ଭୁବନେଶ୍ୱର ୨୦।୧୧ : ବଡ଼ ଆଶ୍ୱସ୍ତିକର ଖବର । ବାତ୍ୟା ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ଜାରି ରହିଥିବା ବେଳେ ବନ୍ୟା ଆଶଙ୍କାକୁ ନେଇ ଏକ ବଡ଼ ଆଶ୍ୱସ୍ତିକର ଖବର ଦେଇଛନ୍ତି ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତ। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ କୌଣସି ବନ୍ୟା ସ୍ଥିତି ନାହିଁ ଏବଂ ଆଗକୁ ମଧ୍ୟ ବନ୍ୟା ହେବାର ସମ୍ଭାବନା ନଥିବା ସେ ସ୍ପଷ୍ଟ କରିଛନ୍ତି।

ସର୍ବୋଚ୍ଚ ଯନ୍ତ୍ରୀଙ୍କ ସୂଚନା ଅନୁସାରେ, ବାତ୍ୟା ପ୍ରଭାବରେ ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ୧୧୯ ମିଲିମିଟର ବର୍ଷା ରେକର୍ଡ କରାଯାଇଥିବା ବେଳେ ପୁରୀରେ ୬୧ ମିଲିମିଟର ବର୍ଷା ହୋଇଛି। ସେହିପରି କେନ୍ଦ୍ରାପଡ଼ା ଓ ଭଦ୍ରକ ଜିଲ୍ଲାରେ ମଧ୍ୟ ବର୍ଷା ହୋଇଛି। ବର୍ଷା ଯୋଗୁଁ ଋଷିକୂଲ୍ୟା ନଦୀର ଜଳସ୍ତର ବୃଦ୍ଧି ପାଇଛି ଏବଂ ଆଜି ସନ୍ଧ୍ୟା ସୁଦ୍ଧା ନଦୀଗୁଡ଼ିକର ଜଳସ୍ତର ଆହୁରି କିଛିଟା ବଢ଼ିପାରେ। ତେବେ କୌଣସି ନଦୀର ଜଳସ୍ତର ବିପଦ ସଙ୍କେତ ଉପରକୁ ଯିବ ନାହିଁ ବୋଲି ବିଭାଗ ପକ୍ଷରୁ ଆକଳନ କରାଯାଇଛି।

Also Read:-ବାତ୍ୟା ‘ଅକଓ୍ୱାନ୍’ ବେଳେ ବ୍ରହ୍ମପୁର ଓ ପୁରୀରେ ଆମ ବସ୍ ସେବା ବନ୍ଦ ; ଅନ୍ୟ ସହରରେ ଜାରି ରହିବ ପରିବହନ

ସେହିପରି ଜଳଭଣ୍ଡାର ସ୍ଥିତି ସମ୍ପର୍କରେ ସୂଚନା ଦେଇ ସର୍ବୋଚ୍ଚ ଯନ୍ତ୍ରୀ କହିଛନ୍ତି ଯେ, ବାତ୍ୟା ପୂର୍ବରୁ ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ଡ୍ୟାମ୍ଗୁଡ଼ିକରୁ ପ୍ରାୟ ୫୦ ପ୍ରତିଶତ ଜଳ ଖାଲି କରାଯାଇଥିଲା। ବର୍ତ୍ତମାନ ରାଜ୍ୟର ସମସ୍ତ ଡ୍ୟାମ୍ ବନ୍ଦ ରହିଛି ଏବଂ କୌଣସି ଜଳଭଣ୍ଡାରରୁ ପାଣି ନିଷ୍କାସନ କରାଯାଉନାହିଁ, ବରଂ ବର୍ଷା ଜଳକୁ ସଂରକ୍ଷିତ କରି ରଖାଯାଉଛି।

ଅନ୍ୟପଟେ ଉପର ମୁଣ୍ଡରେ ସେଭଳି ପ୍ରବଳ ବର୍ଷା ହୋଇନଥିବାରୁ ନଦୀଗୁଡ଼ିକରେ ବନ୍ୟା ସୃଷ୍ଟି ହେବାର କୌଣସି ଆଶଙ୍କା ନାହିଁ। ଯଦି ଝାରଖଣ୍ଡରେ ବର୍ଷା ହୁଏ, ତେବେ ମଧ୍ୟ ସେହି ପାଣି ଓଡ଼ିଶାରେ ପହଞ୍ଚିବାକୁ ପ୍ରାୟ ୩ ଦିନ ସମୟ ଲାଗିବ, ଯାହାଦ୍ୱାରା ବନ୍ୟା ପରିସ୍ଥିତି ସୃଷ୍ଟି ହେବ ନାହିଁ। ସମଗ୍ର ସ୍ଥିତି ଉପରେ ଜଳସମ୍ପଦ ବିଭାଗର ଇଞ୍ଜିନିୟର ଓ ଅଧିକାରୀମାନେ ତୀକ୍ଷ୍ଣ ନଜର ରଖିବା ସହ ସମ୍ପୂର୍ଣ୍ଣ ସଜାଗ ରହିଥିବା ଦିଲ୍ଲୀପ ରାଉତ ସୂଚନା ଦେଇଛନ୍ତି।