କୁଚିଣ୍ଡା ୧୯।୭: ଡାକିଲେ, କଥା ହେଲେ । ବୋଲେରୋରେ ସାଙ୍ଗରେ ନେଇଗଲେ । ଆଉ ଜୀବନରୁ ମାରି ବଡରମା ଘାଟି ଜଙ୍ଗଲରେ ଫିଙ୍ଗିଦେଲେ । ହେଲେ ପୋଲିସ ହାତରେ ଧରା ପଡିଗଲେ ହତ୍ୟାକାରୀ ଯୁବକ ଓ ସହଯୋଗୀ ବୋଲେରୋ ଚାଳକ । ସତ ମାନିବା ସହ ଘଟଣାସ୍ଥଳକୁ ଯାଇ ଦେଖାଇଲେ ମୃତ ଯୁବତୀଙ୍କୁ ଫିଙ୍ଗିଥିବା ସ୍ଥାନ । ଏଭଳି ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଥାନା ଅଞ୍ଚଳରେ ।

ମହୁଲପାଲି ଥାନା କୁସୁମୀ ମହୁଲଗୁଡା ଗାଁର ୨୪ ବର୍ଷୀୟ ଯୁବତୀ କୁଚିଣ୍ଡାରେ ରହି ଏକ ବ୍ୟୁଟି ପାର୍ଲରରେ କାମ କରୁଥିଲେ । ଏଠାରେ କାମ କରୁଥିବା ବେଳେ କୁଣ୍ଡାପୋଷିର ଜଣେ ଯୁବକଙ୍କ ସହିତ ତାଙ୍କର ସମ୍ପର୍କ ରହିଥିଲା । ଉଭୟେ ଉଭୟଙ୍କୁ ଭଲ ପାଉଥିବା ବେଳେ ବିବାହ ପାଇଁ ମଧ୍ଯ ସହମତି ହୋଇଥିଲେ । ତେବେ ଯୁବକ ଜଣଙ୍କ ବିବାହ ପାଇଁ ମନା କରିବାରୁ ଯୁବତୀ ଜଣଙ୍କ ତାଙ୍କୁ ବିବାହ ପାଇଁ ବାଧ୍ୟ କରୁଥିଲେ । ଯାହାକୁ ନେଇ ଉଭୟଙ୍କ ମଧ୍ୟରେ ତିକ୍ତତା ରହିଥିଲା । ହେଲେ ଗତ ୧୬ ତାରିଖ ସନ୍ଧ୍ୟାରେ ଯୁବତୀ ଜଣଙ୍କୁ ଅନୀଲ ଡାକି ବୁଲିଯିବାକୁ କହି ଏକ ବୋଲେରୋ ଗାଡ଼ିରେ ବସାଇ ନେଇଯାଇଥିଲେ । ଏକ ଓଢଣୀ ସାହାଯ୍ୟରେ ଯୁବତୀଙ୍କ ତଣ୍ଟିଚିପି ହତ୍ୟା କରିଥିଲା । ପରେ ଶବକୁ ନେଇ ବଡରମା ଘାଟି ଜଙ୍ଗଲରେ ଫିଙ୍ଗି ଦେଇଥିଲା ।

Also Read:- ଆଡ଼ପ ମଣ୍ଡପରେ ବାହାରିଲା ପ୍ରଥମ ଆଡ଼ପ ଅବଢ଼ା, ପ୍ରସାଦ ପାଇ ଭକ୍ତ ଆନନ୍ଦିତ

ଯୁବତୀଙ୍କ ପରିବାର ପକ୍ଷରୁ କୁଚିଣ୍ଡା ଥାନାରେ ଏକ ଲିଖିତ ରିପୋର୍ଟ କରିବା ପରେ ରିପୋର୍ଟ ଆଧାରରେ ପୋଲିସ ତନାଘନା କରିବା ସହ ବ୍ୟୁଟି ପାର୍ଲର ପାଖରେ ଥିବା ବିଭିନ୍ନ ସିସିଟିଭି ଯାଞ୍ଚ କରିଥିଲା । ସନ୍ଧ୍ୟାରେ ପାର୍ଲର ପାଖରେ ଯୁବତୀ ଜଣଙ୍କ ସଂପୃକ୍ତ ଯୁବକଙ୍କ ସହ କଥାବାର୍ତ୍ତା ହୋଇଥିବା ଜାଣିବାକୁ ପାଇଥିଲା । ପରେ ଯୁବକକୁ ପୋଲିସ ଉଠାଇ ଆଣି ପଚରାଉଚରା କରିବା ପରେ ଯୁବତୀଙ୍କୁ ସେ ହତ୍ୟା କରିଥିବା ସ୍ୱକାର କରିଥିଲା । ଏଥିରେ ଜଣେ ବୋଲେରୋ ଚାଳକ ଓ ଅନ୍ୟ ଜଣେ ତାଙ୍କୁ ସହଯୋଗ କରିଥିବା ବେଳେ ପୋଲିସ ସଂପୃକ୍ତ ଯୁବକ ଓ ବୋଲେରୋ ଚାଳକଙ୍କୁ ଗିରଫ କରିଛି । ଅନ୍ୟ ଜଣେ ସହଯୋଗୀକୁ ଅଟକ ରଖିଛି ।

ପୋଲିସ ଅଭିଯୁକ୍ତକୁ ଘଟଣାସ୍ଥଳକୁ ନେଇ ସିନ୍ ରି-କ୍ରିଏସନ କରିବା ବେଳେ ସାଇଣ୍ଟିଫିକ୍ ଟିମ୍ ମଧ୍ଯ ତଦନ୍ତ କରିଛନ୍ତି । ବ୍ୟବଚ୍ଛେଦ ରିପୋର୍ଟ ଆସିଲା ପରେ ସବୁ ସତ ଜଣାପଡିବ ବୋଲି କୁଚିଣ୍ଡା ଏସଡିପିଓ ପ୍ରଦୀପ ଦାସ କହିଛନ୍ତି ।

ଅନ୍ୟପଟେ ପରିବାର ଲୋକେ ଝିଅର କୌଣସି ପୁରୁଷ ବନ୍ଧୁଙ୍କ ସହ ସମ୍ପର୍କକୁ ଖଣ୍ଡନ କରିଛନ୍ତି । ଏହା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ଓ ଏଥିରେ ଆହୁରି ଲୋକଙ୍କ ସମ୍ପୃକ୍ତି ରହିଛି ବୋଲି ଅଭିଯୋଗ ଆଣିବା ସହ ଦୋଷୀକୁ ଫାଶୀ ଦେବାକୁ ଦାବି କରିଛନ୍ତି ।