ଭୁବନେଶ୍ବର ୨୯।୬: ସମବାୟ ସମିତିଗୁଡ଼ିକ ଦ୍ୱାରା ସାର ବଣ୍ଟନକୁ ପ୍ରୋତ୍ସାହିତ କରିବା ପାଇଁ ରାଜ୍ୟ ସରକାର ବଡ଼ ପଦକ୍ଷେପ ନେଇଛନ୍ତି । ୪୨ କୋଟି ଟଙ୍କାର ସୁଧ ରିହାତି ଯୋଜନାକୁ ମଞ୍ଜୁର କରିଛନ୍ତି ରାଜ୍ୟ ସରକାର । ରାଜ୍ୟର ଚାଷୀମାନଙ୍କୁ ସଠିକ୍ ସମୟରେ ସାର ଉପଲବ୍ଧ କରାଇବା ଏବଂ ସେମାନଙ୍କୁ କଳାବଜାରୀରୁ ରକ୍ଷା କରିବା ପାଇଁ ଏହା ଏକ ବଡ଼ ପଦକ୍ଷେପ । ସମବାୟ ବିଭାଗ ଦ୍ୱାରା ଏକ ନୂତନ ଯୋଜନାର କାର୍ଯ୍ୟକାରିତାକୁ ରାଜ୍ୟ ସରକାର ଅନୁମୋଦନ କରିଛନ୍ତି । ଯାହା ଚାଷୀମାନଙ୍କୁ ସାର ବଣ୍ଟନ ପ୍ରକ୍ରିୟାକୁ ସହଜ ଓ ସୁଗମ କରିବ। ସମବାୟ ବିଭାଗର କମିଶନର-ତଥା-ସଚିବଙ୍କ ଅଧ୍ୟକ୍ଷତାରେ ଗଠିତ ସ୍ଥାୟୀ ଆର୍ଥିକ କମିଟି (SFC) ର ସୁପାରିଶ ଆଧାରରେ ଏହି ନିଷ୍ପତ୍ତି ନିଆଯାଇଛି ।

ଏହି ନୂତନ ଯୋଜନାର ନାମ ହେଉଛି, "ସାରର ପୂର୍ବ-ମହଜୁଦ (ପ୍ରି-ପୋଜିସନିଂ) ପାଇଁ କ୍ୟାଶ୍ କ୍ରେଡିଟ୍ ଋଣ ଉପରେ ସୁଦ୍ଧ ରିହାତି।" ଅର୍ଥ ବିଭାଗ ଚଳିତ ଆର୍ଥିକ ବର୍ଷରୁ ଏହି ଯୋଜନାର କାର୍ଯ୍ୟକାରିତା ପାଇଁ ଅନୁମୋଦନ ପ୍ରଦାନ କରିସାରିଛି । ଏହି ଯୋଜନା ସମବାୟ ସମିତିଗୁଡ଼ିକର (PACS/LAMPCS) ଏକ ପ୍ରମୁଖ ଆର୍ଥିକ ସମସ୍ୟାର ସମାଧାନ କରିବ । ସାଧାରଣତଃ ଚାଷ ସମୟ ପୂର୍ବରୁ (ଅଗ୍ରୀମ ଭାବେ) ସାର ଆଣି ମହଜୁଦ ରଖିବା ଯୋଗୁଁ ସମିତିଗୁଡ଼ିକ ଉପରେ ମାତ୍ରାଧିକ ସୁଦ୍ଧ ବୋଝ ପଡ଼ିଥାଏ । କ୍ୟାଶ୍ କ୍ରେଡିଟ୍ (CC) ଋଣ ଉପରେ ୧୦୦% ସୁଦ୍ଧ ରିହାତି ପ୍ରଦାନ କରି ରାଜ୍ୟ ସରକାର ଏହି ଆର୍ଥିକ ବାଧାକୁ ଦୂର କରୁଛନ୍ତି, ଯାହାଦ୍ୱାରା ସମବାୟ ସମିତିଗୁଡ଼ିକ ପାଇଁ ସାରର ଅଗ୍ରୀମ ମହଜୁଦ ପ୍ରକ୍ରିୟା ସମ୍ପୂର୍ଣ୍ଣ ସୁଦ୍ଧ-ମୁକ୍ତ ହୋଇପାରିବ।

ଯୋଜନାର ମୁଖ୍ୟ ବୈଶିଷ୍ଟ୍ୟ:

୬୦% ବଜାର ଅଂଶଧନ ହାସଲ ଲକ୍ଷ୍ୟ: ବେସରକାରୀ ଚ୍ୟାନେଲ ଦ୍ୱାରା ହେଉଥିବା ସାରର ବେଆଇନ ଚୋରା ଚାଲାଣକୁ ରୋକିବା ପାଇଁ, ସମବାୟ କ୍ଷେତ୍ର ମାଧ୍ୟମରେ ସାର ବଣ୍ଟନ ପରିମାଣକୁ ବର୍ତ୍ତମାନର ୨୫-୩୦%ରୁ ବୃଦ୍ଧି କରି ଖରିଫ ୨୦୨୬ରୁ ୬୦%କୁ ପହଞ୍ଚାଇବା ପାଇଁ ଲକ୍ଷ୍ୟ ରଖାଯାଇଛି ।

ଆର୍ଥିକ ବ୍ୟୟବରାଦ: ପାଞ୍ଚ ବର୍ଷ ଅବଧି (୨୦୨୬-୨୭ ରୁ ୨୦୩୦-୩୧) ପାଇଁ ସର୍ବମୋଟ ୪୨.୦୦ କୋଟି ଟଙ୍କାର ବଜେଟ୍ ମଞ୍ଜୁର କରାଯାଇଛି । ଯେଉଁଥିରେ ଚଳିତ ଆର୍ଥିକ ବର୍ଷ ପାଇଁ ପ୍ରାରମ୍ଭିକ ଭାବେ ୫.୦୦ କୋଟି ଟଙ୍କା ଆବଣ୍ଟନ କରାଯାଇଛି।

ବ୍ୟାପକ ସାଂସ୍ଥାନିକ ପରିସର: ରାଜ୍ୟର ପ୍ରାୟ ୨,୭୦୦ ପ୍ରାଥମିକ କୃଷି ସମବାୟ ସମିତି (PACS/LAMPCS)କୁ ଏହି ଯୋଜନାରେ ସାମିଲ କରାଯିବ । ସେମାନଙ୍କର ଆବଶ୍ୟକତା ଆଧାରରେ କ୍ୟାଶ୍ କ୍ରେଡିଟ୍ (CC) ସୀମା ପ୍ରଦାନ କରାଯିବ ।

ଡିଜିଟାଲ୍ ପେମେଣ୍ଟକୁ ପ୍ରୋତ୍ସାହନ: ସାର ବିକ୍ରୟ ସମୟରେ ସ୍ୱଚ୍ଛତା ବଜାୟ ରଖିବା ପାଇଁ ସରକାରଙ୍କ ପକ୍ଷରୁ କ୍ୟୁଆର୍ କୋଡ୍ (QR Code) ମାଧ୍ୟମରେ କାରବାର କରିବାକୁ ସକ୍ରିୟ ଭାବେ ପ୍ରୋତ୍ସାହିତ କରାଯିବ।

ସାର କାରବାରକୁ ଆଧୁନିକୀକରଣ କରି, ଏହି ଚାଷୀ-ଅନୁକୂଳ ପଦକ୍ଷେପ ଓଡ଼ିଶାର କୃଷକମାନଙ୍କ ନିକଟରେ ସରକାରଙ୍କ ଦ୍ୱାରା ନିର୍ଦ୍ଧାରିତ ମୂଲ୍ୟରେ ଏବଂ ସଠିକ୍ ସମୟରେ ସାର ପହଞ୍ଚାଇବା ନିଶ୍ଚିତ କରିବ।