ଭୁବନେଶ୍ୱର: ଭୁବନେଶ୍ୱରରେ ଆରମ୍ଭ ହୋଇଛି ୧୩ତମ ବ୍ରିକ୍ସ ଶିକ୍ଷାମନ୍ତ୍ରୀ ସମ୍ମିଳନୀ। ଭାରତ ବ୍ରିକ୍ସର ଅଧ୍ୟକ୍ଷତା କରୁଥିବା ବେଳେ ଏହି ସମ୍ମିଳନୀରେ ସଦସ୍ୟ ଦେଶମାନଙ୍କ ଶିକ୍ଷାମନ୍ତ୍ରୀ ଓ ପ୍ରତିନିଧିମାନେ ଯୋଗ ଦେଇଛନ୍ତି। ସମ୍ମିଳନୀକୁ ଉଦ୍ଘାଟନ କରି କେନ୍ଦ୍ର ଶିକ୍ଷାମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଶିକ୍ଷା କ୍ଷେତ୍ରରେ ସହଯୋଗ, ନବସୃଜନ ଓ ସ୍ଥାୟୀ ବିକାଶ ଉପରେ ଗୁରୁତ୍ୱାରୋପ କରିଛନ୍ତି।

ବ୍ରିକ୍ସ ଦେଶ ସମୂହର ପ୍ରତିନିଧି ଏବଂ ଶିକ୍ଷାମନ୍ତ୍ରୀମାନଙ୍କୁ ସ୍ୱାଗତ କରି କେନ୍ଦ୍ର ଶିକ୍ଷାମନ୍ତ୍ରୀ ପ୍ରହ୍ଲାଦ ଯୋଶୀ କହିଛନ୍ତି, ଭାରତର ମନ୍ଦିର ନଗରୀ ଭୁବନେଶ୍ୱର ଓ ଐତିହାସିକ ରାଜ୍ୟ ଓଡ଼ିଶାକୁ ସମସ୍ତଙ୍କୁ ସ୍ୱାଗତ। ଓଡ଼ିଶା ପ୍ରାଚୀନ ଶିକ୍ଷା, ସମୃଦ୍ଧ ସଂସ୍କୃତି ଓ ସଭ୍ୟତାର ଏକ ଅନନ୍ୟ କେନ୍ଦ୍ର ବୋଲି ସେ କହିଛନ୍ତି।

'ଅତିଥି ଦେବୋ ଭବ' ଭାରତର ପ୍ରାଚୀନ ପରମ୍ପରାକୁ ଉଲ୍ଲେଖ କରି ସେ କହିଛନ୍ତି, ଭାରତ ସର୍ବଦା ନିଜ ଅତିଥିଙ୍କୁ ସର୍ବୋଚ୍ଚ ସମ୍ମାନ ପ୍ରଦାନ କରିଆସିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଶିକ୍ଷାକୁ ସମସ୍ତଙ୍କ ପାଖରେ ପହଞ୍ଚାଇବାର ସଂକଳ୍ପକୁ ସାକାର କରିବା ଦିଗରେ ଏହି ସମ୍ମିଳନୀ ଗୁରୁତ୍ୱପୂର୍ଣ୍ଣ ବୋଲି ସେ କହିଛନ୍ତି।

ସମ୍ମିଳନୀରେ ଭବିଷ୍ୟତର ଶିକ୍ଷା ବ୍ୟବସ୍ଥା, ଗବେଷଣା, ଦକ୍ଷତା ବିକାଶ ଓ ଯୁବପିଢ଼ିଙ୍କ ପାଇଁ ନୂଆ ସୁଯୋଗ ସୃଷ୍ଟି ନେଇ ବିସ୍ତୃତ ଆଲୋଚନା ହେଉଛି। ସଦସ୍ୟ ଦେଶମାନେ ନିଜ ନିଜର ଅଭିଜ୍ଞତା, ଜ୍ଞାନ ଓ ସଫଳ ମଡେଲ୍ ବାଣ୍ଟି ପରସ୍ପର ସହଯୋଗକୁ ଆହୁରି ମଜବୁତ କରିବା ଉପରେ ଜୋର ଦେଇଛନ୍ତି।

ଭାରତର ଅଧ୍ୟକ୍ଷତାର ମୂଳ ବିଷୟ"ସହଯୋଗ ଓ ସ୍ଥାୟୀତ୍ୱ ପାଇଁ ସ୍ଥିରତା ଏବଂ ନବସୃଜନର ବିକାଶ"ଉପରେ ମଧ୍ୟ ପ୍ରହ୍ଲାଦ ଯୋଶୀ ବିଶେଷ ଆଲୋକପାତ କରିଛନ୍ତି। ମହାମାରୀ, ଜଳବାୟୁ ପରିବର୍ତ୍ତନ ଓ ଦ୍ରୁତ ବଦଳୁଥିବା ପ୍ରଯୁକ୍ତି ଭଳି ଚ୍ୟାଲେଞ୍ଜକୁ ମୁକାବିଲା ପାଇଁ ଶିକ୍ଷା ବ୍ୟବସ୍ଥାକୁ ଅଧିକ ସ୍ଥିର ଓ ନବସୃଜନମୂଳକ କରିବାର ଆବଶ୍ୟକତା ଥିବା ସେ କହିଛନ୍ତି।

ବ୍ରିକ୍ସ ମଞ୍ଚ ବିଭିନ୍ନ ମହାଦେଶ, ଭାଷା ଓ ସଂସ୍କୃତିକୁ ଏକାଠି କରି ବିଶ୍ୱର ୪୦୦ କୋଟିରୁ ଅଧିକ ଜନସଂଖ୍ୟାର ପ୍ରତିନିଧିତ୍ୱ କରୁଛି। ଏହି ବିବିଧତା ହିଁ ବ୍ରିକ୍ସର ସବୁଠାରୁ ବଡ଼ ଶକ୍ତି ବୋଲି ସେ ମତ ରଖିଛନ୍ତି।

ଏହି ସମ୍ମିଳନୀରେ ବ୍ରାଜିଲ, ରୁଷ, ଚୀନ, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ, ଇରାନ, ଇଥିଓପିଆ ଏବଂ ୟୁଏଇର ପ୍ରତିନିଧିମାନେ ଯୋଗ ଦେଇଥିବା ବେଳେ ଇରାନ, ଇଣ୍ଡୋନେସିଆ ଓ ଦକ୍ଷିଣ ଆଫ୍ରିକାର ଶିକ୍ଷାମନ୍ତ୍ରୀମାନେ ଉପସ୍ଥିତ ରହିଛନ୍ତି। ତେବେ ଭୁବନେଶ୍ୱରରେ ଆୟୋଜିତ ଏହି ୧୩ତମ ବ୍ରିକ୍ସ ଶିକ୍ଷାମନ୍ତ୍ରୀ ସମ୍ମିଳନୀ ଶିକ୍ଷା କ୍ଷେତ୍ରରେ ଆନ୍ତର୍ଜାତିକ ସହଯୋଗକୁ ଆହୁରି ସୁଦୃଢ଼ କରିବା ସହ ଭବିଷ୍ୟତ ପିଢ଼ି ପାଇଁ ଏକ ନୂଆ ରୋଡମ୍ୟାପ୍ ପ୍ରସ୍ତୁତ କରିବ ବୋଲି ଆଶା କରାଯାଉଛି।