ଭୋଗରାଇ ୨୩।୧୨: ଓଡ଼ିଆ ବୃଦ୍ଧଙ୍କୁ ପଶ୍ଚିମବଙ୍ଗରେ ହତ୍ୟା ଅଭିଯୋଗ । କମର୍ଦ୍ଦା ଥାନା ଅନ୍ତର୍ଗତ ଡେମୁରିଆ ଗ୍ରାମର ବୃଦ୍ଧ ଅଜୟ ଦାସଙ୍କୁ ପଶ୍ଚିମବଙ୍ଗରେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ପଶ୍ଚିମବଙ୍ଗ ମୋହନପୁର ଥାନା ନୀଲଦା ଅଞ୍ଚଳରେ ହୋଇଛି ହତ୍ୟାକାଣ୍ତ । ପଶ୍ଚିମବଙ୍ଗ ଏବଂ ଓଡ଼ିଶା ପୋଲିସ ମିଳିତ ଭାବେ ତଦନ୍ତ ଜାରି ରଖିଛନ୍ତି ।

ସୂଚନାଯୋଗ୍ୟ ଯେ, ବାଲେଶ୍ବର ଜିଲ୍ଲା କମର୍ଦ୍ଦା ଥାନା ଅନ୍ତର୍ଗତ ଡେମୁରିଆ ଗ୍ରାମର ବୟସ୍କ ବୃଦ୍ଧ ଅଜୟ ଦାସ ପ୍ରତ୍ୟେକ ଦିନ ଭୋଗରାଇ ତହସିଲ ଓ ବ୍ଲକ୍ କାର୍ଯ୍ୟାଳୟକୁ ଯିବା ଆସିବା କରିଥାନ୍ତି । ମାତ୍ର ସୋମବାର ତହସିଲରୁ ଘରକୁ ଫେରିବା ପରେ ଘର ପାର୍ଶ୍ଵରେ ଜନୈକ ବ୍ୟକ୍ତିଙ୍କ ଘରେ ନିଜ ସାଇକେଲ ରଖି ଘରକୁ ଯାଉଥିଲେ । ମାତ୍ର ଘରେ ନପହଞ୍ଚିବାରୁ ଘର ଲୋକ ଖୋଜାଖୋଜି କରି ତାଙ୍କୁ ପାଇନଥିଲେ । ପରେ ପଶ୍ଚିମବଙ୍ଗ ମୋହନପୁର ଥାନା ନୀଲଦା ଅଞ୍ଚଳରେ ତାଙ୍କ ମୃତଦେହ ପଡ଼ିରହିଥିବା ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲେ ।

​​​​​​​

ସେପଟେ ପଶ୍ଚିମବଙ୍ଗରେ ମୃତଦେହ ପଡିଥିବା ବେଳେ ପଶ୍ଚିମବଙ୍ଗ ପୋଲିସ ମୃତଦେହକୁ ଜବତ କରିଛି । କିନ୍ତୁ ପରିବାର ଲୋକଙ୍କ ଅଭିଯୋଗ ଅନୁଯାୟୀ, ପୂର୍ବ ଶତ୍ରୁତା ରହିଥିଲା । ବାପାଙ୍କର ଗୋଡ଼ ହାତ ଭାଙ୍ଗି ହତ୍ୟା କରାଯାଇଛି ବୋଲି ଝିଅ ଅଭିଯୋଗ କରିଥିବା ବେଳେ କମର୍ଦ୍ଦା ପୋଲିସ ଓ ପଶ୍ଚିମବଙ୍ଗ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।