ଭୁବନେଶ୍ୱର, ୦୨। ୦୮ : ଟଳିଲା ମହାନଦୀରେ ବନ୍ୟା ଆଶଙ୍କା। ଜଳସ୍ତର ଦ୍ରୁତ ଗତିରେ ଖସିଛି। ସନ୍ଧ୍ୟା ୬ଗବେଳେ ମୁଣ୍ଡୁଳିରେ ୫.୫୯ ଲକ୍ଷ ଘନଫୁଟ (କ୍ୟୁସେକ) ପାଣି ଚାଲିଥିଲା। ଖଇରମାଳରେ ୫.୩୪ ଲକ୍ଷ ଘନଫୁଟ ଓ ବରମୂଳରେ ୪.୭୨ ଲକ୍ଷ ଘନଫୁଟ ପାଣି ପ୍ରବାହିତ ହେଉଥିଲା।

Also Read :- ଭୂମିକମ୍ପରେ ଥରିଲା ଦିଲ୍ଲୀ : ଭୋର୍ ରୁ ଲାଗିଲା ଝଟକା, ଲୋକେ ଭୟଭୀତ

ହୀରାକୁଦ ଆଉ ଅଧିକ ଗେଟ୍ ଖୋଲିନି। ସେଇ ୨୨ଟି ଗେଟ ଦେଇ ପାଣି ଛଡ଼ାଯାଉଛି। ଜଳଭଣ୍ଡାରକୁ ଉପରମୁଣ୍ଡରୁ ପ୍ରବେଶ କରୁଥିବା ପାଣି ପ୍ରବାହ କମିଛି । ସକାଳ ୬ଟରେ ୪ ଲକ୍ଷ ୧୫ ଘନଫୁଟ ପାଣି ପ୍ରବେଶ କରୁଥିଲା। କ୍ରମଶଃ ଏହା କମିବାରେ ଲାଗିଛି। ସନ୍ଧ୍ୟା ୬ଟାରେ ପ୍ରବେଶ କରୁଥିଲା ୨ ଲକ୍ଷ ୮୪ ହଜାର ଘନଫୁଟ ପାଣି। ୨୨ଟି ଗେଟ ଦେଇ ହୀରାକୁଦରୁ ୩ ଲକ୍ଷ ୮୬ ହଜାର ୪୨୧ ଘନଫୁଟ ପାଣି ଛଡ଼ାଯାଉଛି। ହୀରାକୁଦ ଜଳସ୍ତର ୬୨୫.୨୧ ଫୁଟ ଥିଲା।

ବିଶେଷଜ୍ଞଙ୍କ କହିବାନୁସାରେ ହୀରାକୁଦ ଜଳଭଣ୍ଡାରରୁ ୨୨ଟି ଗେଟ୍ ଦେଇ ଯେତିକି ପାଣି ଛଡ଼ାଯାଇଛି, ତାହା ମୁଣ୍ଡୁଳିରେ ପହଞ୍ଚିବାକୁ ୩୬ରୁ ୪୦ ଘଣ୍ଟା ସମୟ ଲାଗିଥାଏ। ତେଣୁ ଶନିବାର ବିଳମ୍ବିତ ରାତି କିମ୍ବା ରବିବାର ସକାଳକୁ ଏହି ପାଣି ମୁଣ୍ଡୁଳିରେ ପହଞ୍ଚିବ। ବର୍ତ୍ତମାନ ଜଳସ୍ତର ପୂର୍ବାପେକ୍ଷା ବହୁ ପରିମାଣରେ କମିଥିବାରୁ ହୀରକୁଦ ପାଣି ପହଞ୍ଚିଲେ ମଧ୍ୟ ଆଉ କିଛି ସମସ୍ୟା ହେବନି । ଉପରମୁଣ୍ଡ ପାଣି ମିଶିଲେ ଅତି ବେଶିରେ ମୁଣ୍ଡୁଳିରେ ୬ ଲକ୍ଷରୁ ୭ ଲକ୍ଷ ପର୍ଯ୍ୟନ୍ତ ପାଣି ଚାଲିପାରେ।

ଜଳସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତଙ୍କ କହିବାନୁସାରେ ମହାନଦୀରେ ଏବେ ବନ୍ୟା ଆଶଙ୍କା ନାହିଁ । ଉପରମୁଣ୍ଡରୁ ଜଳ ପ୍ରବାହ କମିଛି। ହୀରାକୁଦ ଜଳଭଣ୍ଡାରକୁ ୩ ଦିନ ଭିତରେ ଏସଓପି ଅନୁଯାୟୀ ଖାଲି କରାଯାଇ ଆଗାମୀଦିନ ପାଇଁ ପ୍ରସ୍ତୁତ ରହିବାକୁ ହେବ । ସବୁ ନଦୀରେ ଜଳସ୍ତର କମିବା ସହ ବିପଦ ସଙ୍କେତ ତଳେ ରହିଛି।

ପାଣି ଘେରରେ ତଳିଆ ଅଞ୍ଚଳ

ମହାନଦୀରେ ବନ୍ୟା ସଙ୍କଟ ଟଳିଥିଲେ ମଧ୍ୟ ବିଭିନ୍ନ ତଳି ଅଞ୍ଚଳରେ ପାଣି ପଶିଛି । କେତେକ ସ୍ଥାନରେ ପଛୁଆ ପାଣି ଠେଲି ହୋଇ ମାଡ଼ିଯାଇଛି ଚାଷ ଜମି ଓ ଗାଁକୁ । କଟକର ବାଙ୍କୀ, ତିଗିରିଆ, ଆଠଗଡ଼, ଜଗତସିଂହପୁରର କୁଜଙ୍ଗ, ତିର୍ତ୍ତୋଲ, କେନ୍ଦ୍ରାପଡ଼ାର ବିଭିନ୍ନ ବ୍ଳକର ତଳି ଅଞ୍ଚଳ, ପୁରୀର କଣାସ, ଖୋର୍ଦ୍ଧାର କେତେକ ଅଞ୍ଚଳରେ ପାଣି ପଶିଛି।

ଏସଆରସି କାର୍ଯ୍ୟାଳୟଙ୍କ ସୂଚନା ଅନୁସାରେ, ନରାଜରେ ମହାନଦୀ ବିପଦ ସଙ୍କେତ ତଳକୁ ଖସିବା ସହ ଜଳସ୍ତର କମିବାରେ ଲାଗିଛି। ବ୍ରାହ୍ମଣୀ, ବୈତରଣୀ, ବୁଢ଼ାବଳଙ୍ଗ, ଜଳକା ସବୁଠି ଜଳସ୍ତର କମିଛି। ଲଗାଣ ବର୍ଷା ଓ ବନ୍ୟା ପ୍ରଭାବରେ ୧୫ଟି ଜିଲ୍ଲା ପ୍ରଭାବିତ ହୋଇଛି। ଭଦ୍ରକ, ଯାଜପୁର, ବାଲେଶ୍ଵର, କେନ୍ଦୁଝରରେ ପାଣି ଖସୁଥିଲେ ମଧ୍ୟ ବିପନ୍ନଙ୍କ ଦୁଃଖ ସରୁନି। ବାଲେଶ୍ଵରର ୧ ଲକ୍ଷ ୪୭ ହଜାର ୬୫ ଲୋକେ ପ୍ରଭାବିତ ହୋଇଥିବାବେଳେ ୫୭ହଜାର ୨୩୦ ଲୋକଙ୍କୁ ସ୍ଥାନାନ୍ତରିତ କରାଯାଇଛି।

ମୟୂରଭଞ୍ଜରେ ୫୮୪୯ ଲୋକେ ପ୍ରଭାବିତ ହୋଇଥିବାବେଳେ ୨୩୦୦ ଲୋକଙ୍କୁ ସ୍ଥାନାନ୍ତର କରିବାକୁ ପଡ଼ିଥିଲା । ଯାଜପୁରରେ ୧.୯୩ ଲକ୍ଷ ଲୋକେ ପ୍ରଭାବିତ ହୋଇଥିବାବେଳେ ୬୯ ହଜାର ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି। କଟକରେ ୧୦୮୧ ଲୋକେ ପ୍ରଭାବିତ ହୋଇଥିବାବେଳେ ୭୮୧ ଲୋକଙ୍କୁ ସ୍ଥାନାନ୍ତର କରାଯାଇଥିଲା। ଜଗତସିଂହପୁରରେ ପ୍ରଭାବିତଙ୍କ ସଂଖ୍ୟା ୫୬୭୨ ଓ ସ୍ଥାନାନ୍ତରିତ ହୋଇଛନ୍ତି ୧୭୩୪। କେନ୍ଦ୍ରାପଡ଼ାରେ ୭୩ ହଜାର ୧୬୩ ଲୋକେ ପ୍ରଭାବିତ ହୋଇଥିବାବେଳେ ୧୨୪୯ ଲୋକେ ସ୍ଥାନାନ୍ତରିତ ହୋଇଛନ୍ତି। ଖୋର୍ଦ୍ଧାରେ ୧୪ ହଜାର ଲୋକେ ପ୍ରଭାବିତ ହୋଇଥିବାବେଳେ ୧୩୪୪ ଲୋକ ସ୍ଥାନାନ୍ତରିତ ହୋଇଛନ୍ତି। ପ୍ରଭାବିତ ଜିଲ୍ଲାମାନଙ୍କରେ ଲୋକଙ୍କୁ ଆଶ୍ରୟସ୍ଥଳୀରେ ଖାଦ୍ୟ ଦିଆଯିବା ସହ ଗୃହପାଳିତ ପଶୁଙ୍କ ପାଇଁ ୧୨୮୮ ମେଟ୍ରିକ ଟନ ଖାଦ୍ୟ ଦିଆଯାଇଛି ।