ସିଓଲ, ୨୦ /୦୩: ଯୁଦ୍ଧ କରିବେ କି କିମ୍ ଜଙ୍ଗ୍ ? ମଧ୍ୟପ୍ରାଚ୍ୟ ଯୁଦ୍ଧରେ ଇରାନକୁ ବଢାଇବେ କି ସାହାଯ୍ୟର ହାତ ? ଉତ୍ତର କୋରିଆର ଶାସକ କିମ୍ ଜଙ୍ଗ୍ କୁ ନେଇ ଏମିତି ଅନେକ ପ୍ରଶ୍ନ । ଯାହାର କାରଣ ହେଉଛନ୍ତି କିମ୍ ଙ୍କ ଝିଅ ଜୁ ଏ । ଝିଅ ଜୁଏ ସହ କିମ୍ ସମରାଭ୍ୟାସରେ ସାମିଲ ହୋଇଛନ୍ତି । ଏପରିକି ଉଭୟ ଏକ ଟ୍ୟାଙ୍କରେ ବସିଥିବା ଦେଖିବାକୁ ମିଳିଛି ।

ଉତ୍ତର କୋରିଆର ତାନାଶାହୀ ଶାସକ କିମ୍ ଜଙ୍ଗ୍ । କଥା କଥାକେ ଆମେରିକାକୁ ଆଖି ଦେଖାନ୍ତି । ପରମାଣୁ ଧମକ ଦିଅନ୍ତି । କଟକଣା ସତ୍ତ୍ୱେ ଦକ୍ଷିଣ କୋରିଆ ଏବଂ ଜାପାନ ନିକଟରେ ମିସାଇଲ୍ ପରୀକ୍ଷଣ କରନ୍ତି । ଏସବୁ ଭିତରେ କିମଙ୍କ ଏକ ଫଟୋ ଭାଇରାଲ ହେଉଛି । ଯେଉଁଥିରେ ସେ ନିଜ ଝିଅ ଜୁ ଏଙ୍କ ସହ ମିଶି ଏକ ଟ୍ୟାଙ୍କରେ ବସିଛନ୍ତି ।

ଗତ କିଛି ଦିନ ଧରି କିମଙ୍କ ୧୩ ବର୍ଷର ଝିଅ ଜୁ ଏଙ୍କ ଫଟୋ ଖୁବ୍ ଭାଇରାଲ ହେଉଛି । ସେ ବାପା କିମ୍ ଙ୍କ ସହ ଅନେକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଯୋଗ ଦେଉଛନ୍ତି । ସାମରିକ ଘାଟି ବୁଲି ଦେଖୁଛନ୍ତି । ଏବେ ଭାଇରାଲ ହେଉଥିବା ଟ୍ୟାଙ୍କ୍ ଫଟୋରେ ସେ ଟ୍ୟାଙ୍କ୍ ରାଇଡର୍ ପୋଷାକ ପରିଧାନ କରିଛନ୍ତି । ପିତା କିମଙ୍କ ସମେତ ଅନ୍ୟ ତିନି ସୈନ୍ୟ ଅଧିକାରୀ ଟ୍ୟାଙ୍କରେ ପରିଦର୍ଶନ କରୁଛନ୍ତି ।

Also Read :-ଯୁଦ୍ଧରେ ଆମେରିକାର ଭୟଙ୍କର କ୍ଷତି, ଧ୍ୱଂସ ହୋଇଛି ୧୬ ଫାଇଟର୍ ଜେଟ୍

ଗୁରୁବାର କିମ୍ ଦେଶର ସେନାରେ ନୂଆ କରି ସାମିଲ ହୋଇଥିବା ଟ୍ୟାଙ୍କ୍ ପରିଦର୍ଶନ କରିଥିଲେ । ଲଗତାର ଭାବେ ସେ ଦେଶର ସାମରିକ ଶକ୍ତିକୁ ବୃଦ୍ଧି କରୁଛନ୍ତି । ଏଥିରେ ନୂତନ ଜ୍ଞାନକୌଶଳ ସାମିଲ ହେଉଛି । ସେହିପରି ଝିଅ ଜୁ ମଧ୍ୟ ଗତ ସପ୍ତାହରେ ଏକ ରାଇଫଲ୍ ଏବଂ ପିସ୍ତଲ ଧରି ଫାୟାରିଂ କରୁଥିଲେ । ଯାହାର ଫଟୋ ଏବଂ ଭିଡିଓ ସାମ୍ନାକୁ ଆସିବା ପରେ ନୂଆ ନୂଆ ପ୍ରଶ୍ନ ସୃଷ୍ଟି ହେଉଛି ।