ଭୁବନେଶ୍ୱର: ନୂଆ ପ୍ୟାକରେ ବଜାରକୁ ଆସିଲା ଓମ୍ଫେଡ ପ୍ରିମିୟମ ମିଲ୍କ । ‘ଜନ ଗଣନାରୁ ଜନ କଲ୍ୟାଣ’ କାର୍ଯ୍ୟକ୍ରମକୁ ଆଗେଇ ନେବା ପାଇଁ ଅଣ୍ଟା ଭିଡିଛି ଓମ୍ଫେଡ୍ । ସଂପ୍ରତି ଭାରତ ସରକାରଙ୍କ ପକ୍ଷରୁ ଦେଶବ୍ୟାପୀ ଆରମ୍ଭ ହୋଇଥିବା ଜନଗଣନା କାର୍ଯ୍ୟକ୍ରମରେ ସାମିଲ ହେବା ପାଇଁ ସହଭାଗିତାର ହାତ ବଢାଇଛି ଓମ୍ଫଫେଡ । 

 

ଆମ ରାଜ୍ୟରେ ଜାରି ରହିଥିବା ଡିଜିଟାଲ ଜନଗଣନାରେ ସ୍ବ-ଗଣନା ଏବଂ ପ୍ରଥମ ପର୍ଯ୍ୟାୟ ଗୃହ ତାଲିକା ଓ ଗୃହ ଗଣନା କାର୍ଯ୍ୟକ୍ରମରେ ଆଜିଠାରୁ ଆନୁଷ୍ଠାନିକ ଭାବେ ସାମିଲ ହୋଇଛି ଓମ୍ଫେଡ୍ । ସେଥିପାଇଁ କମ୍ପାନୀ ତାର ପ୍ରିମିୟମ ଦୁଗ୍ଧ ପ୍ୟାକେଟର ପ୍ରିଣ୍ଟିଂ ସଂପୂର୍ଣ୍ଣ ଭାବେ ପରିବର୍ତ୍ତନ କରିଛି । ଏହି ଦୁଗ୍ଧ ପ୍ୟାକେଟ୍ ମାଧ୍ୟମରେ ଜନ ସଚେତନତା ସୃଷ୍ଟି କରିବା ପାଇଁ ପ୍ରୟାସ ଆରମ୍ଭ କରିଛି ଓମ୍ଫେଡ୍।

ଏହି ଉପଲକ୍ଷେ ଆଜି ଭୁବନେଶ୍ୱରସ୍ଥିତ ମୁଖ୍ୟାଳୟରେ ଆୟୋଜିତ ଏକ ସ୍ଵତନ୍ତ୍ର କାର୍ଯ୍ୟକ୍ରମରେ ଜନଗଣନା ନିର୍ଦେଶକ ନିଖିଲ ପୱନ କଲ୍ୟାଣ, ଯୁଗ୍ମ ନିର୍ଦ୍ଦେଶକ ହେମନ୍ତ କୁମାର ସିଂହ, ହାରାଧନ କର୍ମୀ, ଡକ୍ଟର ଅଭୟ ନାରାୟଣ ନାୟକ, ସହକାରୀ ନିର୍ଦେଶକ ଲକ୍ଷ୍ମଣ ମୁଖ୍ୟଙ୍କ ସହ ଡେପୁଟି ମ୍ୟାନେଜର (ପିଆର୍, ପ୍ରାକ୍ୟୁରମେଣ୍ଟ) ଡକ୍ଟର ବିଶ୍ବରଞ୍ଜନ ତ୍ରିପାଠୀ, ଡେପୁଟି ମ୍ୟାନେଜର (ଫାଇନାନ୍ସ) ତାପସ ରଂଜନ ମିଶ୍ର ଓ ବହୁ କର୍ମଚାରୀ ଉପସ୍ଥିତ ଥିଲେ । ରାଜ୍ୟବ୍ୟାପୀ ସଚେତନତା ବୃଦ୍ଧି କରିବା ପାଇଁ ୪,୦୦୦ OMFED ବୁଥରେ ପ୍ରଦର୍ଶନ ପାଇଁ ପୋଷ୍ଟର ମଧ୍ୟ ଉନ୍ମୋଚନ କରାଯାଇଥିଲା।