ଭୁବନେଶ୍ୱର ୦୨।୦୪ : ରାଜ୍ୟ କଂଗ୍ରେସରେ ପୁଣି ନେତା ପରିବର୍ତ୍ତନ ଚର୍ଚ୍ଚା ପ୍ରସଙ୍ଗ । କଂଗ୍ରେସର କିଛି ନେତା ବିଧାୟକ ଦେଳ ନେତାଙ୍କୁ ପରିବର୍ତ୍ତନ ନେଇ ଦିଲ୍ଲୀ ଯାଇଥିବା ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି ପିସିସି ସଭାପତି ଭକ୍ତଚରଣ ଦାସ ଏବଂ ବରିଷ୍ଠ ନେତା ସନ୍ତୋଷ ସିଂ ସାଲୁଜା ।

ବିଧାୟକଙ୍କ ଦିଲ୍ଲୀ ଗସ୍ତ ନେଇ ପିସିସି ସଭାପତି କହିଛନ୍ତି ଯେ, ଯାହା ଚର୍ଚ୍ଚା ହେଉଛି, ସେଥିରେ କୌଣସି ସତ୍ୟତା ନାହିଁ । ସେଭଳି କିଛି ହୋଇଥିଲେ ବୈଠକ ବସି ଆନୁଷ୍ଠାନିକ ଭାବେ ଘୋଷଣା ହୋଇଥାନ୍ତା । ଏଥିରେ କିଛି ଲୁଚେଇବାର କଥା ନାହିଁ। କୌଣସି ନେତାଙ୍କ ଦିଲ୍ଲୀ ଯିବା ଅପରାଧ ନୁହେ । ଦଳର ବିଧାୟକମାନେ ଦିଲ୍ଲୀ ବୁଲିବାକୁ ଯାଇଛନ୍ତି । ତେଣୁ ତାକୁ ନେଇ ରାଜନୀତି କରିବାର କୌଣସି ଆବଶ୍ୟକତା ନାହିଁ ।

Also Read:- ରାତି ୧୨ଟା ୪୨ରେ ବିଧାନସଭା ହେଲା ମୁଲତବୀ, ଧାନ ମଣ୍ଡିରୁ SCB ତାତି ଯାଏଁ କମ୍ପିଥିଲା ଗୃହ

ସେପଟେ ସନ୍ତୋଷ ସିଂହ ସାଲୁଜା କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମଙ୍କ ସପକ୍ଷରେ ଯୁକ୍ତି ବାଢିଛନ୍ତି । ସେ କହିଛନ୍ତି ଯେ, CLPଙ୍କ ଅନେକ ଅଭିଜ୍ଞତା ରହିଛି । ବିଧାନସଭାରେ ତାଙ୍କର ପ୍ରଦର୍ଶନ ମଧ୍ୟ ଭଲ ରହିଛି । ବର୍ତ୍ତମାନ ସମୟରେ କଂଗ୍ରେସ ବିଧାୟକ ଦଳ ନେତା ପରିବର୍ତ୍ତନର କୌଣସି ଆବଶ୍ୟକତା ହିଁ ନାହିଁ ।

ସୂଚନାଯୋଗ୍ୟ ଯେ, ବୁଧବାର ରାଜ୍ୟ କଂଗ୍ରେସରେ ୬ ଜଣ ବିଧାୟକ ଅଚାନକ ଦିଲ୍ଲୀ ଗସ୍ତରେ ଯାଇଛନ୍ତି । ଦିଲ୍ଲୀ ଯାଇଥିବା ୬ ବିଧାୟକଙ୍କ ମଧ୍ୟରେ ବରିଷ୍ଠ ନେତା ତାରାପ୍ରସାଦ ବାହିନୀପତି, ମଙ୍ଗୁ ଖିଲ, ସତ୍ୟଜିତ ଗମାଙ୍ଗ, ସି ଏସ୍ ରାଜନ ଏକ୍କା, ସାଗର ଦାସ, କାଡ୍ରାକା ଆପାଲା ସ୍ୱାମୀ ରହିଛନ୍ତି । ତାରାଙ୍କ ନେତୃତ୍ୱରେ ଯାଇଥିବା ୬ ବିଧାୟକ ଦିଲ୍ଲୀରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ୍ଗେଙ୍କୁ ଭେଟିବାର ସମ୍ଭାବନା ରହିଛି ।

୬ ବିଧାୟକଙ୍କ ହଠାତ୍ ଦିଲ୍ଲୀ ଗସ୍ତକୁ ନେଇ ରାଜ୍ୟ ରାଜନୀତିରେ ନୂଆ ଚର୍ଚ୍ଚା ଏବଂ ଆଲୋଚନା ସୃଷ୍ଟି କରିଛି । କୌଣସି ବି ନିର୍ବାଚନ ଶେଷରେ ରାଜ୍ୟ ନେତା ଦିଲ୍ଲୀରେ ଡେରା ପକାନ୍ତି । ଏଥର ଏହି ୬ ବିଧାୟକଙ୍କ ଗସ୍ତ ସଂପର୍କରେ ସବିଶେଷ ତଥ୍ୟ ନଥିବା ବେଳେ ଚର୍ଚ୍ଚା ହେଉଛି କି ରାଜ୍ୟ କଂଗ୍ରେସର ବିଧାୟକ ଦଳ ନେତାଙ୍କୁ ହଟାଇବା ପାଇଁ ଦିଲ୍ଲୀ ଯାଇଛନ୍ତି ।