ଛତ୍ରପୁର: ବନ୍ୟା ଯୋଗୁ ଗଞ୍ଜାମ ଜିଲ୍ଲାରେ ହଜାର ହଜାର ପରିବାର କ୍ଷତିଗ୍ରସ୍ତ ହୋଇଛନ୍ତି। ପାଣି ଛାଡ଼ିଥିଲେ ବି, ଲୋକେ ଏବେବି ଅନେକ ଅସୁବିଧାର ସାମ୍ନା କରୁଛନ୍ତି । ଏମିତିରେ ଏହି ଦୁର୍ଦ୍ଦିନରେ ବନ୍ୟା ବିପନ୍ନଙ୍କ ପାଖରେ ଠିଆ ହେବା ସହ ସେମାନଙ୍କ ଜୀବନକୁ ସ୍ୱାଭାବିକ କରିବା ଲାଗି ଜିଲ୍ଲା ପ୍ରଶାସନ ନିରନ୍ତର ଉଦ୍ୟମ ଜାରି ରଖିଛି । ବାତ୍ୟା ପରବର୍ତ୍ତୀ ରିଲିଫ୍ ଓ ପୁନରୁଦ୍ଧାର କାର୍ଯ୍ୟରେ ସରକାରୀ ଅଧିକାରୀଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିଛି । ଏହାକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲ୍ଲାପାଳ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି । ଜିଲ୍ଲାରେ ନଭେମ୍ୱର ୧୪ ଏବଂ ୧୫ (ଶନିବାର ଓ ରବିବାର) ଖୋଲା ରହିବ ସମସ୍ତ ସରକାରୀ କାର୍ଯ୍ୟାଳୟ । ଆଦେଶ ଅବମାନନା କରି ଅନୁପସ୍ଥିତ ରହିଲେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜିଲ୍ଲାପାଳଙ୍କ ଦ୍ୱାରା ଜାରି ଚିଠିରେ କୁହାଯାଇଛି ।

ବାତ୍ୟା ଓ ବନ୍ୟାରେ ହୋଇଥିବା କ୍ଷୟକ୍ଷତିର ସଠିକ୍ ଆକଳନ ଏବଂ କ୍ଷତିଗ୍ରସ୍ତଙ୍କ ନିକଟରେ ତୁରନ୍ତ ସରକାରୀ ସହାୟତା ପହଞ୍ଚାଇବା ଲକ୍ଷ୍ୟରେ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ନିର୍ଦ୍ଦେଶନାମା ଜାରି ହୋଇଛି । ତେବେ ଏହା ପୂର୍ବରୁ ନଭେମ୍ୱର ୧ (ରବିବାର) ଏବଂ ୮ (ଦୀପାବଳି, ରବିବାର) ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଥିଲା । 

ପୂର୍ବରୁ ଗଞ୍ଜାମ ଜିଲ୍ଲାରେ କାର୍ଯ୍ୟରତ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସମସ୍ତ ବିଭାଗର ଅଧିକାରୀ ଓ କର୍ମଚାରୀ, ସରକାରୀ ଉଦ୍ୟୋଗ, ପଞ୍ଚାୟତିରାଜ ସଂସ୍ଥା, ପୌରସଂସ୍ଥା, ବ୍ୟାଙ୍କ ଓ ଶିକ୍ଷାନୁଷ୍ଠାନର କର୍ମଚାରୀମାନେ ନିଜର ଗୋଟିଏ ଦିନର ଦରମା ସ୍ୱେଚ୍ଛାକୃତ ଭାବେ ଦାନ କରିବାକୁ ଜିଲ୍ଲାପାଳ ଭି.କୀର୍ତ୍ତି ଭାସନ୍ ଆହ୍ୱାନ ଦେଇଥିଲେ । ଏହି ପାଣ୍ଠିରୁ ସଂଗୃହୀତ ଅର୍ଥ ବନ୍ୟା ବିପନ୍ନ ପରିବାରଙ୍କ ସହାୟତା ପାଇଁ ଗଠିତ ‘ଅର୍ଣ୍ଣବ ସହାୟତା ପାଣ୍ଠି, ଗଞ୍ଜାମ’ରେ ଜମା କରାଯିବ।

Also read: ଗଞ୍ଜାମ ବନ୍ୟା ବିପନ୍ନଙ୍କ ପାଇଁ ସହାୟତାର ହାତ: ଗୋଟିଏ ଦିନର ଦରମା ଦାନ କରିବାକୁ ଜିଲ୍ଲାପାଳଙ୍କ ଆହ୍ୱାନ