କେନ୍ଦୁଝର : ପିଲାଟିଏ ଜନ୍ମ ହେବା ପରେ କେତେ କଣ ଭାବିଥାଏ। ନୂଆ ଦୁନିଆ ଦେଖିବ, ସବୁ ପରିବାର ଲୋକଙ୍କୁ ଚିହ୍ନିବ, ସମସ୍ତଙ୍କ ସ୍ନେହ, ଶ୍ରଦ୍ଧା ପାଇବ, ଏମିତି କେତେ କଣ। କିନ୍ତୁ ଏଠି ଘଟିଛି ବ୍ୟତିକ୍ରମ। ଆଖି ଖୋଲିବା ପରେ ସେ ହସ୍ପିଟାଲ୍ କି ଘର ନୁହେଁ, ବରଂ ନିଜକୁ ପାଇଛି ଜଙ୍ଗଲରେ। କାହିଁକିନା ସେ ଅଲୋଡା ହୋଇ ପଡ଼ିଛି । ନବଜାତକକୁ ମାଆ ଜଙ୍ଗଲରେ ଫୋପାଡି ଦେଇ ଚାଲିଯାଇଛି । ଯେତେ କଷ୍ଟ ପାଉଥିଲେ ବି ନୀରିହ, ନିଷ୍ପାପ ଓ ଅସହାୟ କଅଁଳ ଶିଶୁଟି କିଛି କରିପାରୁନି, କେବଳ ମନେ ମନେ ନିଜ ମାଆକୁ ପ୍ରଶ୍ନ କରି ଚାଲିଛି।

'ମାଆ ... ତୁ ବା ମମତାମୟୀ। ତୋ ପିଲା ଉପରେ ଓଜାଡ଼ି ଦେଉ ସବୁ ସ୍ନେହ- ଶ୍ରଦ୍ଧା। ତୁ କୁଆଡ଼େ ଛଳନା ଶିଖିନୁ । ତୋ ପାଖେ ତୋ ପିଲା ତ ସବୁଠୁ ଅଦିକ ସୁରକ୍ଷିତ। କିନ୍ତୁ ମୋ ପ୍ରତି ତୁ କାହିଁକି ଏତେ ନିଷ୍ଠୁର ହେଲୁ। ମୋର ଭୁଲ୍ କଣ ଥିଲା। ମୋତେ ଜନ୍ମ ଦେଲୁ, ଜଙ୍ଗଲରେ ଫୋପାଡ଼ି ଦେଲୁ। ଯଦି ଏମିତି କରିବାର ଥିଲା, ତାହେଲେ ସେହି ଗର୍ଭରେ ହିଁ ନଷ୍ଟ କରିଦେଇଥାନ୍ତୁ। ଦୁନିଆକୁ ଆଣି ଏତେ ଦହଗଞ୍ଜ କାହିଁକି କଲୁ ମୋତେ। ମୁଁ ଏବେ କୁଆଡ଼େ ଯିବି ମାଆ। କେମିତି ବଞ୍ଚିବି… । ତୋ ପଣତ କାହିଁକି ମୋ ଭାଗ୍ୟରେ ନାହିଁ। ମୁଁ କଣ ଏତେ ହତଭାଗା ମାଆ । ଏମିତି ମନେ ମନେ ମାଆକୁ କେତେ କଣ କହିଯାଉଛି କୁନି ପୁଅଟି।'

ଶିଶୁଟି ଜନ୍ମ ହୋଇଛି। କିନ୍ତୁ ଜନ୍ମ ପରେ ମା'ର କୋଳ ନୁହେଁ...ବରଂ ଜଙ୍ଗଲ ପାଲଟିଛି ତା'ର ପ୍ରଥମ ଠିକଣା। ଏମିତି ଏକ ଅଭାବନୀୟ ଘଟଣା ଘଟିଛି କେନ୍ଦୁଝର ଟାଉନ୍ ଥାନା ଅନ୍ତର୍ଗତ କଣ୍ଡ୍ରାପୋସି ଗ୍ରାମ ପଞ୍ଚାୟତର ଶିଲଶୁଆଁ ଗାଁରେ। ଏହି ଗାଁ ନିକଟ ଜଙ୍ଗଲ ଦେଇ ସକାଳୁ ସକାଳୁ କିଛି ଗାଁ ଲୋକ ଯାଉଥିବା ସମୟରେ ହଠାତ୍ ଶୁଣିବାକୁ ପାଇଲେ ଏକ ଶିଶୁର କାନ୍ଦିବାର ସ୍ୱର। ପାଖକୁ ଯାଇ, ଦେଖିଲା ବେଳକୁ ଡାଳପତ୍ର ତଳେ ପଡ଼ିଛି ଏକ ନବଜାତ ଶିଶୁପୁତ୍ର । ଶିଶୁଟିର ଦେହରେ ଜନ୍ଦା ପିମ୍ପୁଡ଼ି ଲାଗି ତାକୁ କାମୁଡ଼ି ପକାଇଥିବା ଦେଖିବାକୁ ମିଳିଥିଲା। ସମୟ ନଷ୍ଟ ନକରି ତୁରନ୍ତ ଝୁମ୍ପୁରା ମେଡିକାଲକୁ ଖବର ଦେଇଥିଲେ ଗାଁଲୋକେ। ଜଙ୍ଗଲ ଥିବାରୁ ଆମ୍ବୁଲାନ୍ସ ଶିଶୁପୁତ୍ର ପାଖରେ ପହଞ୍ଚିବା ସମ୍ଭବ ହୋଇପାରି ନଥିଲା । ପ୍ରାୟ ଦୁଇ କିଲୋମିଟର ରାସ୍ତା ପାଦରେ ଚାଲି ଆମ୍ବୁଲାନ୍ସ କର୍ମଚାରୀମାନେ ଶିଶୁଟି ପାଖରେ ପହଞ୍ଚିଥିଲେ। ତା'ପରେ ଅତି ସାବଧାନତାର ସହ ଶିଶୁଟିକୁ ଉଦ୍ଧାର କରିଥିଲେ । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଶିଶୁଟିକୁ ଏବେ ଆଇସିୟୁରେ ରଖାଯାଇଛି । ତା'ର ସ୍ୱାସ୍ଥ୍ୟାବସ୍ଥା ବର୍ତ୍ତମାନ ସ୍ଥିର ଥିବା ଜଣାପଡ଼ିଛି ।

Also Read- ଡାକିଲେ, କଥାହେଲେ, ଗାଡ଼ିରେ ବସାଇ ନେଇଗଲେ.. ଘାଟିରେ ଯୁବତୀଙ୍କୁ ମାରି ଫିଙ୍ଗିଦେଲେ

କିନ୍ତୁ ଏହି ଘଟଣା ଛାଡ଼ି ଯାଇଛି ମନରେ ଅନେକ ପ୍ରଶ୍ନ... କିଏ ଏହି ଶିଶୁକୁ ଜନ୍ମ ଦେଇଥିଲା? କାହିଁକି ଛାଡ଼ିଲା ଜଙ୍ଗଲରେ। ଏଭଳି ନିଷ୍ଠୁର ପଦକ୍ଷେପ ପଛର କାରଣ କଣ ହୋଇପାରେ। ଭାଗ୍ୟ ଏବଂ କିଛି ସମ୍ବେଦନଶୀଳ ମଣିଷଙ୍କ ତତ୍ପରତା ତାକୁ ନୂଆ ଜୀବନ ଦେଇଛି ସତ, କିନ୍ତୁ ଏବେ ଏହି ନିରୀହ ଶିଶୁର ଭାଗ୍ୟ କ'ଣ ହେବ ତାହା ଏବେ ବଡ଼ ପ୍ରଶ୍ନ?