ସିଓଲ,୨୪ /୦୩: ପଛକୁ ହଟୁନି ଇରାନ୍ । ଆମେରିକା ଏବଂ ଇସ୍ରାଏଲ ତେହେରାନ ଉପରେ ଘନ ଘନ ଆକ୍ରମଣ କରୁଛନ୍ତି । ଲଢେଇ ବନ୍ଦ ପାଇଁ ଆଲୋଚନା ଜାରି ରହିଥିବା ବେଳେ ବି ଆକାଶରେ ଦେଖାଦେଉଛି ମିସାଇଲ୍ । ଯାହାକୁ ନେଇ ମଧ୍ୟପ୍ରାଚ୍ୟ ଏବେ ସଙ୍କଟରେ । ଏସବୁ ଭିତରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ୍ ଟ୍ରମ୍ପଙ୍କୁ ଚେତାବନୀ ଦେଇଛନ୍ତି ଉତ୍ତର କୋରିଆ ତାନାଶାହୀ କିମ୍ ଜଙ୍ଗ୍ ।

କିମଙ୍କ ଧମକ

କିମ୍ ସଂସଦରେ ସମ୍ବୋଧନ କରି କହିଛନ୍ତି ଯେ, ଦେଶର ପରମାଣୁ ନୀତିକୁ ଆହୁରି ଶକ୍ତ କରାଯିବ । ଉତ୍ତର କୋରିଆ ଏକ ସ୍ୱାଧିନ ଦେଶ । ସେମାନେ ପରମାଣୁ ଶକ୍ତି ସମ୍ପନ୍ନ ଦେଶ । ନିଜର ଆଣବିକ ଶକ୍ତିକୁ ଆହୁରି ମଜବୁତ କରିବେ । ସେମାନେ ଦକ୍ଷିଣ କୋରିଆକୁ ନିଜର ସବୁଠୁ ବଡ ଶତ୍ରୁ ମାନନ୍ତି । ଏହାସହ ୨୦୨୬ରେ ପ୍ରତିରକ୍ଷା ବଜେଟକୁ କିମ୍ ୧୫ ପ୍ରତିଶତ ବୃଦ୍ଧି କରିଛନ୍ତି ।

କେସିଏନଏ ରିପୋର୍ଟ ଅନୁସାରେ, କିମ୍ ସୋମବାର ସୁପ୍ରିମ୍ ପିପୁଲ୍ସ ଆସେମ୍ବଲିକୁ ସମ୍ବୋଧନ କରିଛନ୍ତି । ନିଜ ଭାଷଣରେ ସେ କହିଛନ୍ତି ଯେ, ପରମାଣୁ ଶକ୍ତି ଉପରେ ଜୋର୍ ଦିଆଯିବ । ଦେଶକୁ ବିକାଶର ରାସ୍ତାରେ ନେବାକୁ ହେବ । ଅନେକ ସମୟରେ ପରମାଣୁ ନିରସ୍ତ୍ରକରଣ ବଦଳରେ ଆର୍ଥିକ ସହାୟତା ପ୍ରଦାନ ନେଇ ଆଲୋଚନା ହେଉଛି । ଏହା ସମ୍ପୂର୍ଣ୍ଣ ମିଛ । ଉତ୍ତର କୋରିଆର ଏପରି କିଛି ଯୋଜନା ନାହିଁ । ପରମାଣୁ ଅସ୍ତ୍ର ହିଁ ଯୁଦ୍ଧକୁ ରୋକିଛି ।

ଆମେରିକା ବିରୋଧରେ ଅଭିଯୋଗ

ତାନାଶାହୀ ଅଭିଯୋଗ କରିଛନ୍ତି ଯେ, ଆମେରିକା ଏବଂ ଏହାର ସହଯୋଗୀ ଉତ୍ତର କୋରିଆ ପାଖରେ ପରମାଣୁ ଅସ୍ତ୍ରଶସ୍ତ୍ର ମୁତୟନ କରି ପ୍ରାନ୍ତକୁ ଅସ୍ଥିର କରୁଛନ୍ତି । ଏବେ ଉତ୍ତର କୋରିଆ ନିଜେ ବିପଦରେ ଥିବା ମନେ କରୁନାହିଁ । ଆବଶ୍ୟକ ବେଳେ ସେମାନେ ଅନ୍ୟକୁ ଧମକ ଦେଇପାରୁଛନ୍ତି ।

ଦକ୍ଷିଣ କୋରିଆ ବଡ ଶତ୍ରୁ

ଦକ୍ଷିଣ କୋରିଆ ସହ ଦଶନ୍ଧି ଦଶନ୍ଧି ଧରି ରହିଥିବା ସାଂସ୍କୃତିକ ସମ୍ପର୍କକୁ ପଛକୁ ଠେଲି କିମ୍ ଏହାକୁ ସବୁଠୁ ବଡ ଶତ୍ରୁ ବୋଲି କହିଛନ୍ତି । ଏହାସହ ସେ ସିଓଲକୁ ଚେତାବନୀ ଦେଇଛନ୍ତି । ସିଓଲ ଯଦି ଉତ୍ତର କୋରିଆର ଅଖଣ୍ଡତା ପ୍ରତି ବିପଦ ସୃଷ୍ଟି କରେ ତେବେ ଏହାର ଜବାବ ଦିଆଯିବ ।

​​​​​​​Also Read :- Iran War : ଇରାନର ଡ୍ରୋନ୍ ଆକ୍ରମଣ ନେଇ ବାହାରିନ ଓ ଆମେରିକାର ମିଛ ତଥ୍ୟ ! ସନ୍ଦେହରେ ଡିଏଗୋ ଗାର୍ସିଆ, ତୁର୍କୀ ଆକ୍ରମଣ

ନୂଆ ଯୋଜନା ଉପରେ ଫୋକସ

ଦେଶର ସୁରକ୍ଷା ସହ କିମ୍ ଉଦ୍ୟୋଗକୁ ଆଧୁନିକୀକରଣ, ବିଜୁଳି ଏବଂ କୋଇଲା ଉତ୍ପାଦନ ବୃଦ୍ଧି କରିବାକୁ ନିଷ୍ପତ୍ତି ନିଆଯାଇଛି । ଆହୁରି ମଧ୍ୟ ଦେଶ ସାରା ଗୃହ ନିର୍ମାଣ ଉପରେ କିମ୍ ଫୋକସ କରିଛନ୍ତି ।