ଲଣ୍ଡନ: ୟୁରୋପରେ ଏବେ ଗ୍ରୀଷ୍ମ ଆରମ୍ଭ ବି ହୋଇନି, ହେଲେ ତା ପୂର୍ବରୁ ପାରଦ ଉପରମୁହାଁ ହେଲାଣି। ୟୁରୋପର ଅନେକ ଦେଶରେ ଗରମ ଏବେ ଦୀର୍ଘ ଦଶନ୍ଧୀର ରେକର୍ଡ ଭାଙ୍ଗିଛି। ବ୍ରିଟେନ, ଫ୍ରାନ୍ସ ଓ ସ୍ପେନ ସମେତ ପଶ୍ଚି ୟୁରୋପର ଏକ ବିସ୍ତୃତ ଭାଗ ଏବେ ଭୀଷଣ ଗରମରେ ସନ୍ତୁଳି ହେଉଛି। ବୈଜ୍ଞାନିକମାନେ ଏହାକୁ ନା କେବଳ ଏକ ଋତୁ ପରିବର୍ତ୍ତନ ବରଂ ମାନବ ଜନିତ ଜଳବାୟୁ ପରିବର୍ତ୍ତନର ସ୍ପଷ୍ଟ ସଂକେତ ବୋଲି କହୁଛନ୍ତି। ଏଥି ମଧ୍ୟରେ ଭାରତ ସମେତ ପାକିସ୍ତାନରେ ତାପମାତ୍ରା ସ୍ୱଭାବିକରୁ କିଛି ଡିଗ୍ରି ଉପରେ ରହିବାରେ ଲାଗିଛି। ମେ ମାସରେ ଗ୍ରୀଷ୍ମ ସବୁ ରେକର୍ଡ ଭାଙ୍ଗିଛି।

ବ୍ରିଟେନରେ ୧୦୦ ବର୍ଷର ରେକର୍ଡ ଭାଙ୍ଗିଲା ଗ୍ରୀଷ୍ମ
ବ୍ରିଟେନ ରାଜଧାନୀ ଲଣ୍ଡନର କ୍ୟୁ ଗାର୍ଡନରେ ତାପମାତ୍ରା ୩୪.୮ ଡିଗ୍ରି ସେଲସିୟସ ରେକର୍ଡ ହୋଇଛି। ଏହା ମେ ମାସର ତଥା ବସନ୍ତ ଋତୁର ସବୁଠୁ ଅଧିକ ତାପମାତ୍ରା ବୋଲି ଏବେ କୁହାଯାଉଛି। ତେବେ ଗ୍ରୀଷ୍ମର ଏହି ରେକର୍ଡ କେବଳ ଦିନକ ପାଇଁ ନଥିଲା, ତା ପରଦିନ ମଧ୍ୟ ତାପମାତ୍ରା ବଢିଥିଲା। ଏହା ୩୫.୧ ଡିଗ୍ରି ସେଲସିୟସକୁ ପହଞ୍ଚିଥିବା ବେଳେ ବସନ୍ତର ସବୁଠୁ ଉତପ୍ତ ଦିନ ଭାବେ ପରିଗଣିତ ହୋଇଛି। ବ୍ରିଟେନ ପାଣିପାଗ ଏଜେନ୍ସୀ ଏହାକୁ ଏହି ସମୟର ଅଭୂତପୂର୍ବ ଗରମ ବୋଲି କହିଛି। ଏହା ପୂର୍ବରୁ ମେ ମାସରେ ସବୁଠୁ ଅଧିକ ଉତ୍ତାପ ୩୨.୮ ଡିଗ୍ରି ସେଲସିୟସ ଥିଲା ଯାହା ୧୯୨୨ ଓ ୧୯୪୪ରେ ରେକର୍ଡ ହୋଇଥିଲା। ବ୍ରିଟେନ ସ୍ୱାସ୍ଥ୍ୟ ସୁରକ୍ଷା ଏଜେନ୍ସୀ ଏମ୍ବର ହିଟ୍ ହେଲଥ୍ ଆଲର୍ଟ ଜାରି କରିଛି।

ଫ୍ରାନ୍ସ ହିଟୱେଭରେ ୨ ଜଣଙ୍କ ମୃତ୍ୟୁ
ଫ୍ରାନ୍ସରେ ମଧ୍ୟ ମେ ମାସରେ କେତେକ ସ୍ଥାନରେ ରେକର୍ଡ ତାପମାତ୍ରା ଅନୁଭୂତ ହୋଇଛି। ପାଣିପାଗ ବିଜ୍ଞାନ ବିଭାଗ ଅନୁସାରେ ତାପମାତ୍ରା ସ୍ୱଭାବିକରୁ ୧୩ ଡିଗ୍ରି ସେଲସିୟସ ବଢିଛି। ଏହାକୁ ଅସାଧାରଣ ରୂପେ ଶୀଘ୍ର ଓ ଦୀର୍ଘ ସମୟ ପର୍ଯ୍ୟନ୍ତ ଅନୁଭୂତ ହେବାକୁ ଥିବା ଗରମ ବୋଲି କୁହାଯାଇଛି। ଫ୍ରାନ୍ସ ସରକାରଙ୍କ ଅନୁସାରେ ଶନିବାରଠାରୁ ଏ ପର୍ଯ୍ୟନ୍ତ ହିଟୱେଭରେ ୨ ଜଣଙ୍କ ମୃତ୍ୟୁ ହେଲାଣି। ପ୍ୟାରିସରେ ଫ୍ରେଞ୍ଚ ଓପନ ଟେନିସ୍ ଟୁର୍ଣ୍ଣାମେଣ୍ଟ କାଳରେ ଖେଳାଳି ଓ ଦର୍ଶକ ଭୀଷଣ ଗରମର ସମ୍ମୁଖୀନ ହୋଇଛନ୍ତି। ପରିସ୍ଥିତି ଏପରି ହୋଇଥିଲା ଯେ ଷ୍ଟାଡିୟମରେ ପାଣି ସିଞ୍ଚନ ସହ କୁଲିଂ ଟାୱାରର ସହାୟତା ନେବାକୁ ପଡିଥିଲା।

ସ୍ପେନରେ ପରିସ୍ଥିତି ଅସମ୍ଭାଳ
ସ୍ପେନରେ ପରିସ୍ଥିତି ମଧ୍ୟ ଚିନ୍ତାଜନକ। ସାଧାରଣତଃ ଏଠାରେ ଜୁଲାଇ ମାସରେ ଗ୍ରୀଷ୍ମ ଋତୁ ପ୍ରାରମ୍ଭ ହୋଇଥାଏ, ହେଲେ ଚଳିତବର୍ଷ ମେ ମାସରୁ ଲୋକେ ଗରମରେ ଡହଳବିକଳ ହେଲେଣି। ସ୍ପେନର ଦକ୍ଷିଣ-ପଶ୍ଚିମଭାଗରେ ତାପମାତ୍ରା ୪୦ ଡିଗ୍ରି ସେଲସିୟସକୁ ପହଞ୍ଚିବାରେ ଲାଗିଲାଣି। ରାଜଧାନୀ ମାଦ୍ରିଦରେ ମଧ୍ୟାହ୍ନରେ ସଡ଼କ ଓ କେଫେ ଜନଶୂନ୍ୟ ହୋଇପଡୁଛି। ସ୍ଥାନୀୟ ଲୋକଙ୍କ ଅନୁସାରେ ପାରମ୍ପରିକ ଋତୁ ଚକ୍ର ତୀବ୍ର ବଦଳିବାରେ ଲାଗିଛି। ପୂର୍ବରୁ ଜୁନ ମାସ ପର୍ଯ୍ୟନ୍ତ ହାଲୁକା ଥଣ୍ଡା ଅନୁଭୂତ ହେଉଥିବା ବେଳେ ଏବେ ମେ ମାସରୁ ତାପମାତ୍ରା ବଢିବା ଆରମ୍ଭ ହେଲାଣି।

ଜର୍ମାନରେ ପ୍ରଥମର ପାରଦ ୩୦ ଡିଗ୍ରି ପାର
ଜର୍ମାନରେ ଚଳିତବର୍ଷ ପ୍ରଥମ ଥର ଶନିବାର ତାପମାତ୍ରା ୩୦ ଡିଗ୍ରି ସେଲସିୟସ ଉପରକୁ ପହଞ୍ଚିଥିଲା। ବିଶେଷଜ୍ଞଙ୍କ ଅନୁସାରେ ଜୁନ ଆରମ୍ଭ ହେବା ପୂର୍ବରୁ ଏପରି ତାପମାତ୍ରା ବୃଦ୍ଧିକୁ ସ୍ୱଭାବିକ କୁହାଯାଇ ପାରିବନି। ପଶ୍ଚିମ ଓ ଦକ୍ଷିଣ ଜର୍ମାନୀରେ ଲୋକଙ୍କୁ ଟାଣ ଖରା ଓ ଗରମ ପବନର ସାମ୍ନା କରିବାକୁ ପଡୁଛି। ସହରର ବିଭିନ୍ନ ପାର୍କ, ପୁଷ୍କରିଣୀ ଓ ସ୍ୱମିଂ ପୁଲରେ ଲୋକେ ଭିଡ ଜମାଉଛନ୍ତି। ଜର୍ମାନ ପାଣିପାଗ ଏଜେନ୍ସୀ ଅନୁସାରେ ଆଗାମୀ ଦିନରେ ତାପମାତ୍ରା ଆହୁରି ବଢିପାରେ। ଏଣୁ ବୟଷ୍କ, ଶିଶୁ ଓ ଅସୁସ୍ଥ ଲୋକେ ଏଥି ଯୋଗୁ ପ୍ରଭାବିତ ହୋଇ ପାରନ୍ତି।