ଭୁବନେଶ୍ଵର: ରାଜ୍ୟରେ ସମବାୟ ଦଖଲ ଅଭିଯାନକୁ ଜୋରଦାର କରିଛି ବିଜେପି । ଗତ ସରକାର ଅମଳରେ ଯେଉଁମାନେ ସମବାୟ ସଂସ୍ଥାଗୁଡ଼ିକରେ ନିଜର ଆଧିପତ୍ୟ ଜାହିର କରିଥିଲେ, ସେମାନଙ୍କ ଭିତରୁ ଅନେକ ଏବେ ବିଜେପିରେ ସାମିଲ ହୋଇ ସାରିଲେଣି । ବାକି ଯେଉଁମାନେ ଅଛନ୍ତି ସେମାନଙ୍କୁ ମଧ୍ୟ ଖୁବ୍ ଶୀଘ୍ର ଦଳରେ ସାମିଲ କରିବାକୁ ଯୋଜନା କରିଛି ବିଜେପି । ପଞ୍ଚାୟତ ନିର୍ବାଚନ ପୂର୍ବରୁ ସମବାୟ ଦଖଲ ପାଇଁ ଚେଷ୍ଟା ଜାରି ରଖିଛି ଦଳ । ବିଜେପିର ସମବାୟ ଅଭିଯାନକୁ ନେଇ ତେଜିଛି ରାଜନୈତିକ ବୟାନବାଜି ।

ଗୋଟାକ ପରେ ଗୋଟିଏ ୱିଙ୍ଗସକୁ ଦଖଲ କରୁଛି ଦଳ

ଗ୍ରାମାଞ୍ଚଳରେ ଚେର ମଜଭୁତ କରୁଛି ବିଜେପି । ଗୋଟାକ ପରେ ଗୋଟିଏ ୱିଙ୍ଗସ୍କୁ ଦଖଲ କରୁଛି ଦଳ । ପୂର୍ବରୁ ସରପଞ୍ଚ, ସମିତି ସଭ୍ୟ, ବ୍ଲକ ଚେୟାରମ୍ୟାନଙ୍କୁ ବିଜେପିରେ ମିଶାଇ ଦଳର କଳେବର ବୃଦ୍ଧି କରି ସାରିଛି । ଆଉ ଏବେ ସମବାୟ ସମିତିର ସଭାପତି, ନିର୍ଦେଶକ ଓ ସଦସ୍ୟଙ୍କୁ ଦଳରେ ସାମିଲ କରି ସମବାୟକୁ ନିଜ ପକେଟକୁ ଆଣିଛି ରାଜ୍ୟ ବିଜେପି । ବିଜେଡି ସମୟରେ ନିଜର ଦବାଦବା ଦେଖାଉଥିବା ସମବାୟ ସଦସ୍ୟଙ୍କୁ ଦଳକୁ ଆଣି ସମବାୟଗୁଡିକୁ ନିଜ ଦଖଲକୁ ଆଣିଛି ଦଳ ।

Also Read: ବାହାରିଲା କଂଗ୍ରେସର ପୁରୁଣା ରୋଗ, ବିଧାୟକଦଳ ନେତା ପରିବର୍ତ୍ତନ ପାଇଁ ଦିଲ୍ଲୀରେ ପକାଇଲେ ଡେରା

ଗାଁ ଭୋଟ ଉପରେ ବଡ ଦବଦବା

ଏଥି ସହ ସମବାୟ ସମିତିର ଗାଁ ଭୋଟ ଉପରେ ବଡ ଦବଦବା ରହିଥାଏ । ତେଣୁ ଆଗକୁ ଆହୁରି ସମବାୟ ସଦସ୍ୟଙ୍କୁ ଦଳକୁ ଆଣିବାକୁ ଖସଡା ପ୍ରସ୍ତୁତ କରିଛି ବିଜେପି । ସେପଟେ ସରକାରୀ ଦଳ ତରଫରୁ ସମବାୟ ସଦସ୍ୟଙ୍କୁ ଧମକ ଚମକ ଦେଇ ଦଳରେ ସାମିଲ କରାଯାଉଥିବା ଅଭିଯୋଗ କରିଛି ବିଜେଡି । ଦଳ କହିଛି ଯେଉଁମାନେ ଦୁର୍ନୀତିରେ ଲିପ୍ତ ଅଛନ୍ତି ସେମାନେ ଭୟରେ ବିଜେପିରେ ସାମିଲ ହେଉଛନ୍ତି । ଯେଉଁମାନେ ଯାଉଛନ୍ତି ସେମାନେ ଭବିଷ୍ୟତରେ ପଶ୍ଚାତାପ କରିବେ ବୋଲି କହିଛି ବିଜେଡି । ଜବାବରେ ବିଜେପି କହିଛି, ଯଦି ବିଜେଡି ଭାବୁଛି ଯେଉଁମାନେ ଦୁର୍ନୀତିରେ ସାମିଲ ଅଛନ୍ତି, ତାହେଲେ ସେମାନଙ୍କ ନାଁ ସାର୍ବଜନୀନ କରୁ ।

ଗାଁର ସଂଗଠନକୁ ମଜଭୁତ କରୁଛି ବିଜେପି

ପଞ୍ଚାୟତ ନିର୍ବାଚନ ପୂର୍ବରୁ ଗାଁର ସଂଗଠନକୁ ମଜଭୁତ କରିବାରେ ଲାଗିଛି ବିଜେପି । ଗତକାଲିର ମିଶ୍ରଣ ପରେ ସମବାୟ ମନ୍ତ୍ରୀ କହିଛନ୍ତି, ଆମେ ବିଜେପି ସଙ୍ଗଠନ ବଢ଼ାଇବା ପାଇଁ କାମ କରୁଛୁ । ପ୍ରତି ବିଭାଗ କେମିତି ଲୋକଙ୍କ ପାଖରେ ପହଞ୍ଚି ପାରିବ, କାମ କେମିତି ତ୍ବରିତ୍ ଢଙ୍ଗରେ ଚାଲିବ ସେଥିପାଇଁ ଆମେ ପ୍ରୟାସ ଜାରି ରଖିଛୁ। ଭୋଟ ରାଜନୀତି ପାଇଁ ଆମେ କାମ କରୁନୁ। କାରଣ ଲୋକଙ୍କ ସେବା କଲେ ଲୋକ ଆପେ ଆପେ ଭୋଟ ଦେବେ। ବିଭାଗ ଦାୟିତ୍ବ ନେବା ପରେ ବିଭିନ୍ନ ସମବାୟ ସମିତିର ସଭାପତି, ସମ୍ପାଦକ, ନିର୍ଦ୍ଦେଶକ ସମ୍ପର୍କରେ ଥିଲେ ।

Also Read: ଦିଲ୍ଲୀରେ ଡେରା ପକାଇଛନ୍ତି ୬ କଂଗ୍ରେସ ବିଧାୟକ, ରାଜ୍ୟ ସଭାପତି ଓ ନେତା କହୁଛନ୍ତି ସେମିତି କିଛି ନୁହେଁ…

ଯେହେତୁ ଆଗକୁ ପଞ୍ଚାୟତ ନିର୍ବାଚନ ଆସୁଛି । ସେଥିପାଇଁ ସଭାପତି ଓ ମୁଖ୍ୟମନ୍ତ୍ରୀ କହିବା ପରେ ସେମାନଙ୍କ ସହ ଆଲୋଚନା କରି ଦଳରେ ସାମିଲ କରାଗଲା । ନୂଆପଡ଼ା ଉପନିର୍ବାଚନ ଓ ରାଜ୍ୟସଭା ନିର୍ବାଚନ ପରେ ଆଗକୁ ଆସୁଥିବା ନିର୍ବାଚନ ଗୁଡ଼ିକ ଆହୁରି ଭଲ ହେବ ବୋଲି କହିଛନ୍ତି ସମବାୟ ମନ୍ତ୍ରୀ । ବିଜେଡି ସମୟରେ ନିର୍ବାଚିତ ସମବାୟ ସଦସ୍ୟମାନେ ଏବେ ବିଜେପିରେ ସାମିଲ ହୋଇଛନ୍ତି । ଫଳରେ ବିଜେପିର ସମବାୟ ଶକ୍ତି ବୃଦ୍ଧି ହେବାରେ ଲାଗିଛି ।