ବେଙ୍ଗାଲୁରୁ,୯|୦୬: ମଦ୍ୟପାନ ଉପରେ ରୋକ୍ ଲାଗିବ । କମ୍ ବୟସର ପିଲା ନିଶାଠୁ ଦୂରରେ ରହିବେ ।ସ୍ବଳ୍ପ ବୟସରୁ ମଦ୍ୟପାନ ଅଭ୍ୟାସକୁ ରୋକିବା ପରିପ୍ରେକ୍ଷୀରେ କର୍ଣ୍ଣାଟକର ଗୃହମନ୍ତ୍ରୀ ପ୍ରିୟାଙ୍କ ଖଡଗେ ବଡ ନିର୍ଦ୍ଦେଶ ଦେଇଛନ୍ତି । ସେ ରାଜ୍ୟବ୍ୟାପୀ ପବ୍, ବାର୍, ବ୍ରିଓ୍ୱେରିଜ୍, କ୍ଲବ୍, ଲାଉଞ୍ଜ୍, ରେସ୍ତୋରାଁ ଏବଂ ଆଲକହଲ୍ ମିଳୁଥିବା ସମସ୍ତ ପ୍ରତିଷ୍ଠାନରେ ବୟସ ଯାଞ୍ଚ ନିୟମକୁ କଡ଼ାକଡ଼ି ଲାଗୁ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

ସମସ୍ତ ସିଟି ପୋଲିସ ଅଧିକାରୀଙ୍କୁ ଏଥିପାଇଁ ନିର୍ଦ୍ଦେଶ ଜାରି କରାଯାଇଛି। ପବ୍, ବାର୍, କ୍ଲବ୍, ଲାଉଞ୍ଜ, ରେସ୍ତୋରାଁ ଏବଂ ମାଦକ ଦ୍ରବ୍ୟ ଉପଲବ୍ଧ କରାଉଥିବା ସମସ୍ତ ପ୍ରତିଷ୍ଠାନକୁ ନୋଟିସ ଜାରି ଲାଗି କୁହାଯାଇଛି। କିଶୋରଙ୍କ ମଧ୍ୟରେ ବିଶେଷକରି ବେଙ୍ଗାଲୁରୁରେ ମଦ ଓ ତମାଖୁ ସେବନକୁ ନେଇ ବଢୁଥିବା ଚିନ୍ତା ମଧ୍ୟରେ ଏହି ପଦକ୍ଷେପ ନିଆଯାଇ ପ୍ରିୟାଙ୍କ ଖଡଗେ କହିଛନ୍ତି ଯେ ବିଭିନ୍ନ ବିଶ୍ୱବିଦ୍ୟାଳୟର ଗବେଷକମାନଙ୍କ ଦ୍ବାରା ନିକଟରେ କରାଯାଇଥିବା ଏକ ସର୍ଭେରେ ୪ ହଜାରରୁ ଅଧିକ ଛାତ୍ରଛାତ୍ରୀଙ୍କୁ ସମିଲ କରାଯାଇଥିଲା। ଏଥିରୁ ଜଣାପଡ଼ିଛି ଜଣ ଯେ ପ୍ରତି ତିନି ଜଣ କିଶୋରଙ୍କ ମଧ୍ୟରୁ ଜଣେ ମଦ କିମ୍ବା ତମାଖୁ ବ୍ୟବହାର ଜନିତ ସ୍ବାସ୍ଥ୍ୟ ସମସ୍ୟାର ସମ୍ମୁଖୀନ ହେବା ଆଶଙ୍କା ରହିଛି।

Also Read :-ନିବେଶକ ହରାଇଲେ ୫ ଲକ୍ଷ କୋଟି ଟଙ୍କା ! ସାରା ବିଶ୍ୱର ସେୟାର ବଜାରରେ ହାହାକାର

ସେହିପରି ଏହି ସର୍ଭେରୁ ଆହୁରି ଜଣାପଡ଼ିଛି ଯେ ୩୩% ଅଂଶଗ୍ରହଣକାରୀ ମଦ୍ୟପାନ କରୁଥିବା ସ୍ବୀକାର କରିଛନ୍ତି। ପ୍ରାୟ ୧୮% ତମାଖୁ ନିଶାରେ ଅଭ୍ୟସ୍ତ। ଏହି ସଂଖ୍ୟା ଉଭୟ ରାଜ୍ୟ ଏବଂ ଜାତୀୟ ହାର ତୁଳନାରେ ଯଥେଷ୍ଟ ଅଧିକ। ଗବେଷକମାନେ ଏହା ମଧ୍ଯ ଜାଣିବାକୁ ପାଇଛନ୍ତି ଯେ ମଦ୍ୟପାନ ଆରମ୍ଭ କରିବାର ହାରାହାରି ବୟସ ୧୭ବର୍ଷ ଥିଲା, ଏବଂ କିଛି କିଛି କ୍ଷେତ୍ରରେ ମାତ୍ର ୮ ବର୍ଷ ବୟସରୁ ମଧ୍ୟ ମଦ୍ୟପାନ ଆରମ୍ଭ ହୋଇଥିବା ଜଣାପଡ଼ିଛି। ଏହା କେବଳ ଏକ ଲାଇସେନ୍ସ ସମ୍ୱନ୍ଧୀୟ ସମସ୍ୟା ନୁହେଁ। ଏହା ଯୁବପିଢ଼ିଙ୍କ ସୁରକ୍ଷା ଏବଂ ଜନସ୍ବାସ୍ଥ୍ୟ ସହ ଜଡ଼ିତ ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ ବୋଲି ଖଡଗେ ଦର୍ଶାଇଛନ୍ତି।