ମୁମ୍ବାଇ୦୩।୧୦:ବଲିଉଡ୍ ଅଭିନେତ୍ରୀ ନୁସରତ୍ ଭରୁଚାଙ୍କୁ ନେଇ ଚିନ୍ତା ବଢ଼ିଛି। ଇଣ୍ଡୋନେସିଆର ବାଲିରେ ଏକ ଦୁର୍ଘଟଣାରେ ସେ ଆହତ ହୋଇଥିବା ବେଳେ ତାଙ୍କ ମେରୁଦଣ୍ଡରେ ଫ୍ରାକ୍ଚର୍ ହୋଇଛି। ବାଲିରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ଏୟାର୍ ଆମ୍ବୁଲାନ୍ସ ଯୋଗେ ମୁମ୍ବାଇ ଅଣାଯାଇଛି। ମୁମ୍ବାଇରେ ତାଙ୍କର ମେରୁଦଣ୍ଡ ଅସ୍ତ୍ରୋପଚାର କରାଯିବ ବୋଲି ତାଙ୍କ ଟିମ୍ ପକ୍ଷରୁ ସୂଚନା ଦିଆଯାଇଛି।

ନୁସରତ୍ ଭରୁଚା କାମ ସହ ଛୁଟି କଟାଇବା ପାଇଁ ବାଲି ଯାଇଥିଲେ। ସେଠାରେ ଦୁର୍ଘଟଣା ପରେ ତାଙ୍କୁ ଏକ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଡାକ୍ତରମାନଙ୍କ ପରୀକ୍ଷା ପରେ ମେରୁଦଣ୍ଡରେ ଫ୍ରାକ୍ଚର୍ ଥିବା ଜଣାପଡ଼ିଥିଲା ଏବଂ ଅସ୍ତ୍ରୋପଚାରର ଆବଶ୍ୟକତା ରହିଥିବା କୁହାଯାଇଥିଲା। ଏହାପରେ ଅଧିକ ଚିକିତ୍ସା ପାଇଁ ତାଙ୍କୁ ମୁମ୍ବାଇ ନେବାର ବ୍ୟବସ୍ଥା କରାଯାଇଥିଲା।

ମୁମ୍ବାଇ ପହଞ୍ଚିବା ପରେ ନୁସରତଙ୍କର କିଛି ଫଟୋ ଓ ଭିଡିଓ ସାମ୍ନାକୁ ଆସିଛି। ଏଥିରେ ତାଙ୍କୁ ଷ୍ଟ୍ରେଚରରେ ନିଆଯାଉଥିବା ଦେଖାଯାଇଛି। କିଛି ଭିଡିଓରେ ତାଙ୍କ ନାକରେ ଅକ୍ସିଜେନ୍ ଟ୍ୟୁବ୍ ଲାଗିଥିବା ମଧ୍ୟ ଦେଖାଯାଇଛି। ତେବେ ଏହି ଭିଡିଓ ଆଧାରରେ ତାଙ୍କର ସାମଗ୍ରିକ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ କୌଣସି ନିଷ୍କର୍ଷରେ ପହଞ୍ଚିବା ଉଚିତ୍ ନୁହେଁ।

ନୁସରତ୍ ଭରୁଚା କିପରି ଦୁର୍ଘଟଣାର ଶିକାର ହେଲେ, ସେ ସମ୍ପର୍କରେ ଏପର୍ଯ୍ୟନ୍ତ ତାଙ୍କ ଟିମ୍ ପକ୍ଷରୁ ବିସ୍ତୃତ ସୂଚନା ଦିଆଯାଇନାହିଁ। ତାଙ୍କ ଟିମ୍ କହିଛି ଯେ ଆଘାତର ପ୍ରକୃତି ଏବଂ ଆଗାମୀ ଅସ୍ତ୍ରୋପଚାରକୁ ଦୃଷ୍ଟିରେ ରଖି ନୁସରତଙ୍କୁ କିଛି ସମୟ ବିଶ୍ରାମ ଓ ସୁସ୍ଥ ହେବାକୁ ଆବଶ୍ୟକ ହେବ। ଏହାର ପ୍ରଭାବ ଆଗାମୀ କିଛି ସପ୍ତାହରେ ତାଙ୍କ କାର୍ଯ୍ୟସୂଚୀ ଉପରେ ପଡ଼ିପାରେ। ନୁସରତଙ୍କ ଟିମ୍ ଏହି ସମୟରେ ତାଙ୍କ ସ୍ୱାସ୍ଥ୍ୟକୁ ପ୍ରାଥମିକତା ଦିଆଯାଉଥିବା କହିବା ସହ ଅଭିନେତ୍ରୀଙ୍କୁ ଚିକିତ୍ସା ଓ ସୁସ୍ଥତା ଉପରେ ଧ୍ୟାନ ଦେବା ପାଇଁ ନିଜତା ଦେବାକୁ ଅନୁରୋଧ କରିଛି। ଅଧିକ ସୂଚନା ମିଳିଲେ ତାହା ଜଣାଇ ଦିଆଯିବ ବୋଲି ମଧ୍ୟ ଟିମ୍ ପକ୍ଷରୁ କୁହାଯାଇଛି।