• ନିଟ୍-ୟୁଜି ପେପର ଲିକ୍ ମାମଲାରେ ନୂଆ ମୋଡ଼
  • ସିବିଆଇ ଏବେ ଜଣେ ଛାତ୍ରଙ୍କ ପିତାଙ୍କୁ ଗିରଫ କରିଛି
  • ଛାତ୍ରଙ୍କ ପିତା ଜଣେ ଡାକ୍ତର ଓ ପୁଅକୁ ଡାକ୍ତରୀ ପଢାଇବାକୁ ୧୫୦ ପ୍ରଶ୍ନ ନିମନ୍ତେ ୧୦ଲକ୍ଷ ଟଙ୍କାରେ ପ୍ରଶ୍ନପତ୍ର କିଣିଥିଲେ

ନୂଆଦିଲ୍ଲୀ: ସାରା ଦେଶରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ନିଟ୍-ୟୁଜି ପେପର ଲିକ୍ ମାମଲାରେ ଗୁରୁବାର ନୂଆ ମୋଡ଼ ଆସିଛି। ପେପର ଲିକ୍ କରିବା ଓ ବିକ୍ରି ସମ୍ପର୍କିତ ଅଭିଯୁକ୍ତଙ୍କୁ ଗିରଫ କରିବା ପରେ ସିବିଆଇ ଏବେ ଜଣେ ଛାତ୍ରଙ୍କ ପିତାଙ୍କୁ ଗିରଫ କରିଛି। ମହାରାଷ୍ଟ୍ର ଲାଟୁରର ପ୍ରସିଦ୍ଧ ଶିଶୁ ରୋଗ ବିଶେଷଜ୍ଞ ଡ.ମନୋଜ ଶିରୁରେଙ୍କୁ ସିବିଆଇ ବୁଧବାର ବିଳମ୍ବିତ ରାତ୍ରିରେ ପୁଣେରୁ ଗିରଫ କରିଛି। ଏହି ଘଟଣା ଏବେ ଚିକିତ୍ସା ଓ ଶିକ୍ଷା ଜଗତରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।

ସିବିଆଇର ପ୍ରାରମ୍ଭିକ ତଦନ୍ତ ଅନୁସାରେ ନିଟ୍-ୟୁଜି ୨୦୨୬ ପ୍ରଶ୍ନପତ୍ର ଲିକ୍ ମାମଲାରେ ଏକ ବଡ଼ ରାକେଟ୍ ସକ୍ରିୟ ଥିଲା। ତଦନ୍ତରୁ ଜଣାପଡିଛି ଯେ ଏହି ରାକେଟର ଚେର ପୁଣେରୁ ଲାଟୁର ଓ ରାଜସ୍ଥାନ ପର୍ଯ୍ୟନ୍ତ ବ୍ୟାପିଥିଲା। ତଦନ୍ତାକାରୀ ଏଜେନ୍ସୀ ୧୫୦ ପ୍ରଶ୍ନ ପାଇବା ପାଇଁ ଲୋକେ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ କାରବାର କରିଥିବା ଜାଣିବାକୁ ପାଇଛି। ଏହି ଡାଟା ଲିକ୍ ରେ କିଛି କୋଚିଂ ସେଣ୍ଟର, ମଧ୍ୟସ୍ଥି ଓ ପରୀକ୍ଷା ପ୍ରକ୍ରିୟାରେ ସମ୍ପୃକ୍ତ ବ୍ୟକ୍ତିଙ୍କ ଉପରେ ଏବେ ସନ୍ଦେହ କରାଯାଉଛି।

ତଦନ୍ତ ଆରମ୍ଭରେ ସିବିଆଇ ପୁଣେରୁ ଜଣେ କେମେଷ୍ଟ୍ରି ଅଧ୍ୟାପକଙ୍କୁ ଗିରଫ କରିଥିଲା, ଯାହାଙ୍କୁ ଏହି ରାକେଟ୍ ର କିଙ୍ଗପିନ୍ ବୋଲି ଆକଳନ କରାଯାଉଥିଲା। ଏହା ପରେ ଲାଟୁରସ୍ଥିତ ଆରସିସି କୋଚିଂ ଇନିଷ୍ଟିଟ୍ୟୁଟ୍ ସମ୍ପର୍କିତ ଅଭିଯୁକ୍ତଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ହୋଇଥିଲା। ସିବିଆଇ କୋଚିଂ ଇନିଷ୍ଟିଟ୍ୟୁଟର ନିର୍ଦ୍ଦେଶକ ଶିବରାଜ ମୋଟେଗାଓଁକରକୁ ଗିରଫ କରିଥିଲା। ମିଳୁଥିବା ଖବର ଅନୁସାରେ ଏହି ତଦନ୍ତ କାଳରେ ଡା.ମନୋଜ ଶିରୁରେଙ୍କ ନାମ ସାମ୍ନାକୁ ଆସିଥିଲା। ସେ ପରୀକ୍ଷାରେ ତାଙ୍କ ପୁଅକୁ ଅନୁଚିତ ଲାଭ ଦେବା ପାଇଁ ଲିକ୍ ହୋଇଥିବା ପ୍ରଶ୍ନପତ୍ର କିଣିଥିଲେ ବୋଲି ଅଭିଯୋଗ ହୋଇଛି।

ସିବିଆଇର ଏକ ଟିମ୍ ପୁଣେରେ ଡା. ଶିରୁରେଙ୍କୁ ଦୀର୍ଘ ପଚରା ଉଚରା କରିଥିଲେ, ଏହାପରେ ତାଙ୍କୁ ଗିରଫ କରାଯାଇଛି। ଏହି ମାମଲା ଯାଞ୍ଚରେ ଆର୍ଥିକ ନେଣଦେଣ, ଫୋନ କଲ ରେକର୍ଡ, ଡିଜିଟାଲ ଚାଟ୍ ଓ ଟେଲିଗ୍ରାମ ଭଳି ସୋସିଆଲ ମିଡିଆ ପ୍ଲାଟଫର୍ମରେ ହୋଇଥିବା କଥାବାର୍ତ୍ତା ସାମିଲ ଅଛି। ଡା.ଶିରୁରେଙ୍କ ଗିରଫ ପୂର୍ବରୁ ଲିକ୍ ମାମଲାରେ ମୋଟ ୧୦ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଏହି ପରୀକ୍ଷାକୁ ବାତିଲ କରିଦିଆଯାଇଛି ଓ ପୁନଃ ପରୀକ୍ଷା ୨୧ ଜୁନ ୨୦୨୬ରେ ଅନୁଷ୍ଠିତ ହେବ।