ୱାଶିଂଟନ୍: ଆମେରିକାର ପ୍ରତିରକ୍ଷା ମନ୍ତ୍ରଣାଳୟ (ପେଣ୍ଟାଗନ୍) ର ଗୋଟିଏ ପରେ ଗୋଟିଏ ରିପୋର୍ଟ ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ଯୁଦ୍ଧ କ୍ଷେତ୍ରରେ କେବଳ ଗୁଳି-ଗୋଳା ଓ କ୍ଷେପଣାସ୍ତ୍ର ଫୁଟୁନାହିଁ, ବରଂ ଆମେରିକାର ରାଜକୋଷରୁ ବୋମା ଭଳି ଟଙ୍କା ଖସୁଛି। ମାତ୍ର କିଛି ସପ୍ତାହ ମଧ୍ୟରେ ଯୁଦ୍ଧ ଖର୍ଚ୍ଚ ୩୮ ବିଲିୟନ ଡଲାରରୁ ବୃଦ୍ଧି ପାଇ ୪୫.୧ ବିଲିୟନ୍ ଡଲାର (ପ୍ରାୟ ୪.୫ ଲକ୍ଷ କୋଟି ଟଙ୍କାରୁ ଅଧିକ)ରେ ପହଞ୍ଚିଛି। ତେବେ ସବୁଠାରୁ ବଡ଼ ପ୍ରଶ୍ନ ହେଉଛି ଏହି ବିଶାଳ ପରିମାଣର ଅର୍ଥ କୁଆଡ଼େ ଗଲା ? ଏତିକିରେ ବିଲ୍ ଶେଷ ହୋଇଛି ନା ଆଗକୁ ଆହୁରି ସଙ୍କଟ ଆସୁଛି?

କିପରି ବଢ଼ିଲା ଯୁଦ୍ଧର ଖର୍ଚ୍ଚ ?

ଜୁଲାଇ ମାସରେ ପେଣ୍ଟାଗନ୍ ଆକଳନ କରିଥିଲା ଯେ ଏହି ସଂଘର୍ଷରେ ୩୭.୫ ବିଲିୟନ୍ ଡଲାର ଖର୍ଚ୍ଚ ହୋଇଛି। ଏହାର କିଛି ଦିନ ପରେ ଅଗଷ୍ଟ ୧ ସୁଦ୍ଧା ଆମେରିକାର 'କଂଗ୍ରେସନାଲ୍ ବଜେଟ୍ ଅଫିସ୍' (CBO) ଏହି ଖର୍ଚ୍ଚକୁ ୩୮ ବିଲିୟନ୍ ବୋଲି ଦର୍ଶାଇଥିଲା। କିନ୍ତୁ ସେପ୍ଟେମ୍ବର ୩ ସୁଦ୍ଧା ପେଣ୍ଟାଗନର ନୂଆ ହିସାବ ଅନୁସାରେ ଯୁଦ୍ଧ ସମ୍ପର୍କିତ ପ୍ରତ୍ୟକ୍ଷ ଖର୍ଚ୍ଚ ୪୩.୬ ବିଲିୟନ୍ ଡଲାର ରହିଥିଲା। ଅତିରିକ୍ତ ତୈଳ ଖର୍ଚ୍ଚ ୧.୫ ବିଲିୟନ୍ ଡଲାର। ମୋଟ ବର୍ତ୍ତମାନର ବିଲ୍: ୪୫.୧ ବିଲିୟନ୍ ଡଲାର।

୪୫.୧ ବିଲିୟନ୍ ଡଲାରରୁ କ’ଣ ଗାଏବ ଅଛି ?

ସିଏନ୍ଏନର ରିପୋର୍ଟ ଅନୁସାରେ, ଏହି ୪୫.୧ ବିଲିୟନ୍ ଡଲାର ଆକଳନ ଶେଷ ବିଲ୍ ନୁହେଁ। ଏଥିରେ ଅନେକ ଗୁରୁତ୍ୱପୂର୍ଣ୍ଣ ଖର୍ଚ୍ଚକୁ ଯୋଡ଼ାଯାଇ ନାହିଁ। ଯେପରିକି ଯୁଦ୍ଧରେ ନଷ୍ଟ ହୋଇଥିବା ଆମେରିକୀୟ ସାମରିକ ଘାଟି ଓ ବିଲ୍ଡିଂଗୁଡ଼ିକର ପୁନଃନିର୍ମାଣ ଖର୍ଚ୍ଚ ଏଥିରେ ସାମିଲ ନାହିଁ। ଯୁଦ୍ଧ ସହ ଜଡ଼ିତ ଅନେକ ପରୋକ୍ଷ ଖର୍ଚ୍ଚର କୌଣସି ସ୍ପଷ୍ଟ ଆକଳନ ସଂସଦ କୁ ଦିଆଯାଇ ନାହିଁ।

CBOର ଅଗଷ୍ଟ ୧ ହିସାବ ତୁଳନାରେ ପେଣ୍ଟାଗନର ବର୍ତ୍ତମାନର ସଂଖ୍ୟା ୭.୧ ବିଲିୟନ୍ ଡଲାର ଅଧିକ। CBO ର ବଜେଟ୍ ଆକଳନ ଅନୁସାରେ, ଯଦି ଯୁଦ୍ଧର ତୀବ୍ରତା କମ୍ ରହେ, ତେବେ ମାସକୁ ଅତିରିକ୍ତ ୨ ବିଲିୟନ୍ ଡଲାର ଖର୍ଚ୍ଚ ହେବ। କିନ୍ତୁ ହିଂସା ବଢ଼ିଲେ ଏହି ମାସିକ ବିଲ୍ ୩ ବିଲିୟନ୍ ଡଲାର କିମ୍ବା ତା’ଠାରୁ ଅଧିକ ହୋଇପାରେ।

ସରିଯାଉଛି କ୍ଷେପଣାସ୍ତ୍ର ଭଣ୍ଡାର, ଚିନ୍ତାରେ ସେନା

ସବୁଠାରୁ ବଡ଼ ସଙ୍କଟ ହେଉଛି କ୍ଷେପଣାସ୍ତ୍ର ରୋଧକ ସିଷ୍ଟମର ଅଭାବ ଦେଖା ଦେଇଛି। ଯୁଦ୍ଧରେ ପ୍ରଚୁର ପରିମାଣରେ ଇଣ୍ଟରସେପ୍ଟର ବ୍ୟବହାର ହୋଇସାରିଥିବାରୁ ଆମେରିକାର ନିଜସ୍ୱ ଭଣ୍ଡାର ଖାଲି ହେବାକୁ ବସିଛି। CBO ସତର୍କ କରାଇ ଦେଇଛି ଯେ ଏହି ଭଣ୍ଡାରକୁ ପୂରଣ କରିବାକୁ ବର୍ଷ ବର୍ଷ ସମୟ ଲାଗିଯିବ। ଯଦି ଏହି ସମୟ ମଧ୍ୟରେ ଅନ୍ୟ କୌଣସି ଶକ୍ତିଶାଳୀ ଦେଶ ସହ ଆମେରିକାର ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୁଏ, ତେବେ ଆମେରିକା ପାଇଁ ବଡ଼ ବିପଦ ସୃଷ୍ଟି ହୋଇପାରେ।

ଆମେରିକାବାସୀଙ୍କ ପକେଟ୍ ଉପରେ ଯୁଦ୍ଧର ମାଡ଼

ଏହି ଯୁଦ୍ଧର ପ୍ରଭାବ କେବଳ ସେନାର ବଜେଟ୍ରେ ସୀମିତ ନାହିଁ, ସାଧାରଣ ନାଗରିକଙ୍କ ଉପରେ ବି ପଡ଼ୁଛି। ହର୍ମୁଜ୍ ପ୍ରଣାଳୀ ଓ ଲୋହିତ ସାଗରରେ ତେଲ ଓ ଗ୍ୟାସ୍ ପରିବହନ ବାଧାପ୍ରାପ୍ତ ହେବା ଯୋଗୁଁ ବିଶ୍ୱ ବଜାରରେ ପେଟ୍ରୋଲ, ଡିଜେଲ ଓ ଜେଟ୍ ଫୁଏଲ୍ ଦର ବୃଦ୍ଧି ପାଇଛି। CBOର ସୂଚନା ଅନୁସାରେ, ତେଲ ଦର ବୃଦ୍ଧି ଯୋଗୁଁ ୨୦୨୬ ଦ୍ୱିତୀୟ ତିନିମାସିଆରେ ମୁଦ୍ରାସ୍ଫୀତି ହାର ୨.୩ ପ୍ରତିଶତ ବଢ଼ି ୫.୩ ପ୍ରତିଶତରେ ପହଞ୍ଚିଥିଲା। ୨୦୨୭ ପ୍ରଥମ ଭାଗରେ ମଧ୍ୟ ମହଙ୍ଗା ମାଡ଼ ଜାରି ରହିବ।

ଟ୍ରମ୍ପ ପ୍ରଶାସନ ମାଗିଲେ ଅଧିକ ୮୭.୬ ବିଲିୟନ ଡଲାର

ସୂଚନାଯୋଗ୍ୟ ଯେ, ଗତ ଜୁନ୍ ମାସରେ ଟ୍ରମ୍ପ ପ୍ରଶାସନ ଅତିରିକ୍ତ ୮୭.୬ ବିଲିୟନ୍ ଡଲାର ଅନୁଦାନ ପାଇଁ ଦାବି କରିଥିଲେ। ଏଥିମଧ୍ୟରୁ ୬୭.୧ ବିଲିୟନ୍ ଡଲାର କେବଳ ପ୍ରତିରକ୍ଷା ମନ୍ତ୍ରଣାଳୟ ପାଇଁ ଥିଲା ଏବଂ ୪୨.୩ ବିଲିୟନ୍ ଡଲାର ସିଧାସଳଖ ଇରାନ୍ ସଂଘର୍ଷ ସହ ଜଡ଼ିତ ଥିଲା। କୁହାଯାଉଛି ଯେ ୪୫.୧ ବିଲିୟନ୍ ଡଲାର ହେଉଛି କେବଳ ବର୍ତ୍ତମାନର ରେକର୍ଡ ହୋଇଥିବା ହିସାବ। ଯୁଦ୍ଧ କେତେ ଦିନ ଚାଲିବ, କେତେ ଅସ୍ତ୍ରଶସ୍ତ୍ର ନଷ୍ଟ ହେବ ଏବଂ କୂଟନୈତିକ ସ୍ତରରେ କେତେ ଖର୍ଚ୍ଚ ହେବ ତାହା ଉପରେ ନିର୍ଭର କରିବ ଆମେରିକାର ଚୂଡ଼ାନ୍ତ ଯୁଦ୍ଧ ବିଲ୍।