ସିଓଲ : କୋରିଆ ଉପଦ୍ୱୀପରେ ପୁଣିଥରେ ସାମରିକ କନ୍ଦଳ ବଢ଼ିଛି। ଉତ୍ତର କୋରିଆ ରବିବାର ତା'ର ପୂର୍ବ ଉପକୂଳରୁ ସମୁଦ୍ର ଦିଗକୁ ଏକ ସନ୍ଦିଗ୍ଧ ସ୍ୱଳ୍ପ ଦୂରଗାମୀ ବାଲିଷ୍ଟିକ୍ ମିସାଇଲ୍ ଛାଡିଥିବା ଦକ୍ଷିଣ କୋରିଆର ସେନା ସୂଚନା ଦେଇଛି। ଜାପାନର ପ୍ରତିରକ୍ଷା ମନ୍ତ୍ରଣାଳୟ ମଧ୍ୟ ଏହା ବାଲିଷ୍ଟିକ୍ ମିସାଇଲ୍ ହୋଇଥିବା ସମ୍ଭାବନା ଥିବା କହିଛି। ଦକ୍ଷିଣ କୋରିଆର ସେନା ଅନୁସାରେ, ମିସାଇଲ୍ଟି ପ୍ରାୟ ୪୫୦ କିଲୋମିଟର ଦୂରତା ଅତିକ୍ରମ କରି ପୂର୍ବ ସମୁଦ୍ର ଦିଗକୁ ଯାଇଥିଲା। ଜାପାନ ପକ୍ଷରୁ କୁହାଯାଇଛି ଯେ ଏହା ଜାପାନର ସମୁଦ୍ରସୀମାରେ ପଡ଼ିନଥିଲା।

ଏହି ମିସାଇଲ୍ ପରୀକ୍ଷଣ ପରେ ଦକ୍ଷିଣ କୋରିଆ ନିଜର ନିରୀକ୍ଷଣ ବ୍ୟବସ୍ଥାକୁ ଅଧିକ ସକ୍ରିୟ କରିଛି। ଆମେରିକା ଓ ଜାପାନ ସହ ମିଶି ମିସାଇଲ୍ ଉତ୍କ୍ଷେପଣ ସମ୍ପର୍କିତ ସୂଚନାର ଆଦାନପ୍ରଦାନ ଜାରି ରହିଛି। ଦକ୍ଷିଣ କୋରିଆର ରାଷ୍ଟ୍ରପତି କାର୍ଯ୍ୟାଳୟ ଏହି ପରୀକ୍ଷଣକୁ ନେଇ ଜାତୀୟ ସୁରକ୍ଷା ପରିଷଦର ଜରୁରୀ ବୈଠକ ମଧ୍ୟ କରିଛି।

ଇରାନ ସହ ଯୁଦ୍ଧରେ ଆମେରିକାର ଖର୍ଚ୍ଚ ଟପିଲା ୪୫.୧ ବିଲିୟନ୍ ଡଲାର, ପ୍ରକୃତ ତଥ୍ୟ ଲୁଚାଉଛି ପେଣ୍ଟାଗନ !ଏହି ଘଟଣା ପଛରେ ଆମେରିକା, ଦକ୍ଷିଣ କୋରିଆ ଓ ଜାପାନର ସାମରିକ ଅଭ୍ୟାସକୁ ନେଇ ଉତ୍ତର କୋରିଆର ଅସନ୍ତୋଷ ମଧ୍ୟ ଏକ ପ୍ରମୁଖ ପ୍ରସଙ୍ଗ ଭାବେ ସାମ୍ନାକୁ ଆସିଛି। ଅଗଷ୍ଟ ୨୯ରୁ ସେପ୍ଟେମ୍ବର ୧୦ ପର୍ଯ୍ୟନ୍ତ ଗୁଆମ୍ ନିକଟରେ ଆମେରିକା ନେତୃତ୍ୱରେ ଏକ ନୌସେନା ଅଭ୍ୟାସ ହୋଇଥିଲା, ଯେଉଁଥିରେ ଦକ୍ଷିଣ କୋରିଆ ଓ ଜାପାନ ମଧ୍ୟ ସାମିଲ ଥିଲେ। ଉତ୍ତର କୋରିଆ ଏହି ଅଭ୍ୟାସକୁ ତୀବ୍ର ବିରୋଧ କରିଥିଲା।

ଉତ୍ତର କୋରିଆ ନେତା କିମ୍ ଜୋଙ୍ଗ ଉନ୍ଙ୍କ ଭଉଣୀ ତଥା ବରିଷ୍ଠ ଅଧିକାରୀ କିମ୍ ୟୋ ଜୋଙ୍ଗ ମଧ୍ୟ ଆମେରିକା ନେତୃତ୍ୱାଧୀନ ସାମରିକ ଅଭ୍ୟାସକୁ ନେଇ ଆପତ୍ତି ଜଣାଇଛନ୍ତି। ତାଙ୍କ ଅଭିଯୋଗ ଅନୁସାରେ, ଏପରି ଅଭ୍ୟାସ କୋରିଆ ଉପଦ୍ୱୀପରେ ତଣାପୋଡ଼ ବଢ଼ାଉଛି।

ଏହା ଉତ୍ତର କୋରିଆର ସମ୍ପ୍ରତିର ଆଉ ଏକ ମିସାଇଲ୍ ପରୀକ୍ଷଣ। ସେପ୍ଟେମ୍ବର ୧୨ରେ ମଧ୍ୟ ଉତ୍ତର କୋରିଆ ୱନସାନ୍ ଅଞ୍ଚଳରୁ ଏକାଧିକ ସ୍ୱଳ୍ପ ଦୂରଗାମୀ ବାଲିଷ୍ଟିକ୍ ମିସାଇଲ୍ ଦାଗିଥିଲା। ଏହି ଘଟଣାକ୍ରମକୁ ନେଇ କୋରିଆ ଉପଦ୍ୱୀପରେ ସୁରକ୍ଷା ପରିସ୍ଥିତି ଉପରେ ଆନ୍ତର୍ଜାତୀୟ ନଜର ରହିଛି।

ଦକ୍ଷିଣ କୋରିଆ ଉତ୍ତର କୋରିଆକୁ ତୁରନ୍ତ ବାଲିଷ୍ଟିକ୍ ମିସାଇଲ୍ ପରୀକ୍ଷଣ ବନ୍ଦ କରିବାକୁ କହିଛି ଏବଂ ଏପରି ଉତ୍କ୍ଷେପଣ ଜାତିସଂଘ ସୁରକ୍ଷା ପରିଷଦର ପ୍ରସ୍ତାବର ଉଲ୍ଲଂଘନ ବୋଲି କହିଛି। ଅନ୍ୟପକ୍ଷରେ, ପ୍ୟୋଙ୍ଗୟାଙ୍ଗ ନିଜର ପରମାଣୁ ପ୍ରତିରୋଧ କ୍ଷମତା ବଢ଼ାଇବା ନୀତିରେ କୌଣସି ପରିବର୍ତ୍ତନ ହେବ ନାହିଁ ବୋଲି ସଙ୍କେତ ଦେଇଛି।