ବାଲେଶ୍ବର ୨୬।୧୧: ଥାନାରେ ମହିଳା ପୋଲିସକୁ ମିଳୁନି ନ୍ୟାୟ । ପିଲାର ଚିକିତ୍ସା ପାଇଁ ମିଳିଲାନି ଛୁଟି, ମହିଳା କମିଶନ ଅଧ୍ୟକ୍ଷାଙ୍କ ଆଗରେ କାନ୍ଦି କାନ୍ଦି ଗୁହାରୀ କଲେ ମହିଳା କନଷ୍ଟେବଲ । ବାଲେଶ୍ବର ଟ୍ରାଫିକ ଥାନା ସାମ୍ନାରେ ଅଭାବନୀୟ ଦୃଶ୍ୟ। ଆଖିରେ ଧାର ଧାର ଲୁହ, ମନରେ ଅସହାୟତା ଭାବ ଆଉ ମୁହଁରେ ବିଭାଗୀୟ ବରିଷ୍ଠ ଅଧିକାରୀଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ । ଯିଏ ଅନ୍ୟକୁ ନ୍ୟାୟ ଦିଅନ୍ତି, ଆଜି ସିଏ ନିଜେ ନ୍ୟାୟ ପାଇଁ ଥାନା ଦାଣ୍ଡରେ କାନ୍ଦୁଛନ୍ତି । ନିଜ ଅସୁସ୍ଥ ପିଲାକୁ ଡାକ୍ତର ଦେଖାଇବା ପାଇଁ ଛୁଟି ନମିଳିବାରୁ, ମହିଳା କମିଶନ ଅଧ୍ୟକ୍ଷାଙ୍କ ଆଗରେ କାନ୍ଦି କାନ୍ଦି ନିଜ ଦୁଃଖ ବଖାଣୁଛନ୍ତି ଜଣେ ମହିଳା କନଷ୍ଟେବଲ ।

ଅଭିଯୋଗ ଅନୁସାରେ ବାଲେଶ୍ବର ଟ୍ରାଫିକ ଥାନାରେ କାର୍ଯ୍ୟରତ ଏହି ମହିଳା କନଷ୍ଟେବଲ ଜଣକ ନିଜ ପିଲାର ଚିକିତ୍ସା ପାଇଁ ଛୁଟି ମାଗିଥିଲେ । ହେଲେ ବିଭାଗୀୟ ଅଧିକାରୀ ତାଙ୍କୁ ଛୁଟି ଦେବାକୁ ମନା କରିଦେଇଥିବା ସେ ଅଭିଯୋଗ କରିଛନ୍ତି । ଖବର ପାଇ ବାଲେଶ୍ବର ଟ୍ରାଫିକ ଥାନାରେ ପହଞ୍ଚିଥିଲେ ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ଶୋଭନା ମହାନ୍ତି । ସେ କାନ୍ଦୁଥିବା ମହିଳା କନେଷ୍ଟବଳଙ୍କ ସହ ଆଲୋଚନା କରି ତାଙ୍କୁ ବୁଝାସୁଝା କରିଥିଲେ ।

​​​​​​​

Also Read:- ମାଓବାଦୀଙ୍କୁ ଡବଲ୍ ଝଟକା : ଜଙ୍ଗଲରୁ ମିଳିଲା ବନ୍ଧୁକ, ମାଟି ତଳୁ ମିଳିଲା ୪୦ ଲକ୍ଷର ଗୁପ୍ତ ଭଣ୍ଡାର

ତେବେ ଏହି ଘଟଣା କେବଳ ଗୋଟିଏ ଛୁଟିକୁ ନେଇ ଅସନ୍ତୋଷ ନୁହେଁ, ବରଂ କର୍ମକ୍ଷେତ୍ରରେ ମହିଳାଙ୍କ ଅଧିକାର ଏବଂ ବିଭାଗୀୟ ମାନବିକତା ଉପରେ ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଅନ୍ୟପଟେ ଘଟଣାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ବାଲେଶ୍ବର ଅତିରିକ୍ତ SP । ପୂରା ଘଟଣାର ତଦନ୍ତ କରାଯିବ ଏବଂ ତଦନ୍ତ ପରେ ପ୍ରକୃତ କାରଣ ସ୍ପଷ୍ଟ ହେବ ବୋଲି ସେ କହିଛନ୍ତି ।