଜେନା ଘଟଣାସ୍ଥଳରେ ଉପସ୍ଥିତ ଅଛନ୍ତି । NDRF, ODRAF, ଅଗ୍ନିଶମ ବାହିନୀ ସହ ରେଳ ବିଭାଗର ବିଶେଷଜ୍ଞ ଟିମ୍ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି । କାଦୁଅପଙ୍କ, ଗମନଗମନରେ ସମସ୍ୟା ଯୋଗୁ ଉଦ୍ଧାର କାର୍ଯ୍ୟ ବାଧାପ୍ରାପ୍ତ ହେଉଛି । ସେନ୍ସର ମେସିନ୍ ମାଧ୍ୟମରେ ନିଖୋଜ ଲୋକଙ୍କୁ ଖୋଜିବା କାର୍ଯ୍ୟ ଚାଲିଛି । ଉଦ୍ଧାର କାର୍ଯ୍ୟ ଚ୍ୟାଲେଞ୍ଜିଂ ହୋଇଛି । ଗୋଟିଏ ମୃତଦେହ ମିଳିଛି । ପରିଚୟ ଖୋଜା ଚାଲିଛି ।

ଆଗକୁ ଆସୁଥିବା ବାତ୍ୟା ମୁରାସୁକୁ ନେଇ ସରକାର ସଜାଗ ଅଛନ୍ତି । ପାହାଡ଼ ତଳିଆ ଜନବସତି ଲୋକଙ୍କୁ ସ୍ଥାନାନ୍ତର କରାଯିବ । ନିରାପଦ ସ୍ଥାନକୁ ନିଆଯିବ । ପାହାଡ଼ ଓଦା ଥିବା କାରଣରୁ ଆସୁଥିବା ବାତ୍ୟା ପୂର୍ବରୁ ଲୋକଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର କାମ କରାଯିବ । ଭଗବାନଙ୍କ କୃପାରୁ ସମସ୍ତେ ସୁରକ୍ଷିତ ଥାଆନ୍ତୁ । ଋଷିକୁଲ୍ୟା ନଦୀରେ ବିଭିନ୍ନ ସ୍ଥାନରେ ଘାଇ ସୃଷ୍ଟି ହୋଇଛି । ଜଳ ସମ୍ପଦ ଓ ପୂର୍ତ୍ତ ବିଭାଗ ସହଯୋଗରେ କାମ ଚାଲିଛି । ଅଗ୍ନିଶମ ଡିଜି ଘଟଣାସ୍ଥଳକୁ ଯାଉଛନ୍ତି । ଆମ ପାଇଁ ଜୀବନ ସବୁଠାରୁ ମୂଲ୍ୟବାନ । କ୍ଷୟକ୍ଷତି ପୂରଣ ପାଇଁ ଟଙ୍କାର ଅଭାବ ନାହିଁ । ଆମ ପାଖରେ ପର୍ଯ୍ୟାପ୍ତ କେନ୍ଦ୍ରୀୟ ଅର୍ଥ ମହଜୁଦ ଅଛି । ଆବଶ୍ୟକ ପଡ଼ିଲେ କେନ୍ଦ୍ର ଅର୍ଥ ଯୋଗେଇ ଦେବ ।

Also Read:- ମୁରାସୁ ବାତ୍ୟା ପାଇଁ ରାଜ୍ୟ ସରକାରଙ୍କ ମହାପ୍ରସ୍ତୁତି, ଗଜପତିରେ ଚିହ୍ନଟ ହେଲା ୧୫୦ ଲ୍ୟାଣ୍ଡସ୍ଲାଇଡ ସ୍ପଷ୍ଟ ଚିହ୍ନଟ

ମୁରାସୁ ପାଇ ଆମେ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛୁ । କେନ୍ଦ୍ରୀୟ ଟିମ୍ ୨ ତାରିଖରେ ଆସିବାର ଥିଲା । ହେଲେ ଆଉ ଗୋଟେ ବାତ୍ୟା ଆସୁଥିବାରୁ କେନ୍ଦ୍ରୀୟ ଟିମ୍ ଓଡ଼ିଶା ଆସିବାକୁ ୪ରୁ ୫ ଦିନ ବିଳମ୍ବ ହେବ । କ୍ଷତି ପୂରଣ ଆକଳନ କରି ରିପୋର୍ଟ ଦିଆଯିବ । ଆଜି ଦକ୍ଷିଣ ଓଡ଼ିଶା ବାତ୍ୟା କ୍ଷୟକ୍ଷତି ନେଇ ଆର୍ଥିକ ପ୍ୟାକେଜ ମୁଖ୍ୟମନ୍ତ୍ରୀ ଘୋଷଣା କରିବେ ବୋଲି ସୁରେଶ ପୂଜାରୀ ସୂଚନା ଦେଇଛନ୍ତି ।