ଭୁବନେଶ୍ଵର: ସରକାର କିଣିଲେନି ଧାନ। ଶେଷରେ ଛତିଶଗଡ ଗଲା ଓଡିଶା ଚାଷୀଙ୍କ ଧାନ । କିଣ୍ଟାଲ ପିଛା ୩୧୦୦ ନୁହେଁ ବରଂ ଅଧା ଦାମରେ ୧୬ଶହ ଟଙ୍କାରେ ଦଲାଲ ହାତକୁ ନିଜ ଝାଳବୁହା ଧାନକୁ ଟେକି ଦେଲେ। ସରକାର ଧାନ କିଣିବା ପାଇଁ ହାତ ଟେକି ଦେବା ପରେ ହୀରାକୁଦ ବୁଡ଼ି ଅଞ୍ଚଳର ଚାଷୀ ଏଭଳି ଅବସ୍ଥା ଦେଇ ଗତି କରିଛନ୍ତି। ସେପଟେ ଖାଦ୍ୟ ଯୋଗାଣ ମନ୍ତ୍ରୀ କହିଛନ୍ତି ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଗତ ବର୍ଷ ଧାନ କିଣାଯାଇଥିଲା, ଏଥର ମୁଖ୍ୟମନ୍ତ୍ରୀ ସ୍ବତନ୍ତ୍ର ନିର୍ଦ୍ଦେଶ ଦେଲେ ଧାନ କିଣାଯିବ |

ବୁଡି ଅଞ୍ଚଳ ଚାଷୀଙ୍କ ଅମଳ ଧାନ ଗଲା ଛତିଶଗଡ଼ ଦଲାଲଙ୍କ ପାଖକୁ । ସମ୍ବଲପୁର ବସନ୍ତପୁର ଓ ଝାରସୁଗୁ଼ଡା ଲଖନପୁର ଜଳଭଣ୍ଡାର ଜମିରେ ହୋଇଥିବା ଧାନ କିଣିବେ ନାହିଁ ବୋଲି ସରକାର ଜଣାଇବା ପରେ ଶେଷରେ ଛତିଶଗଡ ଦଲାଲ ହାତରେ ଧାନ ଟେକି ଦେଲେ ଚାଷୀ। ଝାରସୁଗୁଡା ଲଖନପୁର ବ୍ଲକ ଧୁଲୁଣ୍ଡା ଗାଁରେ ୧୫ଶହ ଏକର ଚାଷ ହୋଇଥିବା ବେଳେ ଜଣେ ବି ଚାଷୀଙ୍କ ଧାନ ବିକ୍ରି ପାଇଁ ରେଜିଷ୍ଟ୍ରେସନ ହୋଇପାରିଲାନି । ସାରା ବ୍ଲକରେ ୬୪୪ ଚାଷୀ ଧାନ ବିକ୍ରିରୁ ବଂଚିତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୩୦ ଚାଷୀ ନିଜ ଧାନ ଛତିଶଗ଼ଡ ଦଲାଲଙ୍କୁ କ୍ବିଣ୍ଟାଲ ପିଛା ୧୬ଶହ ଟଂକାରେ ଦେଇସାରିଲେଣି। ଯେଉଁମାନଙ୍କର ଧାନ ପଡ଼ି ରହିଛି ସେମାନଙ୍କ ଧାନ କିଣିବା ପାଇଁ ସରକାରଙ୍କୁ ଅନୁରୋଧ କରିଛନ୍ତି।

Also Read: ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ମୋଦୀ, ସରକାରଙ୍କ ୨ ବର୍ଷ ପୂର୍ତ୍ତି ଉତ୍ସବରେ ହେବେ ସାମିଲ୍

୧୯୫୬ରେ ହୀରାକୁଦ ବନ୍ଧ ନିର୍ମାଣ ସମୟରେ ନିଜ ଘର-ଜମି-ବାଡ଼ି ହରାଇଥିଲେ ଏଠାକର ଲୋକେ। ତେବେ ସେମାନେ ଦେଇଥିବା ଜମି ବ୍ୟବହାର ହୋଇନଥିବାରୁ ବଂଶାନୁକ୍ରମିକ ସେହି ଜମିରେ ଚାଷ କରୁଥିଲେ ଚାଷୀ। ୨୦୧୯ରୁ ସରକାରୀ ମଣ୍ଡିରେ ସେମାନେ ଧାନ ବି ବିକ୍ରି କରୁଥିଲେ। ଚଳିତ ଥର ପ୍ରଥମ କରି ସରକାର ଧାନ ନେବେ ନାହିଁ ବୋଲି ଶୁଣାଇ ଦେବା ପରେ ଚାଷୀଙ୍କ ଟେନସନ ବଢ଼ିଯାଇଛି। ବନ୍ଧ ନିର୍ମାଣ ସମୟରେ ହୀରାକୁଦ ଜଳ ପରିଚାଳନା ନେଇ ହୋଇଥିବା ମାର୍ଗ ଦର୍ଶିକାରେ ବିସ୍ଥାପିତ ନିଜ ନିଜ ଜମିରେ ଚାଷ କରିପାରିବେ ବୋଲି କୁହାଯାଇଥିବା କହିଛନ୍ତି ଚାଷୀ ।

ଲଖନପୁର ବ୍ଲକର ୬୪୪ ଚାଷୀ ଏମିତି ହଇରାଣ ହୋଇ ଅମଳ ଧାନ ୧୬ଶହ ଟଙ୍କାରେ ଛତିଶଗଡ଼ ଦଲାଲଙ୍କୁ ବିକିଛନ୍ତି। ଯାହାକୁ ନେଇ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ପ୍ରତିକ୍ରିୟା ରଖିଛନ୍ତି ସେ କହିଛନ୍ତି ଜମି ମାଲିକଙ୍କ ପାଖରେ ପଟ୍ଟା ନଥିବାରୁ ସେମାନଙ୍କ ଧାନ କିଣାଯାଉନି। ଗତ ବର୍ଷ ଧାନ କିଣାଯାଇଥିଲା। ଯଦି ମୁଖ୍ୟମନ୍ତ୍ରୀ ସ୍ବତନ୍ତ୍ର ନିର୍ଦ୍ଦେଶ ଦେବେ ତେବେ ଧାନ କିଣିବାର ସମ୍ଭାବନା ଅଛି ବୋଲି ସେ କହିଛନ୍ତି |

Also Read: ଚଳନ୍ତା କାର୍ରୁ ବାହାରିଗଲା ଚକ, ପୋଲ ତଳକୁ ଖସିଗଲା ଗାଡ଼ି ଚାଲିଗଲା ୨ ଜଣଙ୍କ ଜୀବନ