ଭୁବନେଶ୍ଵର: ବନ୍ୟା ପରିଚାଳନାକୁ ନେଇ ଆଲେଖ୍ୟ ମାଧ୍ୟମରେ ସରକାରକୁ ଘେରିଛନ୍ତି ବିଜେଡି ନେତ୍ରୀ ସୁଜାତା ରାଉତ । ଏଥିରେ ସେ ପୂର୍ବ ସରକାରଙ୍କ ସଫଳତା ସହ ବର୍ତ୍ତମାନର ସରକାରଙ୍କ ବିଫଳତାକୁ ଦର୍ଶାଇଛନ୍ତି । ଏମିତି କି ସରକାରଙ୍କ ଭୁଲ ପରିଚାଳନା ପାଇଁ ସାଧାରଣ ଜନତା ହଇରାଣ ହେଉଥିବା କହିଛନ୍ତି ସୁଜାତା । ଏହି ପ୍ରସଙ୍ଗରେ ବିଜେଡି ଓ ବିଜେପି ନେତା ମୁହାଁମୁହିଁ ହୋଇଥିବା ବେଳେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ କହିଛନ୍ତି ବନ୍ୟା ପରିଚାଳନାରେ ସରକାର କେଉଁ ଜାଗାରେ ବିଫଳ ହେଲେ ତଥ୍ୟ ସହିତ ତା’ର ପ୍ରମାଣ ଦିଅନ୍ତୁ । କେବଳ ରାଜନୈତିକ ଉଦ୍ଦେଶ୍ୟ ରଖି ଏମିତି ଗପ କହିଲେ କେହି ଶୁଣିବେ ନାହିଁ ।

ବନ୍ୟା ପରିଚାଳନାକୁ ନେଇ ସରକାରଙ୍କୁ ପୁଣି ଟାର୍ଗେଟ୍ କଲା ବିଜେଡି । ଖବର କାଗଜରେ ଏକ ଆଲେଖ୍ୟ ମାଧ୍ୟମରେ ବିଜେପି ସରକାରଙ୍କୁ ନିଶାନା ସାଧିଛନ୍ତି ବିଜେଡି ନେତ୍ରୀ ସୁଜାତା ରାଉତ । ବନ୍ୟା ପରିଚାଳନାକୁ ନେଇ ପୂର୍ବ ସରକାର ଏବଂ ବର୍ତ୍ତମାନର ସରକାରଙ୍କ ଭିତରେ ଏକ ତୁଳନାତ୍ମକ ଲେଖା ଛାଡ଼ିଛନ୍ତି ସୁଜାତା । ଯାହାକୁ ନେଇ ତେଜିଛି ରାଜ୍ୟ ରାଜନୀତି । ଓଡ଼ିଶା ଏକ ବିପର୍ଯ୍ୟୟ ପ୍ରବଣ ରାଜ୍ୟ । ଚଳିତ ବର୍ଷ ମଧ୍ୟ ଗୋଟିଏ ପରେ ଗୋଟିଏ ବନ୍ୟା ଆସୁଛି । ଏହାରି ଭିତରେ ଏକ ଖବର କାଗଜରେ ବିଜେଡି ନେତ୍ରୀ ସୁଜାତା ରାଉତଙ୍କ ଆଲେଖ୍ୟକୁ ନେଇ ଜୋର ଧରିଛି ଚର୍ଚ୍ଚା ।

Also Read: ସରକାରଙ୍କ ପଞ୍ଚାୟତ ଦଖଲ ପ୍ଲାନ, ଗାଁର ବିକାଶ ପାଇଁ ହାତ ଖୋଲି ଦେଲେ ସରକାର

ସୁଜାତା ଲେଖିଛନ୍ତି ଯେ, ଚଳିତ ବର୍ଷ ରାଜ୍ୟରେ ମଧ୍ୟମ ଧରଣର ବନ୍ୟା ସୃଷ୍ଟି ହୋଇଛି । ହେଲେ ବନ୍ୟା ପରିଚାଳନାରେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ 'ନବୀନ ବାବୁଙ୍କୁ ଇନ୍ଦ୍ରଙ୍କ ଫୋନ୍ ନମ୍ବର ମାଗିବା ପ୍ରସଙ୍ଗ ସରକାରଙ୍କର ବନ୍ୟା ମୁକାବିଲାରେ ଦୁର୍ବଳତାକୁ ସାମ୍ନାକୁ ଆଣୁଛି । ଏହାସହ ଚଳିତ ବର୍ଷ ମୁଣ୍ଡଳୀଠାରେ ୯ ଲକ୍ଷ କ୍ୟୁସେକରୁ କମ୍ ଜଳ ପ୍ରବାହ ରେକର୍ଡ ହୋଇଛି। ମାତ୍ର ୨୦୦୮ରେ ମୁଣ୍ଡଳୀରେ, ୧୫.୮୧ ଲକ୍ଷ କ୍ୟୁସେକ୍ ଜଳ, ୨୦୦୧ରେ ୧୪.୪୧ ଲକ୍ଷ କ୍ୟୁସେକ୍, ୨୦୧୧ରେ ୧୩.୬୬ ଲକ୍ଷ କ୍ୟୁସେକ୍ ଏବଂ ୨୦୧୭ ଓ ୨୦୨୨ରେ ୧୨ ଲକ୍ଷ କ୍ୟୁସେକରୁ ଊର୍ଦ୍ଧ୍ବ ଜଳ ପ୍ରବାହ ହୋଇଛି । ଯାହା ତୁଳନାରେ ଚଳିତ ବନ୍ୟାର ପରିମାଣ ବହୁତ କମ ।

ସବୁ ବ୍ୟବସ୍ଥା ପୂର୍ବ ପରି ଥାଇ ମଧ୍ୟ ସରକାର କାହିଁକି ବନ୍ୟା ପରିଚାଳନା ପାଇଁ କରି ପାରୁ ନାହାନ୍ତି, ଏହାର କାରଣ କହିବାକୁ ଯାଇ ସୁଜାତା କହିଛନ୍ତି, ସେତେବେଳେ ପୂରା ସରକାର ଗୋଟିଏ ଟିମ୍ ଭାବରେ କାମ କରୁଥିଲା। ହେଲେ ଯେତେବେଳେ ନେତୃତ୍ବ ବିଭାଜିତ ହୁଏ, ସେତେବେଳେ ସମଗ୍ର ପ୍ରଶାସନିକ କଳ କ୍ଷତିଗ୍ରସ୍ତ ହୁଏ । ଶେଷରେ ଲୋକଙ୍କୁ ହିଁ ଏହାର ମୂଲ୍ୟ ଦେବାକୁ ପଡ଼ିଥାଏ କହି ବିଜେପି ସରକାରଙ୍କୁ ଆକ୍ଷେପ କରିଛନ୍ତି ସୁଜାତା । ସୁଜାତାଙ୍କ ସମର୍ଥନରେ ବାହାରିଛନ୍ତି ବିଜେଡି ବିଧାୟକ ସାରଦା ଜେନା ।

Also Read: MMDR ବିଲ୍‌କୁ ନେଇ ବିଜେଡିର ଆପତ୍ତି, ନବୀନ କହିଲେ- ଆମ ଅଧିକାର ଛଡ଼ାଇ ନିଆଯାଇଛି

ବିଜେଡି ନେତ୍ରୀ ସୁଜାତା ରାଉତଙ୍କ ଏଭଳି ନିଶାନାର ଦୃଢ଼ ଜବାବ ଦେଇଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ । ମନମୋହନ କହିଛନ୍ତି, ସେ ଏବେ ଗପ କହିଲେ କେହି ଶୁଣିବେ ନାହିଁ । ଏହା କେବଳ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ। ବନ୍ୟାକୁ ନେଇ ରାଜନୀତି କରିବା ଠିକ୍ ନୁହେଁ। ଯିଏ ଅଭିଯୋଗ କରିଛନ୍ତି ତାର ସ୍ପଷ୍ଟ ଭାବେ ପ୍ରମାଣ ଦିଅନ୍ତୁ । ବନ୍ୟା ପରିଚାଳନା କେଉଁ ଜାଗାରେ ସରକାର ବିଫଳ ହେଲେ ତାକୁ ନିର୍ଦ୍ଧିଷ୍ଟ ଭାବେ ତଥ୍ୟ ପ୍ରମାଣ ସହ କହିବାକୁ ପଡିବ ବୋଲି କହିଛନ୍ତି ମନମୋହନ । ବିପର୍ଯ୍ୟୟ ପରିଚାଳନାକୁ ନେଇ ଓଡ଼ିଶା ବିଶ୍ବସ୍ତରରେ ପ୍ରଶଂସିତ ହୋଇଥିବା ବେଳେ ଏବେ ବନ୍ୟା ପରିଚାଳନାକୁ ନେଇ ବିଜେଡି-ବିଜେପି ଭିତରେ ତୁ ତୁ ମେଁ ମେଁ ଜୋର୍ ଧରିଛି । ଆଉ ଏହାକୁ ନେଇ ତେଜିଛି ରାଜନୈତିକ ବୟାନବାଜି ।