କାଠମାଣ୍ଡୁ, ୩୦/୦୮: ନେପାଳରେ ଆସିଥିବା ବିନାଶକାରୀ ବନ୍ୟାରେ ଏକ ବ୍ୟାଙ୍କର ଲକର କିଛି କିଲୋମିଟର ଭାସିଯାଇଥିବା ସାମ୍ନାକୁ ଆସିଛି। ତା' ଉପରେ ଦୃଷ୍ଟି ପଡ଼ିବା ମାତ୍ରେ ସ୍ଥାନୀୟ ଲୋକେ ସେହି ଲକରକୁ ଭାଙ୍ଗି ସେଥିରେ ଥିବା ନଗଦକୁ ଲୁଟ୍ କରିନେଇଥିଲେ।

ପୁଲିସ ଏହି ମାମଲାରେ ଅଦ୍ୟାବଧି ୨୯ ଜଣଙ୍କୁ ଗିରଫ କରିଛି। ସେମାନଙ୍କ ନିକଟରୁ ୫୭ ଲକ୍ଷ ଟଙ୍କା ଉଦ୍ଧାର ହୋଇଛି। ସୂଚନା ମୁତାବକ, ରସୁଓ୍ବା ଜିଲ୍ଲାର ଭୋଟେକୋଶୀ ଅଞ୍ଚଳ ବନ୍ୟା ପ୍ଲାବିତ ହେବା ପରେ ଏହି ଲକର ନଦୀରେ କିଛି କିମି ଯିଏ ଭାସି ଯାଇଥିଲା। ପରେ ତାକୁ ଧାଡ଼ିଙ୍ଗ ଜିଲ୍ଲାର ଗଲଛି ଗ୍ରାମୀଣ ନଗରପାଳିକା- ୪ରେ ବେଲଖୁଖୋଲା ଅଞ୍ଚଳରେ ତ୍ରିଶୁଳି ନଦୀ କୂଳରୁ ସ୍ଥାନୀୟ ଲୋକେ ଉଦ୍ଧାର କରିଥିଲେ। ଏହାପରେ ସେମାନେ ଲକର ଭାଙ୍ଗି ସେଥିରେ ଥିବା ଟଙ୍କାକୁ ଲୁଟି ନେଇଥିଲେ। ଏ ସଂପର୍କରେ ସୂଚନା ପାଇବା ପରେ ଧାଡ଼ିଙ୍ଗ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ ଆରମ୍ଭ କଲା। ପ୍ରାଥମିକ ଯଞ୍ଚ ପରେ ପୁଲିସ ଅଦ୍ୟାବଧି ୨୯ ଜଣଙ୍କୁ ଗିରଫ କରିଛି।

Also Read :- ଲଘୁଚାପ ପାଇଁ ଅତି ପ୍ରବଳ ବର୍ଷା : ୩ ଜିଲ୍ଲାକୁ ରେଡ୍ ଓ୍ୱାର୍ଣ୍ଣିଂ, ରୁହନ୍ତୁ ସାବଧାନ

ସେମାନଙ୍କ ନିକଟରୁ ଭାରତୀୟ ମୁଦ୍ରାରେ ୫୭ ଲକ୍ଷ ଟଙ୍କା ଉଦ୍ଧାର କରାଯାଇଛି। ଗିରଫ ହୋଇଥିବା ଅଧିକାଂଶ ଲୋକ ଗଲଛି-୪ର ମସ୍ତାର ଅଞ୍ଚଳର ବାସିନ୍ଦା। ସମସ୍ତଙ୍କର ବୟସ ୧୯-୪୯ ବର୍ଷ ମଧ୍ୟରେ। ପୁଲିସ ଏବେ ଉଦ୍ଧାର ହୋଇଥିବା ଅର୍ଥ କେଉଁ ବ୍ୟାଙ୍କ୍ର ସେଥିନେଇ ସନ୍ଧାନ ଆରମ୍ଭ କରିଛି।

ଟଙ୍କା ଲୁଟ୍ ମାମଲାରେ ଆଉ କେହି ସାମିଲ ଥିଲେ କି ନାହିଁ ସେଥିନେଇ ମଧ୍ୟ ତଦନ୍ତ ଚାଲିଛି। ଇତିମଧ୍ଯରେ ନାରାୟଣୀ ନଦୀରେ ବନ୍ୟା ପାଣି ସହ ଭାସିଆସିଥିବା ଜଣେ ମହିଳାଙ୍କ ଶବରୁ ସୁନା ଅଳଙ୍କାର ବାହାର କରିବା ଅଭିଯୋଗରେ ପୁଲିସ ୨ ଜଣଙ୍କୁ ଗିରଫ କରିଛି। ସୋସିଆଲ ମିଡିଆରେ ଭାଇରାଲ୍ ହେଉଥିବା ଭିଡିଓ ଆଧାରରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।