ପୁଞ୍ଛ: ଜମ୍ମୁ-କାଶ୍ମୀର ପୁଞ୍ଛ ଜିଲ୍ଲା ନିୟନ୍ତ୍ରଣ ରେଖା (ଏଲଓସି) ନିକଟରେ ଭାରତୀୟ ସୀମାକୁ ଅନୁପ୍ରବେଶ ଉଦ୍ୟମ କରି ଏକ ପାକିସ୍ତାନୀ ଆତଙ୍କବାଦୀ ସମୂହ ନିପାତ ହୋଇଯାଇଛି। କୃଷ୍ଣାଘାଟି (କେଜି) ସେକ୍ଟରରେ ଆତଙ୍କବାଦୀ ଭାରତୀୟ ସେନା ବିଛାଇଥିବା ଲ୍ୟାଣ୍ଡମାଇନର ଶିକାର ହୋଇଛନ୍ତି। ଲ୍ୟାଣ୍ଡମାଇନ ବିସ୍ଫୋରଣରେ ଲସ୍କର-ଏ-ତୌୟବା (ଏଲଇଟି)ର ଜଣେ ବରିଷ୍ଠ କମାଣ୍ଡର ସହିତ ୪ ପାକିସ୍ତାନୀ ଆତଙ୍କବାଦୀ ପ୍ରାଣ ହରାଇଛନ୍ତି।

ଅଧିକାରୀଙ୍କ ଅନୁସାରେ ଏହି ଘଟଣା ସୋମବାର କୃଷ୍ଣାଘାଟି ସେକ୍ଟରର ସତବାଲ-ନାକି କ୍ଷେତ୍ରରେ ଘଟିଛି। ଏହି ଅଞ୍ଚଳଟି ନିୟନ୍ତ୍ରଣ ରେଖାରେ ଏକ ପାରମ୍ପରିକ ଅନୁପ୍ରବେଶ ମାର୍ଗ ଭାବେ ବେଶ୍ ଜଣାଶୁଣା। ଏହି ରାସ୍ତା ଦେଇ ପୂର୍ବରୁ ମଧ୍ୟ ଆତଙ୍କବାଦୀ ଭାରତକୁ ଅନୁପ୍ରବେଶ ଉଦ୍ୟମ କରିଛନ୍ତି। ପିଓକେ ପଟରୁ ଆଜି ଭାରତକୁ ଆସୁଥିବା ଆତଙ୍କବାଦୀ ଦଳ ଯେମିତି ଫରୱାର୍ଡ ଅଞ୍ଚଳକୁ ପହଞ୍ଚିଛନ୍ତି ସେଠାରେ ବିଛା ଯାଇଥିବା ଲ୍ୟାଣ୍ଡମାଇନ ସଂସ୍ପର୍ଶରେ ଆସିଯାଇଥିଲେ। ଫଳରେ ଏତେ ଜୋରର ବିସ୍ଫୋରଣ ହୋଇଥିଲା ଯେ ଆଖାପାଖ ସୀମାବର୍ତ୍ତି ଅଞ୍ଚଳ ଥରି ଉଠିଥିଲା।

ଅଧିକାରୀକ ସୂତ୍ର ଓ ସ୍ଥାନୀୟ ରିପୋର୍ଟ ଅନୁସାରେ ପ୍ରାଣ ହରାଇଥିବା ୪ ଜଣ ଆତଙ୍କବାଦୀ ପିଓକେର ପୁଞ୍ଛ ଜିଲ୍ଲା ହଜିରା ତହସିଲ ଅନ୍ତର୍ଗତ ମଣ୍ଡଲା ଓ ମଦରପୁର କ୍ଷେତ୍ରର ବାସିନ୍ଦା ଥିଲେ। ମୃତକଙ୍କୁ ମହମ୍ମଦ ଫୈଜାନ, ମହମ୍ମଦ ଇସ୍ତିୟାକ୍, ମହମ୍ମଦ ଭକାସ ଓ ମହମ୍ମଦ ଅସୀମ ଭାବେ ଚିହ୍ନଟ କରାଯାଇଛି। ଏଥିରେ ମହମ୍ମଦ ଫୈଜାନ ଲସ୍କରର ଜଣେ ଶୀର୍ଷ କମାଣ୍ଡର ଥିଲା ବୋଲି ଜଣାପଡିଛି। ସୁରକ୍ଷା ଅଧିକାରୀ କହିଛନ୍ତି ଯେ ବିସ୍ଫୋରଣର ସଠିକ କାରଣ ଯାଞ୍ଚ କରାଯାଉଛି। କାରଣ ଅତୀତରେ ଏହି କ୍ଷେତ୍ରରେ ପାକିସ୍ତାନ ବର୍ଡର ଆକ୍ସନ ଟିମ୍ (ବିଏଟି)ର ୬-୭ ଜଣ କମାଣ୍ଡୋ ଏହିଭଳି ଏକ ବିସ୍ଫୋରଣରେ ପ୍ରାଣ ହରାଇଥିଲେ।