ଜଳେଶ୍ୱର: ପଶ୍ଚିମବଙ୍ଗର ୬୦ ନମ୍ବର ଜାତୀୟ ରାଜପଥରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଦୁଇ ମାଉସୀ ପୁଅ ଭାଇଙ୍କ ଜୀବନ ଚାଲିଯାଇଛି। ଦ୍ରୁତଗତିରେ ଆସୁଥିବା ଏକ କାର୍ ରାସ୍ତା ମଝିରେ ଥିବା ଡିଭାଇଡରକୁ ଧକ୍କା ଦେଇ ରାସ୍ତା ପାର୍ଶ୍ୱରେ ଥିବା ନାଳ ମଧ୍ୟକୁ ଓଲଟି ପଡ଼ିବାରୁ ଏହି ଦୁଃଖଦ ଘଟଣା ଘଟିଛି। କାର୍ରେ ଥିବା ଅନ୍ୟ ଦୁଇ ଯୁବକ ଅଳ୍ପକେ ମୃତ୍ୟୁମୁଖରୁ ବର୍ତ୍ତିଯାଇଛନ୍ତି।

ମୃତକ ଦୁଇଜଣ ହେଲେ ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଥାନା ଅନ୍ତର୍ଗତ ଅର୍ଜୁନି ଗ୍ରାମର ରାଜନ ଜେନା ଏବଂ ପଶ୍ଚିମବଙ୍ଗର ଦାନ୍ତୁନ ଥାନା ଅନ୍ତର୍ଗତ ବାଇପାଟଣା ଗ୍ରାମର ସାୟନ ଜେନା। ଉଭୟ ସମ୍ପର୍କରେ ମାଉସୀ ପୁଅ ଭାଇ ବୋଲି ଜଣାପଡ଼ିଛି।

ସୂଚନା ଅନୁଯାୟୀ, ରାଜନ ଜେନା, ତାଙ୍କ ମାଉସୀ ପୁଅ ଭାଇ ସାୟନ ଜେନା ଏବଂ ଅନ୍ୟ ଦୁଇ ଯୁବକ ଏକ କାର୍ ଯୋଗେ ପଶ୍ଚିମବଙ୍ଗ ପଟୁ ଓଡ଼ିଶା ଅଭିମୁଖେ ଆସୁଥିଲେ। ତେବେ ଦ୍ରୁତଗତିରେ ଆସୁଥିବା ସମୟରେ ଦାନ୍ତୁନ ଥାନା ଅନ୍ତର୍ଗତ ସୋନାକନିଆ ନିକଟରେ କାର୍‌ଟି ନିୟନ୍ତ୍ରଣ ହରାଇ ଡିଭାଇଡର୍‌କୁ ଧକ୍କା ଦେଇଥିଲା। ଏହାପରେ କାର୍‌ଟି ରାସ୍ତା ପାର୍ଶ୍ୱରେ ଥିବା ନାଳକୁ ଓଲଟି ପଡ଼ିଥିଲା ।

Also Read: ଅସୁସ୍ଥ ପିଲା ପାଇଁ ମିଳିଲାନି ଛୁଟି, ଥାନାରେ କାନ୍ଦିଲେ ମହିଳା କନଷ୍ଟେବଲ

ଦୁର୍ଘଟଣାରେ ରାଜନ ଓ ସାୟନ ଗୁରୁତର ଆହତ ହୋଇ ଘଟଣାସ୍ଥଳରେ ମୃତ୍ୟୁବରଣ କରିଥିଲେ। ଅନ୍ୟ ଦୁଇ ଯୁବକଙ୍କୁ ସ୍ଥାନୀୟ ଲୋକେ ତୁରନ୍ତ ଉଦ୍ଧାର କରି ଜଳେଶ୍ୱରସ୍ଥିତ ଜି.କେ. ଭଟ୍ଟର ହସ୍ପିଟାଲକୁ ଆଣିଥିଲେ। ଡାକ୍ତର ପରୀକ୍ଷା କରି ରାଜନ ଓ ସାୟନଙ୍କୁ ମୃତ ଘୋଷଣା କରିଥିଲେ। ଏହି ଦୁର୍ଘଟଣା ପରେ ମୃତକଙ୍କ ପରିବାର ଓ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ଖବର ପାଇ ଜଳେଶ୍ୱର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ ଘଟଣାର ତଦନ୍ତ ଜାରି ରଖିଛି।