କୋଲକାତା,|୧:ଗହଣା ଲୋଭରେ ଶାଶୂକୁ ହତ୍ୟା । ସୁନା ଗହଣା ପାଇଁ ଜଣେ ନବବଧୂ ତାଙ୍କ ପ୍ରେମିକ ସହ ମିଶି ଶାଶୂଙ୍କୁ ହତ୍ୟା କରିଛନ୍ତି । ମୃତମହିଳା ହେଲେ ହେଲେ ପଶ୍ଚିମବଙ୍ଗ ଉତ୍ତର ଥାନା ଅନ୍ତର୍ଗତ ଲାଲଗଞ୍ଜ ଅଞ୍ଚଳର ମଉ ରାୟ । ପୁଲିସ ଏହି ଘଟଣାରେ ବୋହୂ ଓ ତାଙ୍କ ପ୍ରେମିକଙ୍କୁ ଗିରଫ କରିଛି । ଅଭିଯୁକ୍ତ ଦୁଇ ଜଣ ହେଲେ ବୋହୂ ରିଆ ରାୟ ଓ ତାଙ୍କ ପ୍ରେମିକ ଝାଡ଼ଖଣ୍ଡ ଡାଲଟନଗଞ୍ଜର ସମୀର ଆଲମ ।

ପୋଲିସଠାରୁ ମିଳିଥିବା ସୂଚନା ଅନୁଯାୟୀଜାନୁଆରୀ ୧୬ ତାରିଖରେ ମଉ ରାୟଙ୍କ ଅଚେତନ ମୃତଦେହ ତାଙ୍କ ଘରୁ ମିଳିଥିଲା । ମୃତା ମହିଳାଙ୍କ ପୁଅ ଦେଖିଥିଲେ ଯେ ତାଙ୍କ ମାଆଙ୍କ ବେକରେ କିଛି ଚିହ୍ନ ଅଛି ଏବଂ ମାଆ ପିନ୍ଧିଥିବା ଅଳଙ୍କାର ମଧ୍ୟ ନାହିଁ । ତା'ପରେ ଆସାନସୋଲ ଉତ୍ତର ଥାନାକୁ ଖବର ଦିଆଯାଇଥିଲା । ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଯାଇଥିଲା । ଶବ ବ୍ୟବଚ୍ଛେଦ ରିପୋର୍ଟରୁ ପୁଲିସ ଜାଣିପାରିଥିଲା ଯେ ମହିଳାଙ୍କ ବେକରେ ରଶି ଭଳି କିଛି ଜିନିଷ ବାନ୍ଧି ତାଙ୍କୁ ଟାଙ୍ଗି ହତ୍ୟା କରାଯାଇଛି ।

ଘଟଣାର ୧୩ ଦିନ ପୂର୍ବରୁ ଅର୍ଥାତ ଜାନୁଆରୀ ୩ ତାରିଖରେ ଶାଶୂ ତାଙ୍କ ସାନ ବୋହୂ ରିଆ ରାୟଙ୍କ ବିରୋଧରେ ଆସାନସୋଲ ଉତ୍ତର ଥାନାରେ ଏକ ଚୋରି ମାମଲା ଦାୟର କରିଥିଲେ । ଏହାପରେ ମଉ ରାୟଙ୍କ ହଠାତ୍ ମୃତ୍ୟୁ ହୋଇଥିଲା । ପରିବାରର ଅଭିଯୋଗ ଆଧାରରେ ପୁଲିସ ଏକ ହତ୍ୟା ମାମଲା ରୁଜୁ କରିଥିଲା । ସେହି ଆଧାରରେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଥିଲା । ତଦନ୍ତରୁ ଜଣାପଡିଥିଲା ଯେ ରିଆ ରାୟଙ୍କର ଜଣେ ଘନିଷ୍ଠ ବନ୍ଧୁ ଅଛନ୍ତି ଯିଏ ଝାଡ଼ଖଣ୍ଡର ଡାଲଟନଗଞ୍ଜ ଅଞ୍ଚଳ ବାସିନ୍ଦା । ପୁଲିସ ସନ୍ଦେହ କରିଥିଲା ଯେ ଏହି ମୃତ୍ୟୁ ପଛରେ ରିୟାର ଘନିଷ୍ଠ ବନ୍ଧୁ ସମ୍ପୃକ୍ତ ଥାଇପାରନ୍ତି । ପରେ ପୁଲିସ ଡାଲଟନଗଞ୍ଜର ଉକ୍ତ ଯୁବକଙ୍କୁ ଖୋଜିବା ଆରମ୍ଭ କରିଥିଲା ।

ଗୁରୁବାର ରାତିରେ ଆସାନସୋଲର ଭଗତ ସିଂହ ମୋଡରୁ ସମୀର ଆଲମ ନାମକ ଯୁବକଙ୍କୁ ପୁଲିସର ଏକ ଟିମ୍ ଗିରଫ କରିଥିଲା । ପଚରାଉଚରା ସମୟରେ ସେ ମଉ ରୟଙ୍କୁ ହତ୍ୟା କରିଥିବା ସ୍ୱୀକାର କରିଥିଲେ । ସେ ଏହା ମଧ୍ୟ କହିଥିଲେ ଯେ ରିଆ ରାୟ ମଧ୍ୟ ଏହି ଘଟଣାରେ ସମ୍ପୃକ୍ତ । ଏହାପରେ ଶୁକ୍ରବାର ସକାଳେ ରିଆ ରାୟଙ୍କୁ ଗିରଫ କରାଯାଇଥିଲା । ଘଟଣାର ତଦନ୍ତ ପାଇଁ ଦୁଇଜଣଙ୍କୁ ଅଧିକ ପଚରାଉଚରା କରାଯିବ । ଡିସିପି (ସେଣ୍ଟ୍ରାଲ) ଧ୍ରୁବ ଦାସ କହିଛନ୍ତି ଯେ ଡାଲଟନଗଞ୍ଜର ଏହି ଯୁବକ ଆସାନସୋଲ ଆସି ଏକ ହୋଟେଲରେ ରହିଥିଲେ । ହୋଟେଲ ରୁମରୁ ମୃତ ମହିଳାଙ୍କ ଅଳଙ୍କାର ମଧ୍ୟ ଉଦ୍ଧାର କରାଯାଇଛି । ଜାଣିବାକୁ ମିଳିଛି ଯେ ସମୀର ସୋସିଆଲ ମିଡିଆ ମାଧ୍ୟମରେ ରିଆଙ୍କୁ ଭେଟିଥିଲେ । ଶନିବାର ଦୁଇ ଅଭିଯୁକ୍ତଙ୍କୁ କୋର୍ଟରେ ହାଜର କରାଯିବା ପରେ ବିଚାରପତି ୮ ଦିନିଆ ପୁଲିସ ହେପାଜତରେ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ।