ଭୁବନେଶ୍ଵର: ଓଡ଼ିଶାରେ ଆଗାମୀ ୨୦୨୭ ପଞ୍ଚାୟତ ନିର୍ବାଚନ ଶାସକ ଦଳ ଭାରତୀୟ ଜନତା ପାର୍ଟି ପାଇଁ ଏକ ଅଗ୍ନିପରୀକ୍ଷା | ୨୦୨୪ ବିଧାନସଭା ନିର୍ବାଚନରେ ଐତିହାସିକ ସଫଳତା ପରେ  ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱାଧୀନ ବିଜେପି ସରକାର ପାଇଁ ଏହି ଗ୍ରାମାଞ୍ଚଳ ନିର୍ବାଚନ ଗ୍ରାଉଣ୍ଡ ଲେଭଲ୍‌ରେ ନିଜର ପ୍ରଭାବ ସାବ୍ୟସ୍ତ କରିବାର ସବୁଠାରୁ ବଡ଼ ସୁଯୋଗ | ଆଉ ସେଥିପାଇଁ ବିଜେପି ତାର ଟ୍ରମ୍ପ କାର୍ଡକୁ ପୁଣି ଥରେ ଖେଳିବାକୁ ଯାଉଛି | ମୋଦୀ ବ୍ରାଣ୍ଡ, ଯେଉଁ ମୋଦୀ ବ୍ରାଣ୍ଡ ପାଇଁ  ୨୦୧୪ରେ ବିଜେପି ଦେଶରେ ଶାସନ କ୍ଷମତାକୁ ଆସିଥିଲା ଏବଂ ୨୦୨୪ରେ ଓଡିଶାରେ ପ୍ରଥମଥର ପାଇଁ ଏକାକୀ ଶାସନ କଳ ହାତେଇଥିଲା | ଏବେ ସେହି ବ୍ରାଣ୍ଡକୁ ନେଇ ପୁଣି ଥରେ ପଞ୍ଚାୟତ ପୌର ନିର୍ବାଚନ ହାତେଇବାକୁ ଯୋଜନା ଆରମ୍ଭ କରିଛି |

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ ଏବଂ ସର୍ବସାଧାରଣ ସେବାରେ ତାଙ୍କର ୨୫ ବର୍ଷ ପୂର୍ତ୍ତିକୁ ସେବା ସଂକଳ୍ପ ଅଭିଯାନ ଭାବେ ଏକ ମାସବ୍ୟାପି ପାଳନ କରୁଛି ସମଗ୍ର ଦେଶ | ତେବେ ରାଜ୍ୟରେ ମଧ୍ୟ ସେପ୍ଟେମ୍ବର ୧୭ରୁ ଅକ୍ଟୋବର ୧୭ ପର୍ଯ୍ୟନ୍ତ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଇ ଲୋକଙ୍କ ପାଖରେ ପହଞ୍ଚିବାକୁ ରୋଡ଼ ମ୍ୟାପ ପ୍ରସ୍ତୁତ ହୋଇଛି | ପଞ୍ଚାୟତ ପୌର ନିର୍ବାଚନ ପୂର୍ବରୁ ଏହି ଅଭିଯାନକୁ ବୁଥ୍ ସ୍ତରରୁ ନେଇ ଜିଲ୍ଲା ସ୍ତର ପର୍ଯ୍ୟନ୍ତ ଏକ ଜନ ଆନ୍ଦୋଳନରେ ପରିଣତ କରିବାକୁ ଲକ୍ଷ୍ୟ ରଖିଛି ଦଳ | ଏହି ମାଧ୍ୟମରେ ମୋଦୀଙ୍କ ବାର୍ତ୍ତା ନେଇ ଲୋକଙ୍କ ଆସ୍ଥାଭାଜନ ହୋଇ ସେମାନଙ୍କ ସମସ୍ୟା ସମାଧାନ କରି ଦଳକୁ ମଜବୁତ କରିବାକୁ ଲକ୍ଷ୍ୟ ରଖିଛି ବିଜେପି।

Also Read: ମହିଳା ସରପଞ୍ଚଙ୍କୁ ଦୁର୍ବ୍ୟବହାର ଅଭିଯୋଗ, ଆସ୍କା ବିଧାୟକଙ୍କୁ ଟାର୍ଗେଟ୍ କଲା ବିଜେଡି

ପଞ୍ଚାୟତ ପୌର ହାତେଇବାକୁ ଦୁଇ ବଡ଼ ଭୋଟ ବ୍ୟାଙ୍କ ଯୁବ ଅର୍ଥାତ ଜେନ ଜି ଏବଂ ମହିଳାଙ୍କ ପାଖକୁ ପହଂଚିବାକୁ ଯୋଜନା କରିଛି ଦଳ | ସେବା ସଂକଳ୍ପ ଅଭିଯାନ'ରେ ୧୩ ଟି କାର୍ଯ୍ୟକ୍ରମ ହାତକୁ ନେଇଛି ବିଜେପି | ଯାହା ମାଧ୍ୟମରେ "ବିକଶିତ ଭାରତ ୨୦୨୪୭'ର ସଂକଳ୍ପ ନିଆଯିବ | ପ୍ରଧାନମନ୍ତ୍ରୀଙ୍କ ସେବା ପକ୍ଷ ଅବସରରେ ରାଜ୍ୟରେ ସବୁ ମହିଳା ଘରେ ଘରେ ଜାଳିବେ ଆଶୀର୍ବାଦ ଦୀପ | ରାଜ୍ୟର ସବୁ ବ୍ଲକରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯିବ | ରାଜ୍ୟର ୭୦ ଲକ୍ଷ ମହିଳା, ୬ ଲକ୍ଷ ସ୍ୱୟଂ ସହାୟକ ଗୋଷ୍ଠୀ ଏହାର ସୁପରିଚାଳନା କରିବେ | ଏପଟେ ଯୁବ ମୋର୍ଚ୍ଚା ପକ୍ଷରୁ ୧୭ ତାରିଖ ଦିନ ଭୁବନେଶ୍ୱର ପ୍ରଦର୍ଶନୀ ପଡିଆରେ ବିଶାଳ ରକ୍ତ ଦାନ ଶିବିର |

ରାଜ୍ୟର ସବୁ ଜିଲ୍ଲାରେ ରକ୍ତ ଦାନ ଶିବିର ଆୟୋଜନ କରି ସମସ୍ତ ଯୁବ ବର୍ଗକୁ ଏକ କରି ରେକର୍ଡ ସଂଖ୍ୟକ ରକ୍ତ ସଂଗ୍ରହ ପାଇଁ ଲକ୍ଷ୍ୟ ରଖିଛି ବିଜେପି ଯୁବ ମୋର୍ଚ୍ଚା | ଏହାସହିତ ଚିତ୍ରାଙ୍କନ ଓ ଭାଷଣ ପ୍ରତିଯୋଗିତା, ନମୋ ସେବା ଗାଥା, ଅଙ୍ଗନବାଡ଼ି ଉତ୍ସବ, ପରିବର୍ତ୍ତନର କାହାଣୀ, ବିକଶିତ ଭାରତ ସଂକଳ୍ପ ଯାତ୍ରା, ସେବା ଜ୍ୟୋତି ଯାତ୍ରା, ସେବା ଓ ମୋର ଯୋଗଦାନ, ସେବା ସେତୁ ଅଭିଯାନ, ରଙ୍ଗୋଲୀ ରାଷ୍ଟ୍ର, ଜନସେବାର ମହାକୁମ୍ଭ ଭଳି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ | ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସେବା ସଂକଳ୍ପର ବାର୍ତ୍ତାକୁ ତଳ ସ୍ତରରେ ପହଂଚାଇବାକୁ ଲକ୍ଷ୍ୟ ରଖିଛି ଭାରତୀୟ ଜନତା ପାର୍ଟି।

ପଂଚାୟତ ନିର୍ବାଚନ ରାଜ୍ୟର ତିନି ଦଳ ପାଇଁ ଅନେକ ଗୁରୁତ୍ୱ ବହନ କରୁଛି | ରାଜ୍ୟରେ ଶାସନ ଗାଦିକୁ ଆସିବା ପରେ ନିଜର ଗ୍ରାମୀଣ ଭୋଟ୍ ବ୍ୟାଙ୍କ୍ ଏବଂ ତୃଣମୂଳ ସ୍ତରର ସଂଗଠନକୁ ଆହୁରି ମଜବୁତ କରିବା ବିଜେପି ପାଇଁ ବଡ଼ ଆହ୍ୱାନ ହେବ | ଗତ ବିଧାନସଭା ନିର୍ବାଚନ ପରେ ବିଜେଡି ପାଇଁ ଗ୍ରାମାଞ୍ଚଳରେ ନିଜର ପତିଆରା ଓ ଭୋଟରଙ୍କ ବିଶ୍ୱାସ ଫେରି ପାଇବା ଏକ ବଡ଼ ସୁଯୋଗ | ଏପଟେ ରାଜ୍ୟ ରାଜନୀତିରେ ନିଜର ହଜିଯାଇଥିବା ଭୂମିକାକୁ ଫେରି ପାଇବା ଏବଂ କର୍ମୀଙ୍କ ମଧ୍ୟରେ ଉତ୍ସାହ ଭରିବା ପାଇଁ କଂଗ୍ରେସ ପାଇଁ ଏହା ଅତି ଗୁରୁତ୍ୱପୂର୍ଣ୍ଣ।