ଢାକା: ପାକିସ୍ତାନର ଅଭିଜ୍ଞ ବାମହାତୀ ସ୍ପିନର ନୋମାନ ଅଲ୍ଲୀ ମଙ୍ଗଳବାର ଦିନ ଟେଷ୍ଟ କ୍ରିକେଟରେ ଏକ ବଡ଼ ସଫଳତା ହାସଲ କରିଛନ୍ତି। ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚରେ ସେ ନିଜର ୧୦୦ତମ ଓ୍ଵିକେଟ୍ ଅକ୍ତିଆର କରିବା ସହ ଏକ ୧୩୦ ବର୍ଷର ପୁରୁଣା ରେକର୍ଡକୁ ଭାଙ୍ଗି ଦେଇଛନ୍ତି। ୩୯ ବର୍ଷ ବୟସରେ ଏହି ମାଇଲଖୁଣ୍ଟ ଅତିକ୍ରମ କରି ସେ ବିଶ୍ୱର ସବୁଠାରୁ ବୟସ୍କ ଖେଳାଳି ଭାବେ ୧୦୦ ଓ୍ଵିକେଟ୍ ନେବାର ଗୌରବ ଅର୍ଜନ କରିଛନ୍ତି।

ଭାଙ୍ଗିଲା ବବି ପିଲ୍ଡଙ୍କ ରେକର୍ଡ

୩୯ ବର୍ଷ ୨୧୭ ଦିନ ବୟସରେ ନୋମାନ ଅଲ୍ଲୀ ଇଂଲଣ୍ଡର ବବି ପିଲ୍ଙଙ୍କ ରେକର୍ଡ ଭାଙ୍ଗିଛନ୍ତି। ବବି ପିଲ୍ ୧୮୯୬ ମସିହାରେ ୩୯ ବର୍ଷ ୧୮୦ ଦିନ ବୟସରେ ୧୦୦ ଟେଷ୍ଟ ଓ୍ୱିକେଟ୍ ପୂରଣ କରିଥିଲେ। ଦୀର୍ଘ ଏକ ଶତାବ୍ଦୀରୁ ଅଧିକ ସମୟ ଧରି ରହିଥିବା ଏହି ରେକର୍ଡକୁ ନୋମାନ ଆଜି ନିଜ ନାମରେ କରିଛନ୍ତି। ବାଂଲାଦେଶର ଅଲରାଉଣ୍ଡର ମେହିଦି ହାସନ ମିରାଜଙ୍କୁ ଆଉଟ୍ କରି ସେ ଏହି ଐତିହାସିକ ସଫଳତା ପାଇଥିଲେ।

ବିଳମ୍ବରେ ଆରମ୍ଭ, କିନ୍ତୁ ଦମଦାର ପ୍ରଦର୍ଶନ

ନୋମାନଙ୍କ କ୍ରିକେଟ କ୍ୟାରିୟର ବେଶ୍ ଆଶ୍ଚର୍ଯ୍ୟଜନକ। ସେ ୨୦୨୧ ଜାନୁଆରୀରେ ୩୪ ବର୍ଷ ବୟସରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ନିଜର ଟେଷ୍ଟ ପଦାର୍ପଣ କରିଥିଲେ। ପାକିସ୍ତାନ ପକ୍ଷରୁ ସବୁଠାରୁ ଅଧିକ ବୟସରେ ଡେବ୍ୟୁ କରିଥିବା ଖେଳାଳିଙ୍କ ମଧ୍ୟରେ ସେ ଅନ୍ୟତମ। ମାତ୍ର ୨୨ଟି ଟେଷ୍ଟ ମ୍ୟାଚରେ ସେ ୧୦୦ ଓ୍ୱିକେଟ୍ ସଂଖ୍ୟା ଛୁଇଁଛନ୍ତି। ଫଳରେ ସେ ଓ୍ୱାକାର ୟୁନିସ ଏବଂ ମହମ୍ମଦ ଆସିଫଙ୍କ ଭଳି ଦିଗଜ୍ଜଙ୍କ ସହ ମାତ୍ର ୨୦-୨୨ଟି ମ୍ୟାଚରେ ଏହି ସଫଳତା ପାଇଥିବା ପାକିସ୍ତାନୀ ବୋଲରଙ୍କ ତାଲିକାରେ ସାମିଲ ହୋଇଛନ୍ତି।

ନୋମାନ ଅଲ୍ଲୀଙ୍କ କ୍ୟାରିୟର ଉପରେ ଏକ ନଜର

ମ୍ୟାଚ୍: ୨୨ଟି ଟେଷ୍ଟ

ଓ୍ଵିକେଟ୍: ୧୦୧*

୫ଟି ଓ୍ଵିକେଟ୍ (ଗୋଟିଏ ଇନିଂସ): ୯ ଥର

୧୦ଟି ଓ୍ଵିକେଟ୍ (ଗୋଟିଏ ମ୍ୟାଚ): ୩ ଥର

ବାଂଲାଦେଶ ବିପକ୍ଷ ଏହି ମ୍ୟାଚର ଦ୍ଵିତୀୟ ଇନିଂସରେ ସେ ମେହିଦି ହାସନଙ୍କ ସହ ଅଧିନାୟକ ନଜମୁଲ ହୋସେନ ଶାନ୍ତୋ ଏବଂ ତାଇଜୁଲ ଇସଲାମଙ୍କ ଗୁରୁତ୍ଵପୂର୍ଣ୍ଣ ଓ୍ଵିକେଟ୍ ମଧ୍ୟ ନେଇଥିଲେ।