ନୂଆଦିଲ୍ଲୀ: ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ଗୁରୁବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଫୋନ ଯୋଗେ କଥା ହୋଇଛନ୍ତି । ଇସ୍ରାଏଲର ସ୍ୱାଧୀନତା ଦିବସ ଅବସରରେ ପିଏମ୍ ମୋଦୀଙ୍କୁ ଭାରତୀୟ ଫାଇଲଟ୍ ସ୍ମିତ୍ ମଚ୍ଛାରଙ୍କ ସହ ମିଶି ମଶାଲ ଜାଳିବା ପାଇଁ ସେ ନିମନ୍ତ୍ରଣ କରିଛନ୍ତି । ନେତାନ୍ୟାହୁ ନିଜେ ଏକ୍ସରେ ପୋଷ୍ଟ କରି ଏହି ସୂଚନା ଦେଇଛନ୍ତି ।

ଏକ୍ସରେ ସେ ଲେଖିଛନ୍ତି, "ମୁଁ ମୋର ବନ୍ଧୁ, ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ କଥା ହୋଇଛି ଏବଂ ଇସ୍ରାଏଲର ସ୍ୱାଧୀନତା ଦିବସରେ ସାହସୀ ଭାରତୀୟ ପାଇଲଟଙ୍କ ସହ ମଶାଲ ଜଳାଇବା ପାଇଁ ତାଙ୍କୁ ନିମନ୍ତ୍ରଣ କରିଛି ।" ସେ ଆହୁରି କହିଛନ୍ତି, ପ୍ରଧାନମନ୍ତ୍ରୀ ମୋଦୀ ଏହି ନିମନ୍ତ୍ରଣ ପାଇଁ ଧନ୍ୟବାଦ ଜଣାଇଛନ୍ତି ଏବଂ କହିଛନ୍ତି ଯେ ଭାରତ ଏବଂ ଇସ୍ରାଏଲ ଭୂମି ଏବଂ ଆକାଶରେ ଆତଙ୍କବାଦ ବିରୁଦ୍ଧରେ ଏକାଠି ଲଢ଼ୁଛନ୍ତି । ସେ ଦୁଇ ଦେଶ ମଧ୍ୟରେ ଦୃଢ଼ ଏବଂ ଦୀର୍ଘସ୍ଥାୟୀ ସମ୍ପର୍କକୁ ମଧ୍ୟ ପ୍ରଶଂସା କରିଛନ୍ତି ।

 

ଏପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କ ଫୋନ୍ କଲ୍ ବିଷୟରେ ସୂଚନା ସେୟାର କରିଛନ୍ତି । ଏକ୍ସ ପୋଷ୍ଟରେ ସେ ଲେଖିଛନ୍ତି, "ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ଫୋନ୍ କରିଥିଲେ । ଆମେ ଆମର ଦ୍ୱିପାକ୍ଷିକ ସମ୍ପର୍କରେ ନିରନ୍ତର ପ୍ରଗତିର ସମୀକ୍ଷା କରିଛୁ ଏବଂ ଆମର ସହଭାଗୀତାକୁ ମଜଭୁତ କରିବା ପାଇଁ ଆମର ପ୍ରତିବଦ୍ଧତାକୁ ଦୋହରାଇଛୁ ।" ପ୍ରଧାନମନ୍ତ୍ରୀ ମୋଦୀ ଏହା ମଧ୍ୟ କହିଛନ୍ତି ଯେ ଦୁଇ ନେତା ପଶ୍ଚିମ ଏସିଆରେ ଚାଲିଥିବା ବିକାଶ ଏବଂ ଶାନ୍ତିର ଆବଶ୍ୟକତା ବିଷୟରେ ଆଲୋଚନା କରିଛନ୍ତି ।