ଭୁବନେଶ୍ୱର ୨୭।୧୧ : ଗୃହରେ 5T ସ୍କୁଲକୁ ନେଇ ଝଡ଼। 5T ସ୍କୁଲ ରୂପାନ୍ତରଣରେ ହୋଇଛି କି ଅର୍ଥ ହେରଫେର ? କେଉଁଠି ଖର୍ଚ୍ଚ ହେଲା କୋଟି କୋଟି ଟଙ୍କା? ବିଧାୟକଙ୍କ ତଦନ୍ତ ଦାବି ପରେ ତଦନ୍ତ ନିର୍ଦ୍ଦେଶ ଦେଲେ ଗଣଶିକ୍ଷା ମନ୍ତ୍ରୀ। ଅନିୟମିତତା ପ୍ରମାଣିତ ହେଲେ ନିଆଯିବ କାର୍ଯ୍ୟାନୁଷ୍ଠାନ। ବିଧାନସଭା ପ୍ରଶ୍ନକାଳରେ 5T ସ୍କୁଲ ପ୍ରକଳ୍ପକୁ ନେଇ ସରକାରଙ୍କୁ ଘେରିଲେ ବିଜେପି ବିଧାୟକ ଇରାଶିଷ ଆଚାର୍ଯ୍ୟ। ଅନ୍ୟପଟେ ନୂଆ ସରକାରଙ୍କ ଶିକ୍ଷା କ୍ଷେତ୍ରରେ ନିଆଯାଇଥିବା ପଦକ୍ଷେପର ହିସାବ ରଖିଲେ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ।

ବିଧାନସଭାରେ ଆଜି 5T ସ୍କୁଲ ପ୍ରସଙ୍ଗକୁ ନେଇ ଉଠିଛି ତୁମୁଳ ଆଲୋଚନା। ପୂର୍ବ ସରକାରଙ୍କ ସମୟରେ ହୋଇଥିବା ସ୍କୁଲ ରୂପାନ୍ତରଣ ପ୍ରକଳ୍ପରେ ଅର୍ଥ ଖର୍ଚ୍ଚକୁ ନେଇ ଉଠିଛି ବଡ଼ ପ୍ରଶ୍ନ। କେତେ ଟଙ୍କା ଆସିଥିଲା, କେତେ ଖର୍ଚ୍ଚ ହୋଇଛି ଏବଂ କେତେ ଟଙ୍କାର ବ୍ୟୟ ବିବରଣୀ ବା ୟୁଟିଲାଇଜେସନ୍ ସାର୍ଟିଫିକେଟ୍ ଦାଖଲ ହୋଇଛି, ତାହାକୁ ନେଇ ବିଧାନସଭାରେ ଉଠିଛି ପ୍ରଶ୍ନ।

5T ଯୋଜନାରେ କରାଯାଇଥିବା ସ୍କୁଲ ରୂପାନ୍ତରଣ କାର୍ଯ୍ୟ ପାଇଁ CSR ଫଣ୍ଡ, ଓମ୍ବାଡ୍‌ସି ଫଣ୍ଡ ଏବଂ ମନରେଗା ଅର୍ଥ ବିନିଯୋଗ କରାଯାଇଥିଲା। ଏହି ପ୍ରକଳ୍ପର ପ୍ରୋଜେକ୍ଟ କଷ୍ଟ ୩୮୭ କୋଟି ୯୦ ଲକ୍ଷ ଟଙ୍କା ଥିବା ବେଳେ ୧୭୦୬ କୋଟି ୩୧ ଲକ୍ଷ ଟଙ୍କାର ୟୁଟିଲାଇଜେସନ୍ ସାର୍ଟିଫିକେଟ୍ ଦାଖଲ ହୋଇଥିବା ତଥ୍ୟକୁ ନେଇ ପ୍ରଶ୍ନ ଉଠିଛି। ପ୍ରକୃତରେ କେତେ ଟଙ୍କା ଖର୍ଚ୍ଚ ହୋଇଛି ଏବଂ କେତେ ଟଙ୍କାର ୟୁସି ଦାଖଲ ହୋଇଛି, ତାହାର ସଠିକ୍ ହିସାବ ସଂଗ୍ରହ ହୋଇପାରିନଥିବା ପ୍ରସଙ୍ଗ ମଧ୍ୟ ସାମ୍ନାକୁ ଆସିଛି।

Also Read:-Bali Jatra 2026 : ଖୁସି ଖବର , ଦିନେ କିମ୍ବା ଦୁଇଦିନ ବଢ଼ିପାରେ ବାଲିଯାତ୍ରା

ଏହି ପ୍ରସଙ୍ଗ ଉଠାଇ ପୂର୍ବ ସରକାରଙ୍କ ସମୟରେ 5T ସ୍କୁଲ ଭିତ୍ତିଭୂମି ନିର୍ମାଣରେ ଅର୍ଥ ଠିକ୍ ଭାବରେ ଖର୍ଚ୍ଚ ହୋଇନଥିବା ଅଭିଯୋଗ କରିଛନ୍ତି ବିଜେପି ବିଧାୟକ ଇରାଶିଷ ଆଚାର୍ଯ୍ୟ। ଅର୍ଥ ଖର୍ଚ୍ଚର ସ୍ପଷ୍ଟ ହିସାବ ନଥିବାରୁ ଏହାର ଉଚ୍ଚସ୍ତରୀୟ ତଦନ୍ତ କରାଯିବା ଆବଶ୍ୟକ ବୋଲି ସେ ଦାବି କରିଛନ୍ତି।

ସେପଟେ ଇରାଶିଷଙ୍କ ପ୍ରଶ୍ନର ଉତ୍ତର ଦେଇ ମନ୍ତ୍ରୀ କହିଛନ୍ତି ଯେ, ବିଧାୟକଙ୍କ ଏହି ଦାବିକୁ ଗ୍ରହଣ କରିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ। 5T ସ୍କୁଲ ରୂପାନ୍ତରଣରେ ହୋଇଥିବା ଅର୍ଥ ଖର୍ଚ୍ଚର ତଦନ୍ତ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି। ତଦନ୍ତରେ ଯଦି କୌଣସି ଅନିୟମିତତା ସାମ୍ନାକୁ ଆସେ, ତେବେ ଆବଶ୍ୟକ ଅନୁଯାୟୀ ଦାୟୀ ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ।

ଏହାସହ ନୂଆ ସରକାର ଶିକ୍ଷା ବ୍ୟବସ୍ଥାରେ ସୁଧାର ଏବଂ ବିକାଶ ପାଇଁ ଅନେକ ପଦକ୍ଷେପ ନେଇଥିବା କହିଛନ୍ତି ମନ୍ତ୍ରୀ। ସ୍କୁଲ ଡ୍ରପ୍‌ଆଉଟ୍ ହାର କମାଇବା ପାଇଁ ଚାଇଲ୍ଡ ଟ୍ରାକିଂ ସର୍ଭେ କରାଯାଉଛି। ପିଲାମାନଙ୍କୁ ପୁଣିଥରେ ସ୍କୁଲମୁହାଁ କରିବା ପାଇଁ 'ଆସ ସ୍କୁଲ ଯିବା' ଅଭିଯାନ ଆରମ୍ଭ ହୋଇଛି। ଏଥିସହ ପ୍ରବେଶ ଉତ୍ସବ ଓ ଶିକ୍ଷା ସଚେତନତା ରଥ ମାଧ୍ୟମରେ ଅଭିଭାବକ ଏବଂ ସାଧାରଣ ଲୋକଙ୍କୁ ଶିକ୍ଷା ପ୍ରତି ସଚେତନ କରାଯାଉଛି। କେବଳ ସେତିକି ନୁହେଁ, ନବମ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ମାଗଣା ସାଇକେଲ ଯୋଗାଇ ଦିଆଯାଉଛି। ଶିକ୍ଷକ ଅଭାବ ଦୂର କରିବା ଉପରେ ମଧ୍ୟ ସରକାର ଗୁରୁତ୍ୱ ଦେଉଛନ୍ତି ବୋଲି ଗୃହରେ କହିଛନ୍ତି ମନ୍ତ୍ରୀ।

ସେହିପରି ନୂଆ ସରକାର ଆସିବା ପରେ ୨୮ ହଜାର ୬୯୩ ଜଣ ଶିକ୍ଷକଙ୍କୁ ନିଯୁକ୍ତି ଦିଆଯାଇଥିବା ଏବଂ ଚୁକ୍ତିଭିତ୍ତିକ ନିଯୁକ୍ତି ପ୍ରଥା ଉଚ୍ଛେଦ କରାଯାଇଥିବା କୁହାଯାଇଛି। ପ୍ରାଥମିକ ଶିକ୍ଷକଙ୍କୁ ପଦୋନ୍ନତି ଦେବା ସହ ପ୍ରତିବର୍ଷ ଶିକ୍ଷକ ନିଯୁକ୍ତି ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଉଛି। ଆଗାମୀ ତିନି ବର୍ଷରେ ୧୫ ହଜାର ଶିକ୍ଷକ ନିଯୁକ୍ତି ନେଇ ମଧ୍ୟ ଗୃହରେ ତଥ୍ୟ ରଖାଯାଇଛି।

ଅନ୍ୟପଟେ ବିଧାୟିକା ପ୍ରମିଳା ମଲ୍ଲିକଙ୍କ ପ୍ରଶ୍ନର ଉତ୍ତରରେ ମଧ୍ୟ 5T ସ୍କୁଲ ରୂପାନ୍ତରଣ ଏବଂ ଶିକ୍ଷା କ୍ଷେତ୍ରରେ ସରକାରଙ୍କ ପଦକ୍ଷେପ ସମ୍ପର୍କରେ ତଥ୍ୟ ରଖିଛନ୍ତି ଗଣଶିକ୍ଷା ମନ୍ତ୍ରୀ।  5T ସ୍କୁଲ ରୂପାନ୍ତରଣରେ ହୋଇଥିବା ଅର୍ଥ ଖର୍ଚ୍ଚର ପ୍ରକୃତ ଚିତ୍ର ତଦନ୍ତ ପରେ ସ୍ପଷ୍ଟ ହେବ। କେତେ ଟଙ୍କା ଖର୍ଚ୍ଚ ହୋଇଛି, କେତେ ଟଙ୍କାର ହିସାବ ମିଳୁଛି ଏବଂ କୌଣସି ଅନିୟମିତତା ହୋଇଛି କି ନାହିଁ, ତାହା ଉପରେ ଏବେ ନଜର। ବିଧାନସଭାରେ 5T ସ୍କୁଲକୁ ନେଇ ଉଠିଥିବା ଏହି ପ୍ରଶ୍ନ ଆଗାମୀ ଦିନରେ କେଉଁ ମୋଡ଼ ନେଉଛି, ତାହା ଦେଖିବାକୁ ରହିଲା।