ଭୁବନେଶ୍ୱର ୨୦।୧୧ : ବାତ୍ୟା ଅକ୍ଓ୍ୱାନ୍ ପ୍ରଭାବକୁ ଦୃଷ୍ଟିରେ ରଖି କ୍ୟାପିଟାଲ୍ ରିଜିଅନ୍ ଅର୍ବାନ୍ ଟ୍ରାନ୍ସପୋର୍ଟ (CRUT) ପକ୍ଷରୁ ସୁରକ୍ଷା ଓ ପରିଚାଳନା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ପ୍ରତିକୂଳ ପାଣିପାଗ ଓ ପ୍ରବଳ ବର୍ଷା ଆଶଙ୍କା ଯୋଗୁଁ ବ୍ରହ୍ମପୁର ଏବଂ ପୁରୀରେ ଆମ ବସ୍ ସେବାକୁ ସାମୟିକ ଭାବେ ବନ୍ଦ ରଖାଯାଇଥିବା ବେଳେ ରାଜ୍ୟର ଅନ୍ୟ ପ୍ରମୁଖ ସହରଗୁଡ଼ିକରେ ବସ୍ ଚଳାଚଳ ସ୍ୱାଭାବିକ ରହିଛି।

କ୍ରୁଟ୍ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ, ବ୍ରହ୍ମପୁର ଓ ପୁରୀରେ ବସ୍ ସେବା ବନ୍ଦ ରହିଛି । ତଥାପି ବାତ୍ୟା ପରବର୍ତ୍ତୀ ସ୍ଥିତିରେ ଉଦ୍ଧାର, ରିଲିଫ୍ ଓ ଜରୁରୀକାଳୀନ ସହାୟତା କାର୍ଯ୍ୟ ପାଇଁ ସେଠାରେ ବସ୍ଗୁଡ଼ିକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ ରଖାଯାଇଛି। ପାଣିପାଗ ଅନୁକୂଳ ହେବା ଏବଂ ଜିଲ୍ଲା ପ୍ରଶାସନର ଆବଶ୍ୟକତା ଅନୁଯାୟୀ ଏହି ବସ୍ଗୁଡ଼ିକୁ ତୁରନ୍ତ କାର୍ଯ୍ୟରେ ଲଗାଯିବ।

Also Read:-ବାତ୍ୟା ମୁକାବିଲାରେ ପ୍ରଶାସନର ବଡ଼ ପ୍ରସ୍ତୁତି, ୩ ଲକ୍ଷ ୭୨ ହଜାର ଲୋକ ସ୍ଥାନାନ୍ତରିତ

କ୍ୟାପିଟାଲ୍ ରିଜିଅନରେ ଜଳବନ୍ଦୀ ସ୍ଥିତି ଉପୁଜିବାର ଆଶଙ୍କା ଥିବାରୁ କିଛି ରୁଟ୍ର ବସ୍କୁ ସାମୟିକ ଭାବେ ଜାତୀୟ ରାଜପଥ-୧୬ (NH-16) ଦେଇ ଚଳାଚଳ କରାଇବା ଭଳି ପରିଚାଳନାଗତ ପରିବର୍ତ୍ତନ କରାଯାଇପାରେ। ଏଥିଯୋଗୁଁ ଯାତ୍ରୀମାନଙ୍କୁ ଯାତ୍ରା ପୂର୍ବରୁ ରୁଟ୍ ଓ ବୋର୍ଡିଂ ପଏଣ୍ଟ ସମ୍ପର୍କରେ ଆମ ବସ୍ ମୋବାଇଲ୍ ଆପ୍ ଏବଂ କ୍ରୁଟ୍ର ଅଫିସିଆଲ୍ ସୋସିଆଲ୍ ମିଡିଆ ପୃଷ୍ଠା ମାଧ୍ୟମରେ ଅପଡେଟ୍ ରହିବାକୁ ପରାମର୍ଶ ଦିଆଯାଇଛି।

ସମଗ୍ର ସ୍ଥିତି ଉପରେ ନଜର ରଖିବା ପାଇଁ କ୍ରୁଟ୍ର କେନ୍ଦ୍ରୀୟ ପରିଚାଳନା ଟିମ୍ ୨୪ ଘଣ୍ଟିଆ କାର୍ଯ୍ୟ କରୁଛି। ଏଥିସହ ଡିପୋ ଟିମ୍, କ୍ଷେତ୍ରୀୟ ସୁପରଭାଇଜର, କ୍ୟାପଟେନ୍ ଓ ଗାଇଡ୍ମାନଙ୍କୁ ସତର୍କ ରଖାଯାଇଛି। ବିପଦସଙ୍କୁଳ ରାସ୍ତାରେ ସୁରକ୍ଷିତ ଗାଡ଼ି ଚାଳନା, ଜଳବନ୍ଦୀ ସ୍ଥାନ ଉପରେ ନଜର, ପ୍ରଶାସନ ସହ ସମନ୍ୱୟ ଏବଂ ପାଣିପାଗ ସୁଧୁରିବା ପରେ ତୁରନ୍ତ ସେବା ପୁନଃସ୍ଥାପନ ଉପରେ ସ୍ୱତନ୍ତ୍ର ଗୁରୁତ୍ୱ ଦିଆଯାଉଥିବା ସଂସ୍ଥା ପକ୍ଷରୁ ସ୍ପଷ୍ଟ କରାଯାଇଛି।