ଉମରକୋଟ ୧୮।୧: ଅଲୋଡ଼ା ହେଲା ନବଜାତକ । ନିର୍ଦ୍ଦୟୀ ହେଲା ମା’ । ନିଜର ନବଜାତ ଶିଶୁକୁ ଫୋପାଡ଼ି ଦେଇ ଚାଲିଗଲା ନିର୍ଦ୍ଦୟୀ ମା’ । ପୋଖରୀ ହୁଡ଼ାରୁ ମିଳିଲା ନବଜାତ ଶିଶୁର ମୃତଦେହ । ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ୍‌ କୈଳାରୀବେଡା ଗାଁରେ ଦେଖିବାକୁ ମିଳିଛି ଏଭଳି ହୃଦୟ ବିଦାରକ ଦୃଶ୍ୟ ।

ସୂଚନାଯୋଗ୍ୟ ଯେ, ରବିବାର ସକାଳେ କିଛି ଗାଈ ଚରାଳି ଗାଈ ଚରାଇବାକୁ ଯାଇଥିବା ବେଳେ ଗାଁ ପୋଖରୀ ହୁଡ଼ାରେ ଥିବା ଏକ ଖଜୁରୀ ଗଛ ମୂଳେ ନବଜାତ ଶିଶୁର ମୃତଦେହ ପଡ଼ିଥିବା ଦେଖିବାକୁ ପାଇଥିଲେ । ଖବର ପାଇ ସ୍ଥାନୀୟ ସମିତି ସଭ୍ୟ ଓ ଗ୍ରାମବାସୀ ଘଟଣାସ୍ଥଳରେ ପହଞ୍ଚିଥିଲେ । ଏହାପରେ ସରପଞ୍ଚଙ୍କ ଜରିଆରେ ସ୍ଥାନୀୟ ଥାନାକୁ ଖବର ଦିଆଯାଇଛି । ତେବେ କିଏ ଏବଂ କେଉଁ ପରିସ୍ଥିତିରେ ଏହି ନିଷ୍ପାପ ଶିଶୁଟିକୁ ଏଠାରେ ଫୋପାଡ଼ି ଦେଇଛି ତାକୁ ନେଇ ଚର୍ଚ୍ଚା ଜୋର ଧରିଛି । ଶିଶୁଟିକୁ ଗର୍ଭରେ ଧରିବା ପରେ ଜନ୍ମ ଦେଇ ଏଭଳି ଭାବେ ଫୋପାଡ଼ି ଦେବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ତଦନ୍ତ କରୁଛି । ତେବେ ତଦନ୍ତ ପରେ ହିଁ ପ୍ରକୃତ ସତ୍ୟାସତ୍ୟ ସାମ୍ନାକୁ ଆସିବ ବୋଲି କୁହାଯାଉଛି ।