ନୂଆଦିଲ୍ଲୀ: ଇଲେକ୍ଟ୍ରିକ୍ ବାଇକ୍‌ ଜଳିବା ଘଟଣା ଚିନ୍ତାର ପ୍ରସଙ୍ଗ ଥିଲା । ଏବେ ଇଲେକ୍ଟ୍ରିକ୍ କାର୍‌ ବିସ୍ଫୋରଣ ହେବା ଖବର ଲୋକଙ୍କୁ ବିସ୍ମିତ କରିଛି । ଆନ୍ଧ୍ରପ୍ରଦେଶର ଏନଟିଆର୍ ଜିଲ୍ଲା ଅନ୍ତର୍ଗତ ବିଜୟୱାଡା ପଶ୍ଚିମ ବାଇପାସ୍‌ରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ଇଲେକ୍ଟ୍ରିକ୍ କାର ଭାରସାମ୍ୟ ହରାଇ ଡିଭାଇଡରରେ ପିଟି ହେବା ପରେ ସେଥିରେ ବିସ୍ଫୋରଣ ହୋଇଥିଲା । ଏହି ଦୁର୍ଘଟଣାରେ ୪ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି ଏବଂ ଅନ୍ୟ ଜଣେ ଗୁରୁତର ହୋଇଛନ୍ତି । 

ଦୁର୍ଘଟଣା ପରେ କାର୍‌ଟି ସମ୍ପୂର୍ଣ୍ଣ ଭାବେ ପୋଡ଼ି ପାଉଁଶ ହୋଇଯାଇଛି।  ସୂଚନା ଅନୁଯାୟୀ, ଦୁର୍ଘଟଣାର ଶିକାର ହୋଇଥିବା ଲୋକେ ଏକ ପାରିବାରିକ କାର୍ଯ୍ୟକ୍ରମରେ ଯୋଗଦେଇ ଫେରୁଥିଲେ। ଏହି ଦୁର୍ଘଟଣାରେ ମୃତକଙ୍କ ପରିଚୟ ମିଳିଛି । ଏନଟିଆର୍ ଜିଲ୍ଲାର ବାସିନ୍ଦା ୩୯ ବର୍ଷୀୟ କୋମ୍ମାରେଡ୍ଡୀ ରାମଦେବ, ତାଙ୍କ ମା’ ଅରୁଣା, ନାମ୍ବୁରୁର ତିଗୁରୁ ବିଜୟା ଏବଂ ଜଣେ ଶିଶୁ। ସୋସିଆଲ ମିଡିଆରେ ଏହି ଦୁର୍ଘଟଣାର କିଛି ଭିଡିଓ ଭାଇରାଲ ହୋଇଛି ।

EV କାର୍‌ରୁ ପ୍ରବଳ ଧୂଆଁ ବାହାରୁଥିବା ଦେଖିବାକୁ ମିଳିଛି ।  ପାଖରେ ମୃତଦେହଗୁଡ଼ିକ ପଡ଼ିରହିଛି ।   ଏହାପୂର୍ବରୁ ଗତ ମାସରେ ଆସାମର ନାଗାଁଓ ଅନ୍ତର୍ଗତ ପୁରାନୀ ଗୁଦାମର କେନାପଟି ଅଞ୍ଚଳରେ ମଧ୍ୟ ଏଭଳି ଦୁର୍ଘଟଣା ଘଟିଥିଲା। ସେଠାରେ ଏକ କାର୍ ରାସ୍ତା କଡ଼ ବିଦ୍ୟୁତ୍ ଖୁଣ୍ଟରେ ପିଟି ହେବା ପରେ ଗାଡ଼ିରେ ନିଆଁ ଲାଗିଯାଇଥିଲା । ଫଳରେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ହୋଇଥିଲେ।