ନବରଙ୍ଗପୁର ୨୮।୧୨ : ଦିନେ ପଡ଼ୋଶୀ ଜିଲ୍ଲାରୁ ପରିବା ଆମଦାନି ହେଉଥିଲା। ଏବେ ନବରଙ୍ଗପୁର ଜିଲ୍ଲାର ଚାଷୀଙ୍କ ପରିବା ଦୁବାଇ ପଠାଯାଇଛି। ଉମରକୋଟ ଓ ରାଇଘର ବ୍ଲକ୍ ଅଞ୍ଚଳର ୫ଜଣ ଚାଷୀ ୧ ହଜାର କେଜିର ବିଭିନ୍ନ ପରିବା ପଠାଇଛନ୍ତି। ସେମାନେ ହେଲେ ଉମରକୋଟ ବ୍ଲକର ବଡ଼କୁମାରୀ ଗାଁର ଚାଷୀ ସୁଜିତ ଦାସ, ସତ୍ୟଜିତ ଦାସ, ସଞ୍ଜୟ ରାୟ, ପିଣ୍ଟୁ ସର୍କାର, ରାଇଘର ବ୍ଲକ୍ ସର୍ଗୁଲିର ବିଜୟ ହାଲଦାର ପ୍ରମୁଖ। ଏଥର ସଫଳ ରପ୍ତାନୀ ଓ ଉଚିତ ଦର ପାଇଁ ପରୀକ୍ଷାମୂଳକ ଭାବେ ପଠାଇଥିବା କହିଛନ୍ତି । ସେଥିରେ ରହିଛି କୁନ୍ଦୁରି ୨୦୦ କେଜି, ଛୋଟଆଳୁ ୧୬୦ କେଜି, ପୋଟଳ ୧୬୦ କେଜି, ରସୁଣ ୨୦୦ କେଜି, ବିନ୍ସ ୧୬୦ କେଜି, ଅମୃତ ଭଣ୍ଡା ୧୨୦ କେଜି।

ଗତ ବୁଧବାର ମୋଟ ହଜାରେ କେଜି ତଟକା ପରିବା ଜିଲ୍ଲାରୁ ଭୁବନେଶ୍ୱର ଯାଇଥିଲା। ସେଠାରୁ କାର୍ଗୋ ଫ୍ଲାଇଟରେ ଦୁବାଇ ପଠାଯାଇଛି। ଉଦ୍ୟାନ ବିଭାଗର ଉପନିର୍ଦ୍ଦେଶକ ଶୁଭେନ୍ଦୁ ବିଶ୍ୱାସ କହିଛନ୍ତି, ରାଜ୍ୟ ଉଦ୍ୟାନ କୃଷି ବିଭାଗ ଗେଟ୍ସ ଫାଉଣ୍ଡେସନ ସହାୟତାରେ ଚାଷୀଙ୍କ ଉତ୍ପାଦିତ ପରିବା ଅନ୍ତର୍ଜାତୀୟ ବଜାରରେ ପହଞ୍ଚାଇବା ପାଇଁ ଏଗ୍ରିବିଜିନେସ୍ ଷ୍ଟାର୍ଟଅପ୍ ଭିଲା ମାର୍ଟ ପ୍ରାଇଭେଟ ଲିଃକୁ ଦାୟିତ୍ୱ ଦିଆଯାଇଛି । ଚାଷୀଙ୍କ ଉତ୍ପାଦିତ ପରିବା ଦୁବାଇ ପଠାଯିବା ପରେ ସେମାନେ ବେଶ୍ ଉତ୍ସାହିତ ରହିଛନ୍ତି । କାରଣ ସେମାନଙ୍କ ପରିବା ଦାମ୍ ଦୁବାଇରେ ୨ରୁ ୩ ଗୁଣା ଦାମରେ ବିକ୍ରି କରିବାର ସୁଯୋଗ ପାଇଛନ୍ତି । ଏହି କାରବାର ଠିକ୍ ଚାଲିଲେ ପରିବା ନିୟମିତ ବିଦେଶକୁ ରପ୍ତାନୀ ହେଲେ ଆଗକୁ ଅଧିକରୁ ଅଧିକ ଚାଷୀଙ୍କୁ ସାମିଲ କରି ଉତ୍ପାଦନ ବୃଦ୍ଧି କରାଯିବ। ଜିଲ୍ଲାର ଉମରକୋଟ, ରାଇଘର ଓ ଝରିଗାଁ ଅଞ୍ଚଳରେ ଅଗ୍ରଣୀ ଚାଷୀ ରହିଛନ୍ତି। ବହୁ ଚାଷୀ ଅତ୍ୟାଧୁନିକ ପଦ୍ଧତିକୁ ପ୍ରୟୋଗ କରି ବିଭିନ୍ନ ପ୍ରକାର ଚାଷକୁ ପରୀକ୍ଷାମୂଳକ କରିଥିଲେ । ସଫଳତା ମିଳିବା ପରେ ସେମାନେ ଆଉ ପଛକୁ ଫେରି ଦେଖୁନାହାନ୍ତି । ଜିଲ୍ଲାରେ ଏକର ଏକର ଜମିରେ ବିଭିନ୍ନ ଚାଷ କରି ଚାଷୀମାନେ ସ୍ୱାବଲମ୍ବୀ ହୋଇଛନ୍ତି । ଜିଲ୍ଲାରେ ପ୍ରାୟ ୬ ହଜାର ହେକ୍ଟର ଜମିରେ ପନିପରିବା ଚାଷ ହେଉଛି । ସରକାରଙ୍କ ବିଭିନ୍ନ ଯୋଜନାର ସୁଫଳ ସେମାନେ ଉଠାଇଛନ୍ତି । ବିଶେଷକରି ରାଇଘର, ଉମରକୋଟ ଓ ଝରିଗାଁର ଚାଷୀ ବୁନ୍ଦା ଜଳସେଚନ, ଗଭୀର ନଳକୂଅ ସମେତ ବିଭିନ୍ନ ସରକାରୀ ଯୋଜନା ସଫଳତା ହାସଲ କରି ଅଗ୍ରଣୀ ଚାଷୀ ଭାବେ ଆଗେଇଛନ୍ତି । ଅନ୍ୟପକ୍ଷରେ ଏହା ପୂର୍ବରୁ ଜିଲ୍ଲାର ପରିବା ଭୁବନେଶ୍ୱର, ଛତିଶଗଡ଼, ବ୍ରହ୍ମପୁର ଆଦି ଅଞ୍ଚଳକୁ ପଠାଉଥିବା ଚାଷୀମାନେ କହିଛନ୍ତି ।