Andhra Pradesh Poll Rigging: ଆନ୍ଧ୍ରପ୍ରଦେଶରେ ହୋଇଥିବା ସ୍ଥାନୀୟ ନିର୍ବାଚନ ବିବାଦ ଭିତରେ ରହିଥିବା ବେଳେ କକ୍ରୋଚ ଜନତା ପାର୍ଟିର ସହସଂସ୍ଥାପକ ଅଶୁତୋଷ ରାଙ୍କା ବଡ଼ ଅଭିଯୋଗ ଆଣିଛନ୍ତି। ଆଞ୍ଚଳିକ ନିର୍ବାଚନରେ ବୁଥ୍ କ୍ୟାପ୍ଚରିଂ ଓ ଇଲେକ୍ଟୋରାଲ ରିଗିଂ ହୋଇଥିବା ସେ ଅଭିଯୋଗ କରିଛନ୍ତି।

ମଙ୍ଗଳବାର ରାଙ୍କା ତାଙ୍କ ସୋସିଆଲ ମିଡିଆ ସାଇଟ୍ ଏକ୍ସରେ ଏକ ଭିଡିଓ ଶେୟାର କରିଛନ୍ତି। ଯେଉଁଥିରେ ସେ ରାଜ୍ୟ ନିର୍ବାଚନରେ ଅନିୟମିତା ହୋଇଛି ବୋଲି ଅଭିଯୋଗ କରିଛନ୍ତି। ଏହି ପୋଷ୍ଟ ମାଧ୍ୟମରେ ସେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ କଟାକ୍ଷ କରିଛନ୍ତି। ସୋମବାର ଶାହ ଏଠାରେ ପ୍ରଚାର କରି ଗଣତନ୍ତ୍ରର ସୁରକ୍ଷାର ସ୍ଲୋଗାନ ଦେଇଥିଲେ। ତାଙ୍କ ସ୍ଲୋଗାନକୁ କଟାକ୍ଷ କରିଛନ୍ତି ରାଙ୍କା।

ରାଙ୍କା ଏକ ଭିଡିଓ ପୋଷ୍ଟ କରି ଏକ୍ସରେ ଲେଖିଛନ୍ତି “ଅମିତ ଶାହ ହାଇଦ୍ରାବାଦରେ ଲୋକତନ୍ତ୍ର ବଞ୍ଚାଅ ରାଲିରେ ବ୍ୟସ୍ତ ଥିବା ବେଳେ ପଡ଼ୋଶୀ ଆନ୍ଧ୍ରରେ କିଭଳି ବୁଥ୍ ଦଖଲ ଓ ଇଲେକ୍ଟୋରାଲ ରିଗିଂ କରାଯାଉଛି, ତାର ଭିଜୁଆଲ ଦେଖନ୍ତୁ।”

ଆଞ୍ଚଳିକ ନିର୍ବାଚନକୁ ନେଇ ବିବାଦ

ଆନ୍ଧ୍ର ପ୍ରଦେଶରେ ଚାଲିଥିବା ଆଞ୍ଚଳିକ ନିର୍ବାଚନକୁ ନେଇ ବିବାଦ ତେଜିବାରେ ଲାଗିଛି। ବିଜେପି ସହଯୋଗୀ ଟିଡିପି ନେତୃତ୍ୱାଧୀନ ଶାସକ ଦଳ ବଳ ପ୍ରୟୋଗ କରି ନିର୍ବାଚନକୁ ପ୍ରଭାବିତ କରିବାକୁ ଚାହୁଁଛି ବୋଲି ଜଗନ ମୋହନ ରେଡ୍ଡିଙ୍କ ଦଳ ୱାଇଏସଆର କଂଗ୍ରେସ ପାର୍ଟି ଅଭିଯୋଗ କରିଛି। ବିଶେଷ କରି ପୁଲିଭେନ୍ଦୁଲାରେ ଶାସକ ଦଳର ସମର୍ଥକମାନେ ପ୍ରାର୍ଥୀଙ୍କୁ ଧମକଚମକ ଦେବା ଏବଂ ପୋଲିଂ ଏଜେଣ୍ଟଙ୍କ କାମରେ ବାଧା ସୃଷ୍ଟି କରୁଛନ୍ତି ବୋଲି ୱାଇଏସଆର୍ କଂଗ୍ରେସ ପାର୍ଟି ଅଭିଯୋଗ କରିଛି।

ସୂଚନା ଥାଉକି ଦେଶରେ ସ୍ୱଚ୍ଛ ଓ ନିରପେକ୍ଷ ନିର୍ବାଚନ ସପକ୍ଷରେ ଯୁକ୍ତି କରି ଆସୁଥିବା ସିଜେପି ନେତା ଆଶୁତୋଷ ରାଙ୍କା ଏବେ ଆନ୍ଧ୍ରପ୍ରଦେଶ ନିର୍ବାଚନ ବିବାଦରେ ସ୍ୱର ଉଠାଇଛନ୍ତି। ତେବେ ସେ ଯେଉଁ ଭିଡିଓ ପୋଷ୍ଟ କରିଛନ୍ତି, ତାହା କେଉଁଠିକାର ଭିଡିଓ, ଏହାର ପ୍ରାମାଣିକତା, ସ୍ଥାନ ଏବଂ ପରିସ୍ଥିତି ବିଷୟରେ କିଛି ଜଣାପଡ଼ି ନାହିଁ।