ପାଟନା: ଗତ ୪ ମାସ ତଳେ ବିହାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିବା ନୀତୀଶ କୁମାର ଗୁରୁବାର ରାଜ୍ୟସଭା ପାଇଁ ନାମାନଙ୍କନ ଦାଖଲ କରିଛନ୍ତି। ଏହି ଘଟଣା ପରେ ବିହାର ରାଜନୀତିରେ ନାନା କଳ୍ପନା ଜଳ୍ପନା ଆରମ୍ଭ ହୋଇଯାଇଛି। ନୀତୀଶଙ୍କ ପରେ କିଏ ବିହାରର ମଙ୍ଗ ସମ୍ଭାଳିବ ତାକୁ ନେଇ ଏବେ ଚର୍ଚ୍ଚା।

ପାଖାପାଖି ୪ ମାସ ତଳେ ବିହାର ବିଧାନସଭା ନିର୍ବାଚନରେ ବିଜେପି-ଜେଡିୟୁ ନେତୃତ୍ୱାଧୀନ ଏନଡିଏ ବହୁମତ ହାସଲ କରିଥିଲା। ଏହାପରେ ନୀତୀଶ କୁମାର ଦଶମ ଥର ବିହାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ। ହେଲେ ଏହି କାର୍ଯ୍ୟକାଳ ତାଙ୍କର ସ୍ୱଳ୍ପକାଳୀନ ହୋଇପାରେ ବୋଲି ସେତେବେଳେ ବି ଆଲୋଚନା ହୋଇଥିଲା। ଆଉ ଆଜି ରାଜ୍ୟସଭା ପାଇଁ ନାମାନଙ୍କନ ଦାଖଲ କରିବା ପରେ କଥା ସ୍ପଷ୍ଟ ହୋଇଛି।

ନାମାଙ୍କନ ଦାଖଲ ପାଇଁ ଆଜି ନୀତୀଶ କୁମାର କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ବିହାର ଉପମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ ଏବଂ ଏନ୍‌ଡିଏର ଅନ୍ୟ ନେତାମାନଙ୍କ ସହ ଆସିଥିଲେ।ହେଲେ ତା’ ପୂର୍ବରୁ ଜେଡିୟୁ ସୁପ୍ରିମୋ ବିହାର ଜନତାଙ୍କୁ ଦୀର୍ଘଦିନର ଭରସା ଓ ସମର୍ଥନ ପାଇଁ ଧନ୍ୟବାଦ ଦେଇଥିଲେ। ଜନତାଙ୍କ ସମର୍ଥନ ପାଇଁ ସେ ଦୁଇ ଦଶନ୍ଧୀରୁ ଅଧିକ ସମୟ ପାଇଁ ରାଜ୍ୟର ସେବା କରିପାରିଛନ୍ତି ବୋଲି ନୀତୀଶ କହିଥିଲେ।

ଫଢ଼ନ୍ତୁ- CM ପଦ ଛାଡିବାକୁ ଘୋଷଣା କଲେ ନୀତୀଶ କୁମାର, କହିଲେ ଯାହା ଆଶା ଥିଲା ତାହା...

ନୀତୀଶ ଏକ୍ସରେ ପୋଷ୍ଟ କରିଥିଲେ “ମୋର ସଂସଦୀୟ ଯାତ୍ରାର ଆରମ୍ଭରୁ, ମୁଁ ବିହାର ବିଧାନସଭାର ଉଭୟ ସଦନ ଏବଂ ସଂସଦର ଉଭୟ ସଦନର ସଦସ୍ୟ ହେବାକୁ ଇଚ୍ଛା ରଖିଛି। ସେହି ଆକାଂକ୍ଷାକୁ ଦୃଷ୍ଟିରେ ରଖି, ମୁଁ ଏଥର ହେବାକୁ ଥିବା ନିର୍ବାଚନରେ ​​ରାଜ୍ୟସଭାର ସଦସ୍ୟ ହେବାକୁ ଚାହୁଁଛି।”

ନୀତୀଶଙ୍କ ନାମାଙ୍କନ ଦାଖଲ ପୂର୍ବରୁ ଜେଡିୟୁ ଗତକାଲି ବିଳମ୍ବିତ ରାତି ପର୍ଯ୍ୟନ୍ତ ବୈଠକ କରିଥିଲା। ବୈଠକ ଦଳର ବରିଷ୍ଠ ନେତା  ସଞ୍ଜୟ ଝାଙ୍କ ବାସଭବନରେ ହୋଇଥିଲା। ନେତାମାନେ ବିଳମ୍ବିତ ରାତିରେ ଶ୍ରୀ ଝାଙ୍କ ବାସଭବନରେ ପହଞ୍ଚିଥିଲେ। ଏହି ରୁଦ୍ଧଦ୍ୱାର ଆଲୋଚନା ଦଳର ବ୍ୟାପକ ରଣନୀତି ଏବଂ ବିହାରରେ ନୂଆ ସରକାର ଗଠନର ସମ୍ଭାବ୍ୟ ରୂପରେଖ ବିଷୟରେ ଚର୍ଚ୍ଚାକୁ ଜୋରଦାର କରିଛି। ରାଜ୍ୟରେ କିଏ ହେବ ପରବର୍ତ୍ତି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ତାକୁ ନେଇ ନାନା କଳ୍ପନା ଜଳ୍ପନା ଆରମ୍ଭ ହୋଇଯାଇଛି।

ବିହାରରେ ରାଜ୍ୟସଭା ପ୍ରତିଦ୍ୱନ୍ଦ୍ୱିତା ପାଇଁ ପାଞ୍ଚଟି ଆସନ ରହିଛି, ଗୁରୁବାର ଏଥିପାଇଁ ନାମାଙ୍କନ ଦାଖଲ ଶେଷ ହେବ। ବିଜେପି ଏହାର ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବିନ ଏବଂ ବିହାର ୟୁନିଟ୍ ସାଧାରଣ ସମ୍ପାଦକ ଶିବେଶ କୁମାରଙ୍କୁ ପ୍ରାର୍ଥୀ କରିଛି। ଏନଡିଏ ସହଯୋଗୀ, ରାଷ୍ଟ୍ରୀୟ ଲୋକମୋର୍ଚ୍ଚାର ସଭାପତି ଉପେନ୍ଦ୍ର କୁଶୱାହା ମଧ୍ୟ ଆଉ ଏକ କାର୍ଯ୍ୟକାଳ ପାଇଁ ମେଣ୍ଟ ସମର୍ଥନ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ସେହିପରି ଜେଡିୟୁରୁ ଦ୍ୱିତୀୟ ପ୍ରାର୍ଥୀ ଭାବେ କେନ୍ଦ୍ରମନ୍ତ୍ରୀ ରାମନାଥ ଠାକୁର ମଧ୍ୟ ନାମାଙ୍କନ ଦାଖଲ କରିଛନ୍ତି।  

କେବେ ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବେ ନୀତୀଶ ?

ଜେଡିୟୁ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ନୀତୀଶ କୁମାର ମାର୍ଚ୍ଚ ୧୬ ତାରିଖରେ ହେବାକୁ ଥିବା ରାଜ୍ୟସଭା ନିର୍ବାଚନ ପର୍ଯ୍ୟନ୍ତ ବିହାର ମୁଖ୍ୟମନ୍ତ୍ରୀ ପଦରେ ରହି ପାରନ୍ତି। ଯଦି ସେ ନିର୍ବାଚନ ଜିତିବେ ତେବେ ଏହା ନୀତୀଶଙ୍କ ଦୀର୍ଘଦିନର ରାଜନୈତିକ କ୍ୟାରିୟର ଏକ ମାଇଲଷ୍ଟୋନ୍ ହେବ । କାରଣ ନୀତୀଶ ଏହା ପୂର୍ବରୁ ଲୋକସଭାରେ ସାଂସଦ ହୋଇ ସାରିଛନ୍ତି। ବିହାର ବିଧାନସଭା ଓ ବିଧାନ ପରିଷଦରେ ବି ସଦସ୍ୟ ରହି ସାରିଛନ୍ତି। ତାଙ୍କ ପାଇଁ କେବଳ ରାଜ୍ୟସଭା ସଦସ୍ୟ ହେବା ବାକି ରହି ଯାଇଥିଲା। ନିର୍ବାଚନ ଜିତିଲେ ତାଙ୍କର ଏହି ଆଶା ପୂରା ହୋଇଯିବ।     ​​​​​​​