ନୂଆଦିଲ୍ଲୀ: ଜୁନ ୨୬ରେ ଆୟରଲାଣ୍ଡ ଗସ୍ତ ପୂର୍ବରୁ ଭାରତୀୟ ଦଳକୁ ଲାଗିଛି ବଡ଼ ଝଟକା। ଦଳର ଷ୍ଟାର ଅଲରାଉଣ୍ଡର ନୀତିଶ କୁମାର ରେଡ୍ଡୀ ଆହତ ଜନିତ ସମସ୍ୟା କାରଣରୁ ଆୟରଲାଣ୍ଡ ଓ ଇଂଲଣ୍ଡ ବିପକ୍ଷ ସିରିଜ୍ ଖେଳି ପାରିବେ ନାହିଁ। ତାଙ୍କ ବାମ ଜଂଘର ମାଂସପେଶୀ ଟାଣି ଧରିବା ସହ ଫୁଲି ଯାଇଛି।ଫଳରେ ଅତିକମରେ ଗୋଟିଏ ମାସ ପର୍ଯ୍ୟନ୍ତ ବେଙ୍ଗାଲୁରୁ ସ୍ଥିତ ବିସିସିଆଇର ସେଣ୍ଟର ଅଫ ଏକ୍ସିଲେନ୍ସରେ ପୁନଃଥଇଥାନ ପ୍ରକ୍ରିୟାରେ ରହିବ। ଏବେ ବିସିସିଆଇ ତାଙ୍କର ବଦଳ ଖେଳାଳି ଘୋଷଣା କରିଛି। ନୀତିଶ ରେଡ୍ଡୀଙ୍କ ସ୍ଥାନରେ ୨୩ ବର୍ଷୀୟ ଅଲରାଉଣ୍ଡର ସୂର୍ଯ୍ୟାଂଶ ଶେଡ଼ଗେଙ୍କୁ ଦଳରେ ସୁଯୋଗ ମିଳିଛି।

ଜୁନ ୨୦ରୁ ସମସ୍ୟା

ଧର୍ମଶାଳାରେ ଖେଳାଯାଇଥିବା ଆଫଗାନିସ୍ତାନ ବିପକ୍ଷ ପ୍ରଥମ ଦିନିକିଆରେ ବୋଲିଂ କରିବା ସମୟରେ ନୀତିଶ କୁମାର ରେଡ୍ଡୀଙ୍କୁ ଆଘାତ ଲାଗିଥିଲା। ଏହା ପରେ ଲକ୍ଷ୍ନୌ ଦିନିକିଆରୁ ତାଙ୍କୁ ବିଶ୍ରାମ ଦିଆଯାଇଥିଲା। ଚେନ୍ନାଇରେ ଖେଳା ଯାଇଥିବା ଶେଷ ଦିନିକିଆରେ ସେ ୬ ଓଭର ବି ବୋଲିଂ କରିଥିଲେ। ହେଲେ ଏହି ସମୟରେ ସେ ଅସହଜ ନଜର ଆସିଥିଲେ। ତାଙ୍କୁ ଯନ୍ତ୍ରଣା ହେଉଥିବା ଦେଖିବାକୁ ମିଳିଥିଲା। ଆଉ ଆଜି ଉଭୟ ଆୟରଲାଣ୍ଡ ଓ ଇଂଲଣ୍ଡ ବିପକ୍ଷ ଟି-୨୦ ସିରିଜ ବାଦ୍ ପଡ଼ିଛନ୍ତି ଏହି ଅଲରାଉଣ୍ଡର। ତାଙ୍କ ସ୍ଥାନରେ ପ୍ରଥମ ଥର ଭାରତୀୟ ଦଳରେ ସାମିଲ୍ ହୋଇଛନ୍ତି ଯୁବ ଉଦୀୟମାନ କ୍ରିକେଟର ସୂର୍ଯ୍ୟାଂଶ ଶେଡ଼ଗେ।

Also Read: କାନ୍ଦି ପକାଇଲେ ବୈଭବ ସୂର୍ଯ୍ୟବଂଶୀ, ଆଖିରୁ ବାହାରିଗଲା ଲୁହ...ଜାଣନ୍ତୁ କାହିଁକି ?

ତ୍ରିରାଷ୍ଟ୍ରୀୟ ସିରିଜ୍ ଖେଳିଛନ୍ତି ଶେଡ଼ଗେ

ସୂର୍ଯ୍ୟାଂଶ ନିକଟରେ ଶ୍ରୀଲଙ୍କାରେ ଆୟୋଜିତ ଦିନିକିଆ ତ୍ରିରାଷ୍ଟ୍ରୀୟ ସିରିଜରେ ଭାରତୀୟ ଏ ଦଳ ପାଇଁ ପ୍ରଭାବଶାଳୀ ପ୍ରଦର୍ଶନ କରିଛନ୍ତି। ସେ ମଧ୍ୟକ୍ରମରେ ବ୍ୟାଟିଂ କରି ୫ଟି ମ୍ୟାଚରେ ୧୪୭ ରନ କରିବା ସହ ୨୩ ଓଭର ବୋଲିଂ କରିଥିଲେ। ଏହା ସହ ୨୦୨୪-୨୫ ସୈୟଦ ମୁସ୍ତାକ ଅଲୀ ଟ୍ରଫି ଜିତିଥିବା ମୁମ୍ବାଇ ଦଳର ସଦସ୍ୟ ଥିଲେ। ସେ ମଧ୍ୟକ୍ରମରେ ୨୫୧.୯୨ର ଷ୍ଟ୍ରାଇକ ରେଟରେ ୧୩୧ ରନ କରିଥିଲେ।