ରାଉରକେଲା: ବିଜୟା ଦଶମୀରେ ସୁନ୍ଦରଗଡ଼ ଜିଲ୍ଲାରେ ଘଟିଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। କାର୍ ଓ ହାଇୱା ମୁହାଁମୁହିଁ ଧକ୍କାରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୭ ଜଣ ଗୁରୁତର ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ଜଣେ ମହିଳା ଓ ଏକ ୪ ବର୍ଷର ଶିଶୁପୁତ୍ର ଥିବା ଜଣାପଡ଼ିଛି।

ସୂଚନା ଅନୁଯାୟୀ, ରାଉରକେଲାରୁ ଲହୁଣୀପଡ଼ାର କଲେଇପୋଷ ଅଭିମୁଖେ ଏକ କାର୍ ଯାଉଥିବାବେଳେ ବରସୁଆଁରୁ ରାଜାମୁଣ୍ଡା ଅଭିମୁଖେ ଏକ ହାଇୱା ଯାଉଥିଲା। ଏହି ସମୟରେ କଲେଇପୋଷକଟା ନିକଟରେ ଉଭୟ ଗାଡ଼ି ମଧ୍ୟରେ ଜୋରଦାର ଧକ୍କା ହୋଇଥିଲା। ଫଳରେ କାର୍ରେ ଥିବା ଦୁଇ ଜଣଙ୍କ ମୃତ୍ୟୁ ହେବା ସହ ଅନ୍ୟ ୭ ଜଣ ଗୁରୁତର ଆହତ ହୋଇଥିଲେ।

ଦୁର୍ଘଟଣାରେ ଗୁରୁତରଙ୍କ ମଧ୍ୟରେ ୧୦ ବର୍ଷରୁ କମ୍ ବୟସର ଦୁଇ ଜଣ ଶିଶୁଙ୍କ ସହ ଜଣେ ୬ ମାସର ଶିଶୁକନ୍ୟା ମଧ୍ୟ ରହିଛନ୍ତି। କାରରେ ଦୁଇ ଭଉଣୀଙ୍କ ପରିବାର ଯାତ୍ରା କରୁଥିବା ସୂଚନା ମିଳିଛି। ଦୁର୍ଘଟଣା ପରେ ମୃତକଙ୍କ ମୃତଦେହକୁ ଲହୁଣୀପଡ଼ା ଡାକ୍ତରଖାନାରେ ରଖାଯାଇଥିବାବେଳେ ଗୁରୁତର ଆହତ ୭ ଜଣଙ୍କୁ ଅଧିକ ଚିକିତ୍ସା ପାଇଁ ରାଉରକେଲା ସରକାରୀ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।

Also Read: ପୃଥକ୍ ସଡ଼କ ଦୁର୍ଘଟଣାରେ ମହିଳା ଓ ବୃଦ୍ଧଙ୍କ ମୃତ୍ୟୁ, ୨ ଗୁରୁତର

ଅନ୍ୟପକ୍ଷରେ, ଦୁର୍ଘଟଣା ଘଟାଇବା ପରେ ହାଇୱା ଚାଳକ ଘଟଣାସ୍ଥଳରୁ ଫେରାର ହୋଇଯାଇଛି। ଖବର ପାଇ ଲହୁଣୀପଡ଼ା ପୋଲିସ ଘଟଣାସ୍ଥଳରେ ପହଞ୍ଚିଛି। ଦୁର୍ଘଟଣାର କାରଣ ଓ ଫେରାର ହାଇୱା ଚାଳକଙ୍କ ସମ୍ପର୍କରେ ଅଧିକ ତଦନ୍ତ ଜାରି ରହିଛି।