ଭୁବନେଶ୍ଵର: କଂଗ୍ରେସ ବିଧାୟକ ଦଳ ନେତା ପରିବର୍ତ୍ତନ ପାଇଁ ଦିଲ୍ଲୀରେ ଲବି ଜୋରଦାର । ବିଧାୟକ ଦଳର ନେତା ପଦରୁ ରାମଚନ୍ଦ୍ର କାଡାମଙ୍କୁ ହଟାଇବାକୁ ୯ ବିଧାୟକଙ୍କ ଦିଲ୍ଲୀରେ ଡେରା ପକାଇଛନ୍ତି । କୁହାଯାଉଛି ରାମଚନ୍ଦ୍ର କାଡାମ ସାଂସଦ ସପ୍ତଗିରୀ ଉଲ୍ଲାକାଙ୍କ କ୍ୟାମ୍ପର ହୋଇଥିବାରୁ ତାଙ୍କୁ ହଟାଇବା ପାଇଁ ଚାହୁଁଛନ୍ତି ଗୋଟିଏ ଗୋଷ୍ଠୀ । ଏହି ପଦରେ ତାରା ନିଜେ ବସିବାକୁ ଆଗ୍ରହୀ ଥିବାରୁ ସେ ବିଧାୟକଙ୍କୁ ଧରି ଦିଲ୍ଲୀ ଡେରା ପକାଇଛନ୍ତି । ଏହାପଛରେ ବି କୁଆଡେ ପିସିସି ସଭାପତିଙ୍କ ହାତଥିବା ଆଲୋଚନା ହେଉଛି।

ବାହାରିଲା ପୁରୁଣା ରୋଗ

ବାହାରିଲା କଂଗ୍ରେସର ପୁରୁଣା ରୋଗ । କଂଗ୍ରେସର ପୁଣି ଦିଲ୍ଲୀ ଚଲୋ ଅଭିଯାନ ଆରମ୍ଭ । ବିଧାୟକଦଳ ନେତା ପରିବର୍ତ୍ତନ ପାଇଁ ଦିଲ୍ଲୀରେ ଡେରାପକାଇଛନ୍ତି କଂଗ୍ରେସ ବିଧାୟକ । କୁହାଯାଉଛି, କଂଗ୍ରେସ ବିଧାୟକ ଦଳର ନେତା ପଦରୁ ରାମଚନ୍ଦ୍ର କାଡାମଙ୍କୁ ହଟାଇ ତାରା ବାହିନୀପତି ବିଧାୟକ ଦଳର ନେତା ହବାକୁ ମନ ବଳାଇଛନ୍ତି । ଏଥିପାଇଁ ତାରା ବାହିନୀପତିଙ୍କ ନେତୃତ୍ବରେ ୯ ବିଧାୟକ ଦିଲ୍ଲୀରେ ହାଇକମାଣ୍ଡଙ୍କୁ ଭେଟିବାକୁ ଲବି ଆରମ୍ଭ କରିଛନ୍ତି ।

Also Read: 

ଦୁଇ ଜଣଙ୍କୁ ଛାଡି ବାକି ସମସ୍ତେ ଦିଲ୍ଲୀ

ବିଧାୟକ ଅଶୋକ ଦାସ ଏବଂ ରାମଚନ୍ଦ୍ର କାଡାମଙ୍କ ବ୍ୟତୀତ ବାକି ସମସ୍ତ ବିଧାୟକ ଦିଲ୍ଲୀ ଗସ୍ତରେ ଅଛନ୍ତି। କଂଗ୍ରେସର ମୋଟ ୧୪ ବିଧାୟକ ଥିବାବେଳେ ସେମାନଙ୍କ ଭିତରୁ ୩ ବିଧାୟକ କ୍ରସ ଭୋଟିଂ କରି ଦଳରୁ ନିଲମ୍ବିତ ହୋଇଛନ୍ତି । ନିଲମ୍ବିତ ବିଧାୟକ ମାନେ ମିଶନ ଦିଲ୍ଲୀରେ ସାମିଲ ହୋଇନାହାଁନ୍ତି ।ସେପଟେ କିନ୍ତୁ ବିଧାୟକଦଳ ନେତାଙ୍କୁ ହଟାଇବାକୁ ଲବି ହେଉଥିବା ପ୍ରସଙ୍ଗରେ ପ୍ରଶ୍ନକୁ ଏଡାଇଯାଇ ପିସିସି ସଭାପତି କହିଛନ୍ତି ବିଧାୟକ ମାନେ ବୁଲିବାକୁ ଦିଲ୍ଲୀ ଯାଇଛନ୍ତି ।

ଏହି ବିବାଦ ୨୦୨୪ ନିର୍ବାଚନ ପରେ ଆରମ୍ଭ ହୋଇଛି । ବିଧାୟକ ଦଳ ନେତା ହେବା ପାଇଁ ଉଭୟ ରାମଚନ୍ଦ୍ର କାଡାମ ଏବଂ ତାରା ବାହିନିପତିଙ୍କ ମଧ୍ୟରେ ପ୍ରତିଯୋଗିତା ହୋଇଥିଲା । ସେତେବେଳେ ହାଇକମାଣ୍ଡ ରାମଚନ୍ଦ୍ର କାଡାମଙ୍କ ଉପରେ ମୋହର ମାରିଥିଲେ । ଏହାକୁ ନେଇ ତାରା ବାହିନିପତି ଅସନ୍ତୁଷ୍ଠ ଥିଲେ । ଭକ୍ତ ଚରଣ ଦାସ ପିସିସି ସଭାପତି ହେବା ପରେ ତାରାଙ୍କୁ ମନେଇବାକୁ ଚେଷ୍ଟା କରିଥିଲେ ।

ରାମଚନ୍ଦ୍ର କାଡାମଙ୍କ ପାଇଁ ବାହାରିଲେ ବରିଷ୍ଠ ନେତା

ରାଜ୍ୟସଭା ନିର୍ବାଚନ ବେଳେ ଭକ୍ତଙ୍କ ସହ ତାରା ନିକଟତର ହେବା ପରେ ପୁଣି ବିଧାୟକ ଦଳ ନେତା ପାଇଁ ମନବଳାଇଛନ୍ତି ତାରା ।ସେପଟେ ରାମଚନ୍ଦ୍ର କାଡାମଙ୍କ ପାଇଁ ବାହାରିଛନ୍ତି କିଛି ବରିଷ୍ଠ ନେତା । ବରିଷ୍ଠ କଂଗ୍ରେସ ନେତା ସନ୍ତୋଷ ସିଂ ସାଲୁଜା ଯୁକ୍ତି ବାଢିଛନ୍ତି ଯେ ରାମଚନ୍ଦ୍ର କାଡାମଙ୍କର ଅଭିଜ୍ଞାତା ରହିଛି । ବିଧାନସଭାରେ ବି ତାଙ୍କର ପଦର୍ଶନ ଭଲ ରହିଛି। ତେଣୁ କଂଗ୍ରେସ ବିଧାୟକ ଦଳ ନେତା ପରିବର୍ତନର ସମୟ ଏବେ ଆସିନାହିଁ କହିଛନ୍ତି ସାଲୁଜା ।

କୁହାଯାଉଛି, ରାମଚନ୍ଦ୍ର କାଡାମ ସାଂସଦ ସପ୍ତଗିରୀ ଉଲ୍ଲାକାଙ୍କ କ୍ୟାମ୍ପର ହୋଇଥିବାରୁ ତାଙ୍କୁ ହଟାଇବାକୁ ପିସିସି ସଭାପତି ଭକ୍ତ ଦାସଙ୍କର ମଧ୍ୟ ଭିତିରି ଉଦ୍ୟମ ରହୁଛି ।ଆଗକୁ ପଞ୍ଚାୟତ ନିର୍ବାଚନ ଥିବାରୁ କଂଗ୍ରେସର ଏହି ନେତୃତ୍ବ କନ୍ଦଳ ଦଳକୁ ଦୁର୍ବଳ କରିପାରେ ବୋଲି ଆଲୋଚନା ହେଉଛି ।