ମୁମ୍ଵାଇ ୨୭।୧୧; ବିଗ୍ ବସ୍ ହାଉସ୍ରେ ଏଣ୍ଟ୍ରି କରିବା ପରେ ଏବେ ଚର୍ଚ୍ଚାରେ ଗେମିଂ ଷ୍ଟାର ସ୍କାଉଟ୍ ଓପି। ତାଙ୍କର ପ୍ରକୃତ ନାଁ ହେଉଛି ତନ୍ମୟ ସିଂହ। ସଲମାନ ଖାନଙ୍କ ରିଆଲିଟି ଶୋ' ବିଗ୍ ବସ୍ ୨୦ରେ ତାଙ୍କ ଏଣ୍ଟ୍ରିକୁ ନେଇ ଫ୍ୟାନ୍ସଙ୍କ ମଧ୍ୟରେ ଉତ୍ସାହ ଥିବା ବେଳେ ଏବେ ଚର୍ଚ୍ଚାକୁ ଆସିଛି ତାଙ୍କ ଲକ୍ଜୁରୀ ଘର। ଘରେ ରହିଛି ପ୍ରାଇଭେଟ୍ ଲିଫ୍ଟ, ହୋମ୍ ଥିଏଟର, ଜାକୁଜି ଏବଂ ଅଲଗା ଗେମିଂ ଷ୍ଟୁଡିଓ। ଯାହାର ଇଣ୍ଟେରିୟର ଦେଖିଲେ ଆଖି ଲାଖିଯିବ।

ସୋସିଆଲ ମିଡିଆରେ ୫ ନିୟୁତରୁ ଅଧିକ ଫଲୋଅର୍ସ ଥିବା ସ୍କାଉଟ୍ ଓପି ଗେମିଂ ଜଗତରେ ବେଶ୍ ଲୋକପ୍ରିୟ। ତେବେ ତାଙ୍କର ଏକ ପୁରୁଣା ୟୁଟ୍ୟୁବ୍ ଭିଡିଓ ଏବେ ପୁଣି ଭାଇରାଲ୍ ହେଉଛି। ଏହି ଭିଡିଓରେ ସେ ନିଜ ପରିବାର ପାଇଁ ତିଆରି କରିଥିବା ସ୍ୱପ୍ନର ଘରର ଝଲକ ଦେଖାଇଛନ୍ତି। ଘରର ପ୍ରବେଶ ଦ୍ୱାରଠାରୁ ଆରମ୍ଭ କରି ଇଣ୍ଟେରିୟର ପର୍ଯ୍ୟନ୍ତ ସବୁଠି ରହିଛି ଆଧୁନିକ ଡିଜାଇନ୍ର ଛାପ।

ଘରର ପାର୍କିଂ ଏରିଆରେ ରହିଛି ତାଙ୍କର ହଳଦିଆ ରଙ୍ଗର ମୁସ୍ତାଙ୍ଗ କାର୍। ମୁଖ୍ୟ ଦ୍ୱାରଟି ସୁରକ୍ଷା ପାସକୋଡ୍ରେ ଖୋଲୁଥିବା ବେଳେ ଭିତରକୁ ପ୍ରବେଶ କରିବା ପରେ ଦେଖିବାକୁ ମିଳେ ଧଳା ମାର୍ବଲରେ ସଜ୍ଜିତ ସୁନ୍ଦର ହଲୱେ। ଘରର ଡାଇନିଂ ଏରିଆ ମଧ୍ୟ ବେଶ୍ ଆକର୍ଷଣୀୟ। ଲମ୍ବା ଧଳା ମାର୍ବଲ୍ ଟେବୁଲ୍, ଧୂସର ମଖମଲ୍ ଚେୟାର ଓ ସୁନ୍ଦର ଲାଇଟିଂ ଏହାକୁ ଦେଇଛି ରାଜକୀୟ ଲୁକ୍।

ଘରରେ ରହିଛି ଏକାଧିକ ବେଡ୍ରୁମ୍ ଓ ଗେଷ୍ଟ ରୁମ୍। ଏହାସହ ଗୋଟିଏ ବାଥରୁମ୍ରେ ରହିଛି ବଡ଼ ଜାକୁଜି। ଏହାର ଡିଜାଇନ୍ ଓ କାଠର ସାଜସଜ୍ଜା ଘରକୁ ଦେଉଛି ଏକ ଫାଇଭ୍ ଷ୍ଟାର ହୋଟେଲରେ ଅନୁଭବ। ସେହିପରି ୱାକ୍-ଇନ୍ ଆଲମାରୀ ଓ ଡ୍ରେସିଂ ରୁମ୍ ମଧ୍ୟ ରହିଛି ଘରର ଅନ୍ୟତମ ଆକର୍ଷଣ।

ତେବେ ସ୍କାଉଟ୍ଙ୍କ ଘରର ସବୁଠାରୁ ଆକର୍ଷଣୀୟ ସ୍ଥାନ ହେଉଛି ଗେମିଂ ଓ ଏଣ୍ଟରଟେନମେଣ୍ଟ ଫ୍ଲୋର୍। ଏଠାରେ ରହିଛି ବଡ଼ ହୋମ୍ ଥିଏଟର୍। ବିଶାଳ ପ୍ରୋଜେକ୍ସନ୍ ସ୍କ୍ରିନ୍, ସୋରିଷ ରଙ୍ଗର ଲେଦର ସିଟ୍ ଓ ବାର୍ କାଉଣ୍ଟର ଏହି ସ୍ଥାନକୁ ଆହୁରି ଆକର୍ଷଣୀୟ କରିଛି। ଫିଲ୍ମ ଦେଖିବା ହେଉ କି ବନ୍ଧୁଙ୍କ ସହ ସମୟ ବିତାଇବା, ସବୁକିଛି ପାଇଁ ରହିଛି ଖାସ୍ ବ୍ୟବସ୍ଥା।

ଗେମିଂ ଷ୍ଟାର ହୋଇଥିବାରୁ ନିଜ ଘରେ ଏକ ସ୍ୱତନ୍ତ୍ର ଗେମିଂ ଷ୍ଟୁଡିଓ ମଧ୍ୟ ତିଆରି କରିଛନ୍ତି ସ୍କାଉଟ୍। ଅଲ୍ଟ୍ରା ୱାଇଡ୍ ମନିଟର୍, RGB ଲାଇଟିଂ ଥିବା ଗେମିଂ PC, ପ୍ରଫେସନାଲ୍ ମାଇକ୍ରୋଫୋନ୍ ଓ ସୁଟିଂ ପାଇଁ ସଫ୍ଟବକ୍ସ ଲାଇଟ୍ ଏଠାରେ ରହିଛି। ଏହାସହ ଆନିମେ ଫିଗରିନ୍ସ ତାଙ୍କ ଷ୍ଟୁଡିଓକୁ ଦେଇଛି ଏକ ଭିନ୍ନ ଲୁକ୍।

ନିଜ ସ୍ୱପ୍ନର ଘରକୁ ନେଇ ସ୍କାଉଟ୍ କହିଥିଲେ, ପରିବାର ପାଇଁ ସେ ଏହି ଘର ତିଆରି କରିଛନ୍ତି। ତେବେ ବିଗ୍ ବସ୍‌ରେ ତାଙ୍କ ଏଣ୍ଟ୍ରି ପରେ ଏବେ ତାଙ୍କ ଗେମ୍ ଓ ଲକ୍ଜୁରୀ ଲାଇଫ୍ଷ୍ଟାଇଲ୍ ଉଭୟକୁ ନେଇ ଫ୍ୟାନ୍ସଙ୍କ ମଧ୍ୟରେ ଚର୍ଚ୍ଚା ଜୋର୍ ଧରିଛି।