ଭୁବନେଶ୍ବର: ଅଗଷ୍ଟ ୧୨ ତାରିଖରେ ପାଳନ ହୁଏ ବିଶ୍ବ ହସ୍ତୀ ଦିବସ। ପ୍ରତିବର୍ଷ ଏହି ଦିନରେ ହାତୀ ମାନଙ୍କର ସୁରକ୍ଷା ପାଇଁ ସାରା ବିଶ୍ବରେ ଚିନ୍ତନ କରାଯାଇ ବିଭିନ୍ନ ଯୋଜନା ପ୍ରଣୟନ କରାଯାଇଥାଏ। ତେବେ ଦିନକୁ ଦିନ ହାତୀ ମାନଙ୍କର ସଂଖ୍ୟା ହ୍ରାସ ପାଉଥିବା ବେଳେ, ଅନେକ ସମୟରେ ହାତୀ ମଣିଷ ଭିତରେ ଲଢେଇ ଅଧିକ ଉଗ୍ର ହେଉଛି।

ଖାଲି ସେତିକି ନୁହେଁ ହାତୀମାନଙ୍କର ଆଚରଣ ମଧ୍ୟ ବଦଳିବାରେ ଲାଗିଛି। ଏବେ ସେମାନେ ଜଙ୍ଗଲର ଡାଳପତ୍ର ବଦଳରେ ମଣିଷର ଖାଦ୍ୟ ପ୍ରତି ବେଶୀ ଆକର୍ଷିତ ହେଉଛନ୍ତି। ଜଙ୍ଗଲର ବରଡାଳ, ବାଉଁଶ କରଡ଼ି ହାତୀକୁ ରୁଚୁନି। ଏବେ ହାତୀ ବି ଖୋଜୁଛି ମଣିଷ ଭଳିଆ ଟେଷ୍ଟି ଟେଷ୍ଟି ଫୁଡ। ସେ ଆମ୍ବ ପଣସ ହେଉ କି ଧାନ ଚାଉଳ ଭାତ, ମକା, ବାଜରା, ଆଖୁ. ଏମିତି କି ମହୁଲ ହାଣ୍ଡିଆ, ମଣିଷ ଯେମିତି ଖାଦ୍ୟ କ୍ଷେତ୍ରରେ ସ୍ବାଦକୁ ଗୁରୁତ୍ବ ଦିଏ ହାତୀବି ସେମିତି ଦେଲାଣି। ସେଥିପାଇଁ ତ ସେମାନେ ଜଙ୍ଗଲ ଛାଡି ଗାଁ ଆଡକୁ ଦୌଡୁଛନ୍ତି। ଆଉ ପରିଣାମ ହେଉଛି ହାତୀ ମଣିଷ ଲଢେଇ।

ହାତୀଙ୍କ ପାଇଁ ବଡ଼ ନିଷ୍ପତ୍ତି

ହାତୀର ଏମିତି ବଦଳୁଥିବା ରୁଚି ଦେଖି ଓଡ଼ିଶା ସରକାର ନେଇଛନ୍ତି ବଡ ନିଷ୍ପତ୍ତି। ବିଶ୍ବ ହାତୀ ଦିବସରେ ଭୁବନେଶ୍ବର ଆରଏମଏନଏଚ ସଭାଗୃହରେ ଆୟୋଜିତ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ଯୋଗଦେଇ ଜଙ୍ଗଲ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ଏ ବାବଦରେ ସୂଚନା ଦେଇଛନ୍ତି। ଏଣିକି ଶିମିଳିପାଳ, ମହାନଦୀ ଓ ସମ୍ବଲପୁର ରିଜର୍ଭ ଅଞ୍ଚଳରେ ହାତୀଙ୍କ ପାଇଁ ବୃହତ ପରିମାଣରେ ଫଳ ଓ ପନିପରିବା ଗଛ ଲଗାଯିବ। ଯେମିତି ସେମାନେ ଫସଲ ଖାଇବାକୁ ଗାଁ ଆଡକୁ ଆଉ ଆସିବେନି।

Also Read: ବନ୍ୟା କ୍ଷୟକ୍ଷତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ବଡ଼ ସୂଚନା : ୨୪ ଜିଲ୍ଲା ପ୍ରଭାବିତ, ୭୯ ହଜାର ହେକ୍ଟର ଚାଷଜମି କ୍ଷତିଗ୍ରସ୍ତ

ଓଡ଼ିଶାରେ ୩୩% ଜଙ୍ଗଲ ଅଛି। ହିସାବ ଅନୁସାରେ ଓଡ଼ିଶାରେ ଜଙ୍ଗଲ ଅନୁସାରେ ୧୮୦୦ କିମ୍ବା ୧୯୦୦ ହାତୀ ରହିବା କଥା । କିନ୍ତୁ ଏବେ ଓଡ଼ିଶାରେ ୨୧ଶହ ହାତୀ ଅଛନ୍ତି। ସେଥିପାଇଁ ହାତୀ ଜନବସତି ମୁହାଁ ହେଉଛନ୍ତି। ହାତୀ ଆଉ ମଣିଷ ସଂଘର୍ଷ ଢେଙ୍କାନାଳ ଓ ଅନୁଗୁଳ କେନ୍ଦୁଝରରେ ବେଶୀ ଦେଖାଯାଉଛି। ଯେଉଁ ଅଞ୍ଚଳରେ କ୍ଷତି ହେଉଛି ସେ ଅଞ୍ଚଳର ଲୋକଙ୍କୁ କିପରି ସଚେତନ କରାଯାଇପାରିବ ଓ କ୍ଷତି ହୋଇଥିବା ଲୋକଙ୍କୁ କିପରି ଅନୁକମ୍ପାରାଶି ଦେଇହେବ ସେ ଦିଗରେ ସରକାର ଗୁରୁତ୍ବ ଦେଉଛନ୍ତି। ଗଜସାଥୀ ବାହିନୀ ଗଠନ କରାଯାଉଛି।

AI ଟେକ୍ନୋଲୋଜି ଦ୍ବାରା ହାତୀଙ୍କ ଉପରେ ନଜର ରଖାଯାଉଛି। ଶିମିଳିପାଳ ଅଞ୍ଚଳରେ ୩୦୦ରୁ ଅଧିକ କ୍ୟାମେରା ଲାଗିଛି। ପାଞ୍ଚରୁ ଛଅ କିଲୋମିଟରର ଗତିବିଧି ରେକର୍ଡ କରାଯାଇପାରୁଛି । ସାତକୋଶିଆରେ ଜଙ୍ଗଲ ବିଭାଗ କ୍ୟାମେରା ଲଗାଇବ । ହାତୀ ମଣିଷ ଲଢ଼େଇ ରୋକିବା ପାଇଁ ଲୋକଙ୍କୁ ସଚେତନ ହେବା ଜରୁରୀ ବୋଲି ବନ୍ୟପ୍ରାଣୀ ବିଶେଷଜ୍ଞ କହିଛନ୍ତି। ମଣିଷ ଓ ହାତୀ ଉଭୟଙ୍କ ସୁରକ୍ଷା ଜରୁରୀ। ତେଣୁ ସରକାରୀ ପଦକ୍ଷେପ ଯେତିକି ନିଆଯାଉଛି ସେହି ଅନୁସାରେ ଲୋକେ ମଧ୍ୟ ହାତୀଙ୍କୁ ଚିଡାନ୍ତୁ ନାହିଁ। ଲୋକେ ସଚେତନ ହେବା ଦରକାର।