କାକିନାଡ଼ା: ଆନ୍ଧ୍ରପ୍ରଦେଶ କାକିନାଡ଼ା ଉପକୂଳରେ ଘୂର୍ଣ୍ଣିବାତ୍ୟା ଅର୍ଣ୍ଣବ ଯୋଗୁ ଏକ ପଣ୍ୟବାହୀ ଜାହାଜ ସଂକଟରେ ଫଶି ଯାଇଛି। ଭାରତୀୟ କୋଷ୍ଟଗାର୍ଡ (ଆଇସିଜି) ଗୁରୁବାର ଏହି ଜାହାଜର ୧୩ ଜଣିଆ ଚାଳକଦଳ ସଦସ୍ୟଙ୍କୁ ସୁରକ୍ଷିତ ଉଦ୍ଧାର କରିଛି। ମାର୍ଶାଲ ଆଇଲ୍ୟାଣ୍ଡ ପତାକା ଥିବା ସିଗମା ପର୍ଲ ନାମକ ଏହି ଜାହାଜଟିର ଲମ୍ବ ପ୍ରାୟ ୧୮୦ ମିଟର ଓ ଏହା ଏକ ବଲ୍କ କ୍ୟାରିୟର। ଜାହାଜଟି ମଝି ସମୁଦ୍ରରେ ବାତ୍ୟା ଯୋଗୁ ଇଞ୍ଜିନ ଫେଲ ହେବାରୁ ରାଭ୍ୱା ତୈଳ କ୍ଷେତ୍ର ନିକଟସ୍ଥ ବଙ୍ଗୋପ ସାଗରକୁ ଭାସି ଆସିଛି।

ଜାହାଜର ଚାଳକ ଦଳଙ୍କ ସୁରକ୍ଷିତ ଉଦ୍ଧାର ନିମନ୍ତେ କୋଷ୍ଟଗାର୍ଡ ଏକ ହେଲିକପ୍ଟର ଓ ପାଟ୍ରୋଲିଂ ସିପ୍ ‘ସୁଜୟ’କୁ ମୁତୟନ କରିଛି। ଏହି ଉଦ୍ଧାର ଅଭିଯାନରେ ସମନ୍ୱୟ ରଖିବା ପାଇଁ ପଶ୍ଚିମ ଗୋଦାବରୀ ଜିଲ୍ଲାର ମୋଗଲତୁର ଗାଁ ନିକଟରେ ଥିବା ହେଲିପ୍ୟାଡକୁ ବ୍ୟବହାର କରାଯାଉଛି। କୋଷ୍ଟଗାର୍ଡର ଏହି ଉଦ୍ଧାର ଅଭିଯାନରେ ଜିଲ୍ଲା ପ୍ରଶାସନ ମଧ୍ୟ ସହଯୋଗ କରିଛି। କୋନାସୀମା ଜିଲ୍ଲାର ଡ. ବି.ଆର.ଆମ୍ବେଦକର ଅନ୍ତରବେଦୀ ଉପକୂଳ ଗ୍ରାମ ନିକଟରେ ଏହି ପଣ୍ୟବାହୀ ଜାହାଜଟି ଅଟକିଛି। ଜାହାଜରେ ଏବେବି ଆଉ ୭ ଜଣ ଚାଳକ ଦଳ ସଦସ୍ୟ ଅଛନ୍ତି ଓ ସେମାନଙ୍କୁ ଖୁବ ଶୀଘ୍ର ଜାହାଜରୁ ବାହାରକୁ ଅଣାଯିବ ବୋଲି କୁହାଯାଇଛି।

ସୂଚନା ଅନୁସାରେ ୨୦,୮୦୯ ଗ୍ରସ ଟନେଜ କ୍ଷମତାର ଏହି ଜାହାଜ ବିଶାଖା ପାଟଣା ବନ୍ଦରକୁ ଆସିଥିଲା। ଏଠାରେ ପଣ୍ୟ ଓହ୍ଲାଇବା ପରେ ସିଙ୍ଗାପୁର ଉଦ୍ଦେଶ୍ୟରେ ଯାତ୍ରା ଆରମ୍ଭ କରିଥିବା ବେଳେ ସାମୁଦ୍ରିକ ବାତ୍ୟା ଅର୍ଣ୍ଣବ ଏଥିରେ ବାଧକ ପାଲଟିଛି। ଜାହାଜଟି ଅକ୍ଟୋବର ୨୭ ତାରିଖ ଦିନ ବିଶାଖାପାଟଣା ବନ୍ଦର ଛାଡିଥିଲା। ତେବେ ୨୮ ତାରିଖ ସକାଳେ ଅର୍ଣ୍ଣବ ଆସି ପହଞ୍ଚିବା ବେଳେ ଅଶାନ୍ତ ସମୁଦ୍ର ଓ ପବନ ବେଗ ଯୋଗୁ ଜାହାଜର ଇଞ୍ଜିନ ଅଚଳ ଯାଇଥିଲା। ଫଳରେ ଜାହାଜଟି କୃଷ୍ଣା ଗୋଦାବରୀ ବେସିନର ରାଭ୍ୱା ତୈଳକ୍ଷେତ୍ର ନିକଟକୁ ଭାସି ଆସିଛି।