ମୁମ୍ବାଇ: ଚେୟାରମେନ ପଦକୁ ନେଇ ଟାଟା ଗ୍ରୁପରେ ବିବାଦ ଲାଗି ରହିଥିବା ବେଳେ ଟାଟା ଗ୍ରୁପର ହୋଲ୍ଡିଂ କମ୍ପାନୀ ଟାଟା ସନ୍ସର ଆଇପିଓକୁ ନେଇ ମଧ୍ୟ ବିବାଦ ଆହୁରି ତୀବ୍ର ହୋଇଛି। ଟାଟା ଟ୍ରଷ୍ଟସର ଚେୟାରମ୍ୟାନ୍ ନୋଏଲ ଟାଟା ଏନେଇ ଆପତ୍ତି ଜଣାଇଛନ୍ତି। ଟାଟା ଟ୍ରଷ୍ଟର କହିବା କଥା ହେଲା ଯଦି ଟାଟା ସନ୍ସ ଆଇପିଓ ଲିଷ୍ଟିଂ କରେ ତେବେ ଏଥିରେ ଟାଟା ମୋଡେଲ ପ୍ରଭାବିତ ହେବ। ତେଣୁ ଲିଷ୍ଟିଂ ଉପରେ କେବଳ ଗୁରୁତ୍ୱ ନ ଦେଇ ଟାଟା ସନ୍ସକୁ ଲିଷ୍ଟିଂରୁ ବଞ୍ଚାଇବା ପାଇଁ ସମସ୍ତ ବିକଳ୍ପ ଉପରେ ତୁରନ୍ତ ବିଚାର କରାଯିବା ଦରକାର ବୋଲି ଟ୍ରଷ୍ଟ କହିଛି।

ଏହି ମାମଲାରେ ନୋଏଲ ଟାଟାଙ୍କ ନେତୃତ୍ୱାଧୀନ ଟାଟା ଟ୍ରଷ୍ଟ କହିଛି "ଟାଟା ଟ୍ରଷ୍ଟଗୁଡ଼ିକ ଟାଟା ସନ୍ସର ଲିଷ୍ଟିଂ ପାଇଁ ରାଜି ହୋଇ ନାହାଁନ୍ତି। ବୋର୍ଡ କେବଳ ଲିଷ୍ଟିଂ ନୁହେଁ, ସମସ୍ତ ଉପଲବ୍ଧ ବିକଳ୍ପଗୁଡ଼ିକୁ ପୁଙ୍ଖାନୁପୁଙ୍ଖ ଭାବରେ ଅନୁସନ୍ଧାନ ଏବଂ ମୂଲ୍ୟାଙ୍କନ କରି ଏହାର ଫଳାଫଳ ଓ ପରାମର୍ଶକୁ ବୋର୍ଡ ସାମ୍ନାରେ ରଖିବାକୁ ସହମତି ପ୍ରକାଶ କରିଛି।"

୧୭ ସେପ୍ଟେମ୍ବରରେ ହୋଇଥିବା ଟାଟା ସନ୍ସ ବୋର୍ଡ ବୈଠକରେ ନୋଏଲ ଟାଟା ଏହି ମତ ରଖିଥିଲେ। ଟାଟା ଟ୍ରଷ୍ଟସ୍ କହିଛି ଯେ, ମାର୍ଚ୍ଚ ୨୦୨୪ରେ ଦିବଙ୍ଗତ ରତନ ଟାଟାଙ୍କ ମାର୍ଗଦର୍ଶନରେ ଟାଟା ସନ୍ସ ବୋର୍ଡ ଏହାକୁ ଅନଲିଷ୍ଟେଡ୍ କମ୍ପାନୀ ଭାବେ ରଖିବା ପାଇଁ ସର୍ବସମ୍ମତିରେ ନିଷ୍ପତ୍ତି ନେଇଥିଲା।

Also Read- ଏନ.ଚନ୍ଦ୍ରାଙ୍କ ପୁନଃନିଯୁକ୍ତିକୁ ନୋଏଲ ଟାଟାଙ୍କ ବିରୋଧ, ଭୋଟ କୁ କହିଲେ ‘ବେଆଇନ’

ନୋଏଲ ଟାଟାଙ୍କ ଯୁକ୍ତି ହେଉଛି, ଟାଟା ଗ୍ରୁପ୍ କେବଳ ଏକ ବ୍ୟବସାୟିକ ସଂସ୍ଥା ନୁହେଁ। ଏକ ଶତାବ୍ଦୀରୁ ଅଧିକ ସମୟ ଧରି ଏହା ଦେଶର ସେବାକୁ ବ୍ୟବସାୟ ସହ ଯୋଡ଼ି ଆସିଛି। ତାଙ୍କ ମତରେ, ଟାଟା ସନ୍ସ ଲିଷ୍ଟ ହେଲେ ଏହାର ବର୍ତ୍ତମାନର ଚରିତ୍ର ଓ ମଡେଲ୍ରେ ପରିବର୍ତ୍ତନ ଆସିପାରେ। ଟାଟା ଟ୍ରଷ୍ଟସ୍ ଏହାର ଅଧିକୃତ ବିବୃତିରେ ମଧ୍ୟ ‘ଟାଟା ମଡେଲ୍’କୁ ସୁରକ୍ଷିତ ରଖିବା ଉପରେ ଟ୍ରଷ୍ଟସ୍ ଗୁରୁତ୍ୱ ଦେଉଛି ବୋଲି ଲେଖିଛି।

RBI ନିଷ୍ପତ୍ତି ପରେ ବଢ଼ିଲା ଚାପ

ଟାଟା ସନ୍ସ ଏବେ ମଧ୍ୟ ଷ୍ଟକ୍ ମାର୍କେଟ୍ରେ ଲିଷ୍ଟେଡ୍ ନୁହେଁ। ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ଟାଟା ସନ୍ସକୁ ଏକ 'ଉଚ୍ଚ ସ୍ତର' ଅଣବ୍ୟାଙ୍କିଙ୍ଗ ଆର୍ଥିକ କମ୍ପାନୀ (NBFC) ଭାବରେ ବର୍ଗୀକୃତ କରିଛି ଏବଂ ସ୍ୱଚ୍ଛତା ସୁନିଶ୍ଚିତ କରିବା ପାଇଁ ଏକ ସାର୍ବଜନୀନ ତାଲିକାଭୁକ୍ତ କରିବାକୁ ବାଧ୍ୟତାମୂଳକ କରିଛି। ଗତ ସପ୍ତାହରେ ଟାଟା ସନ୍ସ ନିଜର ରେଜିଷ୍ଟ୍ରେସନ୍ ସରେଣ୍ଡର କରିବାକୁ ଚାହିଁଥିଲା, କିନ୍ତୁ ସେପ୍ଟେମ୍ବର ୧୧ରେ ଆରବିଆଇ ଏହି ଅନୁରୋଧକୁ ଖାରଜ କରିଥିଲା। ଏହାପରେ ଟାଟା ସନ୍ସର ଲିଷ୍ଟିଂ ପ୍ରସଙ୍ଗ ପୁଣିଥରେ ଚର୍ଚ୍ଚାର ପରିସରକୁ ଆସିଛି।

ଶାପୁରଜୀ ପଲୋନଜୀ ଗ୍ରୁପ୍‌ର ଭିନ୍ନ ମତ

ଟାଟା ସନ୍ସର ଅନ୍ୟତମ ପ୍ରମୁଖ ଅଂଶୀଦାର ଶାପୁରଜୀ ପଲୋନଜୀ ଗ୍ରୁପ୍ ପବ୍ଲିକ୍ ଲିଷ୍ଟିଂକୁ ସମର୍ଥନ କରୁଛି। ଏହି ଗ୍ରୁପ୍ର ଟାଟା ସନ୍ସରେ ପ୍ରାୟ ୧୮.୩୭% ଅଂଶଧନ ରହିଛି। ଅନ୍ୟପକ୍ଷରେ ଟାଟା ଟ୍ରଷ୍ଟସ୍ର ଅଂଶଧନ ପ୍ରାୟ ୬୬%। ତେଣୁ ଉଭୟ ପକ୍ଷର ମତଭେଦ ଏହି ପ୍ରସଙ୍ଗକୁ ଆହୁରି ଗୁରୁତ୍ୱପୂର୍ଣ୍ଣ କରିଛି।

ବୈଠକରେ ଶାପୁରଜୀ ପଲୋନଜୀ ଗ୍ରୁପ୍ ପକ୍ଷରୁ ଟାଟା ସନ୍ସରେ ଥିବା ଅଂଶଧନର କିଛି ଅଂଶ ବିକ୍ରି କରି ପାଣ୍ଠି ଯୋଗାଡ଼ କରିବାର ପ୍ରସ୍ତାବ ମଧ୍ୟ ରଖାଯାଇଥିଲା। ଏହି ପ୍ରସ୍ତାବ ଅନୁସାରେ ଷ୍ଟର୍ଲିଂ ଇନଭେଷ୍ଟମେଣ୍ଟସ୍ କର୍ପୋରେସନ୍ ଏବଂ ସାଇରସ୍ ଇନଭେଷ୍ଟମେଣ୍ଟସ୍ ଟାଟା ସନ୍ସର ନିଜ ଅଂଶଧନର କିଛି ଅଂଶ ବିକ୍ରି କରି ଅତି କମ୍ରେ ₹୨୫,୦୦୦ କୋଟି ଉଠାଇବାର ଯୋଜନା ରଖିଛନ୍ତି।

IPO ହେଲେ କେତେ ହୋଇପାରେ ମୂଲ୍ୟ?

ଟାଟା ସନ୍ସ ଲିଷ୍ଟିଂକୁ ଗଲେ କମ୍ପାନୀର ମୂଲ୍ୟ ପ୍ରାୟ ₹୯ ଲକ୍ଷ କୋଟିରୁ ₹୧୨ ଲକ୍ଷ କୋଟି ମଧ୍ୟରେ ହୋଇପାରେ ବୋଲି ଆକଳନ ରହିଛି। ସେହିପରି ସମ୍ଭାବ୍ୟ ଆଇପିଓର ଆକାର ₹୫୫,୦୦୦ କୋଟିରୁ ଅଧିକ ହୋଇପାରେ। ବର୍ତ୍ତମାନ ଟାଟା ସନ୍ସ ବୋର୍ଡ ଲାଗୁଥିବା ଆରବିଆଇ ନିର୍ଦ୍ଦେଶାବଳୀ ଓ ନିୟାମକୀୟ ଆବଶ୍ୟକତା ପାଳନ ପାଇଁ ପଦକ୍ଷେପ ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛି। ଏହା ସହ ଟାଟା ଟ୍ରଷ୍ଟସ୍ ଏବଂ ଅନ୍ୟ ଅଂଶୀଦାରଙ୍କ ମତାମତକୁ ମଧ୍ୟ ବିଚାର କରାଯାଉଛି। ଏହାର ଅର୍ଥ, ଟାଟା ସନ୍ସର ଆଇପିଓ ପ୍ରସଙ୍ଗରେ ଏବେ ନିୟମାନୁଗତ ଆବଶ୍ୟକତା, ଅଂଶୀଦାରଙ୍କ ମତ ଏବଂ ଟାଟା ଗ୍ରୁପ୍ର ଦୀର୍ଘକାଳୀନ ମାଲିକାନା ଢାଞ୍ଚା ଏହି ତିନୋଟି ଦିଗ ମୁଖ୍ୟ ହୋଇଛି।