ନୂଆଦିଲ୍ଲୀ: ଟୋଲ ଶୁଳ୍କ ଲାଗି ଫାସଟ୍ୟାଗ୍ ବ୍ୟବସ୍ଥା କରି କେନ୍ଦ୍ର ସଡ଼କ ପରିବହନ ଓ ରାଜମାର୍ଗ ମନ୍ତ୍ରାଳୟ ଟୋଲ ପ୍ଲାଜାରେ ବାହନଙ୍କ ଧାଡ଼ି ସୀମିତ କରିଦେଇଛନ୍ତି। ହେଲେ ଏବେ ଟୋଲ ପ୍ଲାଜାମାନଙ୍କରେ ଅଟକିବା ଓ ଟୋଲ କଟିବା ପାଇଁ ଯାହାବି ସମୟ ଲାଗୁଛି ତାକୁ ମଧ୍ୟ ସମ୍ପୂର୍ଣ୍ଣ ସମାପ୍ତ କରିବାକୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। କେନ୍ଦ୍ର ସରକାର ଟୋଲ ବ୍ୟାରିୟର ମୁକ୍ତ ଯେଉଁ ହାଇ-ୱେର ପରିକଳ୍ପନା ଉପରେ ଅନେକ ସମୟରୁ କାମ କରୁଥିଲେ ତାହା ଦେଶରେ ଆଗାମୀ ମାସରୁ ଲାଗୁ ହେବ। ରାଷ୍ଟ୍ରୀୟ ରାଜମାର୍ଗ ପ୍ରାଧିକରଣ (ଏନଏଚଏଆଇ)ଙ୍କ ଉଦ୍ଦେଶ୍ୟ ଆଗାମୀ ୩ ବର୍ଷ ମଧ୍ୟରେ ସାରା ଦେଶର ଏନଏଚ୍ ରେ ଫ୍ରି ଫ୍ଲୋ ଟୋଲିଂ ଲାଗୁ କରିବା।

ଏନଏଚ୍ ରୁ ହଟିଯିବ ଟୋଲ ପ୍ଲାଜା
ଏନଏଚଏଆଇର ଜନୈକ ବରିଷ୍ଠ ଅଧିକାରୀଙ୍କ ଅନୁସାରେ ଦେଶର ସବୁ ଏନଏଚ୍ ରୁ ଟୋଲ ପ୍ଲାଜା ହଟି ଯିବ। ଟୋଲ ବ୍ୟାରିୟର ସ୍ଥାନରେ ଗ୍ୟାଣ୍ଟ୍ରି ରହିବ। ଯେଉଁଥିରେ ଅଟୋମ୍ୟାଟିକ୍ ନମ୍ବର ପ୍ଲେଟ୍ ରିକଗ୍ନିସନ (ଏଏନପିଆର) ଆରଏଫଆଇଡି ରିଡର ଲାଗିଥିବ। ଏହା ମାଧ୍ୟମରେ ଫାସଟ୍ୟାଗ୍ ଓ ଭେଇକଲ ରେଜିଷ୍ଟ୍ରେସନ ନମ୍ବରର ସ୍କାନିଂ ଗାଡ଼ିକୁ ନ ଅଟକାଇ କରାଯାଇ ପାରିବ। ଏହାଦ୍ୱାରା କୌଣସି ଠାରେ ବାହନ ଧାଡି ଲାଗିବ ନାହିଁ। ଏଥିରେ ମାନବୀୟ ହସ୍ତକ୍ଷେପ ମଧ୍ୟ ରହିବ ନାହିଁ। ଅଧିକାରୀ କହିଛନ୍ତି ଯେ ଯଦି କୌଣସି ଫାସଟ୍ୟାଗ୍ ରେ ବୈଷୟିକ ତ୍ରୁଟି ଥିବ ଅଥବ ପର୍ଯ୍ୟାପ୍ତ ରାଶି ନଥିବ ତେବେ ଯେଉଁଭଳି ଇ-ଚାଲାଣ କଟୁଛି ସେହିଭଳି ଇ-ଚାଲାଣ କଟା ଯାଇ ଦୁଇଗୁଣା ଶୁଳ୍କ ରାଶି ଆଦାୟ କରାଯିବ।

ଅଧିକାରୀଙ୍କ ଅନୁସାରେ ଦେଶରେ ସର୍ବ ପ୍ରଥମେ ଗୁଜରାଟର ଚୌର୍ୟାସୀ ଟୋଲ ପ୍ଲାଜାରେ ଫ୍ରି ଫ୍ଲୋ ଟୋଲିଂ ଆରମ୍ଭ ହେବାକୁ ଯାଉଛି। ଏହା ପରେ ହରିୟାଣାର ଏନଏଚ ୪୪ରେ ଘରୌନ୍ଦା ଟୋଲ ପ୍ଲାଜାରେ ଏହି ବ୍ୟବସ୍ଥା ଲାଗୁ ହେବ ଓ ଆଗାମୀ ୩ ବର୍ଷ ମଧ୍ୟରେ ସାରା ଦେଶର ଟୋଲ ପ୍ଲାଜାରେ ଏହି ବ୍ୟବସ୍ଥା କାର୍ଯ୍ୟକାରୀ କରାଯିବ। କେନ୍ଦ୍ର ସଡ଼କ ପରିବହନ ଓ ରାଜମାର୍ଗ ମନ୍ତ୍ରାଳୟଙ୍କ ଉଦ୍ଦେଶ୍ୟ ହେଉଛି ଦେଶର ଟୋଲ ପ୍ଲାଜାରେ ବାହନ ଧାଡି ନ ରହୁ। ଏଣୁ ପ୍ରଥମେ ଫାସଟ୍ୟାଗ୍ ବନ୍ଦୋବସ୍ତ ହୋଇଥିଲା, ଏବେ ଗ୍ୟାଣ୍ଟ୍ରି ଲାଗିବ।